ଦୁବାଇ : ଚଳିତ ବର୍ଷର ଆଇସିସି ଉଦୀୟମାନ କ୍ରିକେଟର୍ ପୁରସ୍କାର ଦୌଡ଼ରେ ଭାରତୀୟ ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ ସ୍ଥାନ ପାଇଛନ୍ତି। ଏହି ଦୌଡ଼ରେ ଅନ୍ୟମାନଙ୍କ ମଧ୍ୟରେ ମାର୍କୋ ଜାନସେନ୍, ଫିନ୍ ଆଲେନ୍ ଓ ଇବ୍ରାହିମ୍ ଜଦ୍ରାନ୍ ସାମିଲ ଅଛନ୍ତି। ଜାନୁଆରିରୁ ଏହି ପୁରସ୍କାର ପାଇଁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇସିସି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ଅର୍ଶଦୀପ ୬ ମାସ ତଳେ ଆନ୍ତର୍ଜାତିକ ପଦାର୍ପଣ କରିଥିଲା ବେଳେ ଖୁବ୍ କମ୍ ସମୟ ମଧ୍ୟରେ ଏହି ତାଲିକାରେ ସ୍ଥାନ ପାଇପାରିଛନ୍ତି। ଏହି ସମୟ ମଧ୍ୟରେ ସେ ୨୧ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଖେଳିସାରିଥିଲା ବେଳେ ୧୮.୧୨ ହାରରେ ୩୩ ୱିକେଟ୍ ନେଇସାରିଲେଣି। ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଦଳରେ ଅର୍ଶଦୀପ ଦିନିକିଆ ପଦାର୍ପଣ କରିଥିଲେ। ତେବେ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ସେ ଅଧିକ ଚର୍ଚ୍ଚିତ ହୋଇଥିଲେ। ଉଭୟ ବାବର ଆଜମ୍ ଓ ମହମ୍ମଦ ରିଜୱାନ୍ଙ୍କୁ ଆଉଟ କରି ସେ ପାକିସ୍ତାନକୁ ଚାପରେ ରଖିବାରେ ସଫଳ ହୋଇଥିଲେ। ଏହ ମ୍ୟାଚ୍ରେ ତାଙ୍କ ପ୍ରଦର୍ଶନ ୩/୩୨ ରହିଥିଲା।