ମୁମ୍ବାଇ : ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ଧାରାରେ ରୋକ ଲାଗିଛି। ଆରମ୍ଭରୁ ୨ ମ୍ୟାଚ୍‌ ହାରିବା ପରେ ହ୍ୟାଟ୍ରିକ ବିଜୟ ପାଇଥିବା ଘରୋଇ ମୁମ୍ବାଇ ଶନିବାର ପଞ୍ଜାବ କିଙ୍ଗ୍ସଠାରୁ ୧୩ ରନ୍‌ରେ ହାରିଯାଇଛି। ସ୍ଥାନୀୟ ୱାଙ୍ଖ୍‌ଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୨୧୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରୋହିତ ଶର୍ମାଙ୍କ ନେତୃ୍ତ୍ବାଧୀନ ମୁମ୍ବାଇ ୬ ୱିକେଟ୍‌ ହରାଇ ୨୦୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଶେଷ ଓଭରରେ ଦଳକୁ ୧୬ ରନ୍‌ ଆବଶ୍ୟକ ଥିଲା ବେଳେ ଅର୍ଶଦୀପ ୨ ୱିକେଟ୍‌ ନେବା ସହ ମାତ୍ର ୨ ରନ୍‌ ଦେଇ ପଞ୍ଜାବକୁ ବିଜୟ ଭେଟି ଦେଇଥିଲେ।

Advertisment

ଅର୍ଶଦୀପ (୪-୦-୨୮-୪) ଚମତ୍କାର ବୋଲିଂ ସଫଳତା ସହ ପଞ୍ଜାବ ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ। ସେ ଦ୍ବିତୀୟ ଓଭରର ପ୍ରଥମ ବଲ୍‌ରେ ଓପନର୍‌ ଈଶାନ କିଶନଙ୍କୁ ମାଥ୍ୟୁ ସର୍ଟଙ୍କ ହାତରେ କ୍ୟାଚ୍‌ କରାଇ ମୁମ୍ବାଇକୁ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ। ‌ତେବେ ‌ରୋହିତ ଓ କାମେରୁନ ଗ୍ରିନ ଦ୍ବିତୀୟ ୱିକେଟ୍‌ରେ ୭୬ ରନ୍‌ ଯୋଡ଼ି ପାଳି ସମ୍ଭାଳି ନେଇଥିଲେ। ରୋହିତ (୪୪) ଆଉଟ ହେବା ବେଳକୁ ଦଳୀୟ ସ୍କୋର୍‌ ୯.୩ ଓଭରରେ ୮୪ ରନ୍‌ ରହିଥିଲା। ଏହାପରେ ଗ୍ରିନ୍‌ (୬୭) ଓ ସୂର୍ଯ୍ୟକୁମାର (୫୫) ତୃତୀୟ ୱିକେଟ୍‌ରେ ୭୫ ରନ୍‌ର ଭାଗୀଦାରି ଗଢ଼ି ବିଜୟ ଆଶା ଦେଇଥିଲେ। ହେଲେ ଏହି ଦୁଇ ଜଣ ଆଉଟ ହେବା ପରେ ଟିମ୍‌ ଡେଭିଡ (୨୫) କିଛିଟା ଲଢ଼ିଥିଲା ମଧ୍ୟ ଅପରପାର୍ଶ୍ବରେ ୱିକେଟ୍‌ ଝଡ଼ିବାରୁ ମୁମ୍ବାଇ ମ୍ୟାଚ୍‌ ହାତଛଡ଼ା କରିଥିଲା। ଅନ୍ୟପକ୍ଷରେ ପଞ୍ଜାବ ୬ ମ୍ୟାଚ୍‌ରୁ ୪ ଜିତି ୮ ପଏଣ୍ଟ ସହ ଟେବୁଲର ପଞ୍ଚମକୁ ଉଠିଛି।

publive-image

ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପଞ୍ଜାବ କିଙ୍ଗ୍ସ ୨୧୪/୮ କରିଥିଲା। ମ୍ୟାଚ୍‌ର ତୃତୀୟ ଓଭରରେ ଦଳୀୟ ସ୍କୋର୍‌ ୧୮ ରନ୍‌ରେ ମାଥ୍ୟୁ ସଟ୍‌ (୧୦)ଙ୍କୁ ହରାଇଥିଲା ପଞ୍ଜାବ। ତଥାପି ପାୱାର ପ୍ଲେରେ ୫୮/୧ କରି ଭଲ ଆରମ୍ଭ କରିଥିଲା। ପାୱାର ପ୍ଲେ ପରେ ପରେ ଓପନର୍‌ ପ୍ରଭସିମ୍ରନ ସିଂହ (୨୬)ଙ୍କୁ ଅର୍ଜୁନ ତେନ୍ଦୁଲକର ଏଲ୍‌ବିଡବ୍ଲୁ କରି ପ୍ୟାଭିଲିଅନ୍‌ ପଠାଇଥିଲେ। ତେବେ ନବମ ଓଭରରେ ପୀୟୂଷ ଚାୱାଲା ୨ ୱିକେଟ୍‌ ଝାଡ଼ି ଦେବାରୁ ପଞ୍ଜାବ ‌ସ୍କୋର ଟିକେ ଧିମା ପଡ଼ିଯାଇଥିଲା। ‌ହେଲେ ହରପ୍ରୀତ ସିଂହ (୪୧) ଏବଂ ଅଧିନାୟକ ସାମ କରନ (୫୫) ପଞ୍ଚମ ୱିକେଟ୍‌ରେ ୯୨ ଯୋଡ଼ି ପାଳି ସମ୍ଭାଳି ନେଇଥିଲେ। ଏହାପରେ ଜିତେଶ ଶର୍ମା ୭ ବଲ୍‌ରେ ୨୫ ରନ୍‌ର ବିସ୍ଫୋରକ ପାଳି ଖେଳି ଦଳୀୟ ସ୍କୋର୍‌ ୨୦୦ ପାରି କରାଇଥିଲେ। ଶେଷ ୬ ଓଭରରେ ହିଁ ପଞ୍ଜାବ ୧୦୯ ରନ୍‌ କରିଥିଲା।

publive-image