ବର୍ମିଂହାମ: ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌ ବୁଧବାରଠାରୁ ଆରମ୍ଭ ହେବ। ଲିଡ୍‌ସରେ ଅଧିକାଂଶ ସମୟ ପ୍ରାଧାନ୍ୟ ବିସ୍ତାର କରିଥିଲେ ମଧ୍ୟ ଶୁବମନ ଗିଲ୍‌ଙ୍କ ଯୁବବାହିନୀ ହାରିଯିବାରୁ ଭାରତୀୟ କ୍ରିକେଟ୍‌ର ଏହି ନୂଆ ଅଧ୍ୟାୟ ଚାପରେ ପଡ଼ିଯାଇଛି। ଏବେ ଭାରତ ଏମିତି ଏକ ସ୍ଥାନରେ ଦ୍ବିତୀୟ ଟେଷ୍ଟ୍‌ ଖେଳିବାକୁ ଯାଉଛି ଯେଉଁଠି କେବେ ବି ବିଜୟର ସ୍ବାଦ ପାଇନାହିଁ।
ସବୁଠାରୁ ଅଧିକ ଚର୍ଚ୍ଚା କିନ୍ତୁ ହୋଇଛି ଭାରତର ପ୍ରମୁଖ ବୋଲିଂ ଅସ୍ତ୍ର ଯଶପ୍ରୀତ୍ ବୁମ୍‌ରାଙ୍କ ଖେଳିବା ନ ଖେଳିବାକୁ ନେଇ। ତାଙ୍କ ଉପରେ ପଡ଼ୁଥିବା କାର୍ଯ୍ୟଭାର ପରିଚାଳନାର ଅଂଶବିଶେଷ ଦୃଷ୍ଟିରୁ ସେ ଏହି ଟେଷ୍ଟ୍‌ରେ ବିଶ୍ରାମ ନେବା ବିଚାର କରାଯାଉଛି। ଲିଡ୍ସରେ ତାଙ୍କ ୫ ୱିକେଟ୍ ସଫଳତା କାରଣରୁ ଭାରତ ସୁଯୋଗ ସୃଷ୍ଟି କରିଥିଲା ଓ ପ୍ରଥମ ପାଳିରେ ୬ ରନ୍ ଅଗ୍ରଣୀ ନେଇଥିଲା। କିନ୍ତୁ ଦ୍ବିତୀୟ ପାଳିରେ ସେ ୱିକେଟଶୂନ୍ୟ ରହିବା ଏବଂ ଅନ୍ୟ ବୋଲର ପ୍ରଭାବହୀନ ରହିବାରୁ ଭାରତ ହାତରୁ ସୁଯୋଗ ହାତଛଡ଼‌ା ହୋଇଯାଇଥିଲା। ବର୍ମିଂହାମରେ ସେ ଅଭ୍ୟାସ କରିଥିଲେ ମଧ୍ୟ ଖେଳିବା ନ ଖେଳିବା ନେଇ କିଛି ସ୍ପଷ୍ଟ କରାଯାଇନାହିଁ। ଶୃଙ୍ଖଳା ଆରମ୍ଭ ପୂର୍ବରୁ କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସୂଚନା ‌ଦେଇଥିଲେ ସେ ୫ରୁ ୩ଟି ଟେ‌ଷ୍ଟ୍ ଖେଳିପାରନ୍ତି, ଏହା ପୁଣି ପରିବର୍ତ୍ତନଶୀଳ ମଧ୍ୟ ରହିବ। କିନ୍ତୁ ବର୍ମିଂହାମରେ ବୁମ୍‌ରା ‌ନ ଖେଳିଲେ ବାମହାତୀ ପଞ୍ଜାବୀ ବୋଲର ଅର୍ଶଦୀପ ସିଂହ ଟେଷ୍ଟ୍ ପଦାର୍ପଣ କରିବା ସମ୍ଭାବନା ରହିଛି। ନେଟ୍ସରେ ମଧ୍ୟ ଅଶର୍ଦୀପ ଲମ୍ବା ସ୍ପେଲ୍‌ ବୋଲିଂ କରି ନିଜକୁ ପ୍ରସ୍ତୁତ ରଖିଛନ୍ତି। ଏପରିକି ଅର୍ଶଦୀପଙ୍କୁ ପ୍ରସ୍ତୁତିରେ ସହାୟକ ହେବାକୁ ତାଙ୍କ ଦୁଇ ବଂଧୁ ହରପ୍ରୀତ୍ ବ୍ରାର୍‌ ଓ ଜଗଜିତ ସିଂହ ସାନ୍ଧୁଙ୍କୁ ନେଟ୍ସରେ ସାମିଲ କରାଯାଇଛି। ବିଶେଷ କରି ରିଭର୍ସ ସୁଇଙ୍ଗ ଏବଂ ଡାହାଣହାତୀ ବ୍ୟାଟରଙ୍କୁ ରାଉଣ୍ଡ୍ ଦି ୱିକେଟ୍ ବୋଲିଂ କରିବା  ଉପରେ ସେ ଫୋକସ ଦେଇଛନ୍ତି। ଅର୍ଶଦୀପଙ୍କ ଉପସ୍ଥିତି ବି ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣଙ୍କୁ ପାରମ୍ପରିକ ପେସ୍‌ ବୋଲିଂ ଅନୁକୂଳ ଏଜ୍‌ବାଷ୍ଟନ୍ ପିଚ୍‌ରୁ ଫାଇଦା ଦେବା ସମ୍ଭାବନା ରଖିବ।
ଶୁବମନ ଗିଲ୍‌ଙ୍କ ଭାରତୀୟ ଟେଷ୍ଟ୍ ଦଳର ବରିଷ୍ଠତମ ସଦସ୍ୟ ତଥା ଅଲରାଉଣ୍ଡର୍‌ ରବୀନ୍ଦ୍ର ଜାଡ଼େଜାଙ୍କ ସ୍ଥାନ ବି ସଂଶୟ ଭିତରେ ରହିଛି। ଲିଡ୍‌ସରେ ସେ ୧୧ ଓ ୨୫* ରନ୍ କରିଥିବାବେଳେ ପଞ୍ଚମ ଦିନ ସ୍ପିନ୍ ଅନୁକୁଳ ପିଚ୍‌ ସତ୍ତ୍ବେ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ। କୁଲଦୀପ ୟାଦବ ଖେଳିଲେ ବି ଜାଡ଼େଜାଙ୍କ ସ୍ଥାନ ସୁରକ୍ଷିତ ରହିବ ବୋଲି ସୂଚନା ଦିଆଯାଇଛି। ଇଂଲଣ୍ଡ ବିପକ୍ଷରେ କୁଲଦୀପ ଭଲ ପ୍ରଦର୍ଶନ କରିଥିବାରୁ ସେ ମଧ୍ୟ ଖେଳିବା ସମ୍ଭାବନା ରହିଛି। ତେବେ ଶାର୍ଦୁଳ ଠାକୁରଙ୍କ ସ୍ଥାନରେ ନୀତୀଶ ରେଡ୍ଡୀ ଦୃଢ଼ ଦାବିଦାର ଭାବେ ଉଭା ହୋଇଛନ୍ତି। ଅଷ୍ଟ୍ରେଲିଆରେ ଶତକ ମାରିଥିବାରୁ ରେଡ୍ଡୀଙ୍କ ବ୍ୟାଟିଂ ଅଲ୍‌ରାଉଣ୍ଡର୍ କ୍ଷମତାକୁ ବି ଉପ‌ଯୋଗ କରିବା ଯୋଜନା କରୁଛି ଭାରତ। ପ୍ରଥମ ଟେଷ୍ଟ୍‌ରେ ଶାର୍ଦୁଳ ବ୍ୟାଟିଂରେ ୧ ଓ ୪ ରନ୍ କରିଥିବାବେ‌ଳେ ବୋଲିଂରେ ୧୬ ଓଭରରେ ମାତ୍ର ୨ ୱିକେଟ୍ ନେଇଥିଲେ। 
ଏଜ୍‌ବାଷ୍ଟନ୍ ପିଚ୍‌ ପ୍ରାରମ୍ଭିକ ଅବସ୍ଥାରେ ପେସ୍‌ ଓ ବାଉଁସ ଦେବ। ବ୍ୟାଟିଂ ପାଇଁ ପ୍ରଥମ ଓ ଦ୍ବିତୀୟ ଦିନ ନିଶ୍ଚିତ କଷ୍ଟସାଧ୍ୟ ହେବ। ଦ୍ବିତୀୟ ଓ ଚତୁର୍ଥ ଦିନ ଆଡ଼କୁ କିନ୍ତୁ ପିଚ୍‌ ଫ୍ଲାଟ୍‌ ହୋଇଯିବ ବୋଲି ବିଶ୍ବାସ କରାଯାଉଛି। ପଞ୍ଚମ ଦିନ ବେଳକୁ ସ୍ପିନରଙ୍କ ଭୂମିକା ପ୍ରଭାବୀ ହୋଇପାରେ। ପ୍ରତିକୂଳ ପାଗର କୌଣସି ପୂର୍ବାନୁମାନ ନାହିଁ।
ବର୍ମିଂହାମର ଏଜ୍‌ବାଷ୍ଟନ୍‌ରରେ ଭାରତର ରେକର୍ଡ କିନ୍ତୁ ଭଲ ନାହିଁ। ୧୯୬୭ ମସିହାଠାରୁ ଆରମ୍ଭ କରି ଭାରତ ଏଠାରେ ମୋଟ ୮ ଟେଷ୍ଟ୍‌ ଖେଳିଛି। ୭ଟିରେ ପରାସ୍ତ ହୋଇଥିବାବେଳେ ଗୋଟିଏ ଡ୍ର’ ରଖିବାରେ ସକ୍ଷମ ହୋଇଛି। ୧୯୮୬ ମସିହାରେ ମହମ୍ମଦ ଆଝାରୁଦ୍ଦିନ୍‌ ଓ କିରଣ ମୋରେଙ୍କ ମଧ୍ୟରେ ହୋଇଥିବା ଭାଗୀଦାରି ପାଇଁ ଏକମାତ୍ର ଡ୍ର’ ମିଳିଥିଲା। ୨୦୨୨ରେ ଭାରତ ବିଜୟର ନିକଟତର ହୋଇଥିଲେ ମଧ୍ୟ ଜୋ ରୁଟ୍‌ ଓ ଜନି ବେୟାରଷ୍ଟୋଙ୍କ ୨୬୯ ରନ୍ ଭାଗୀଦାରି କାରଣରୁ ଇଂଲଣ୍ଡ ନିଜର ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ ଅର୍ଜନ କରିଥିଲା। ଏହି ପଡ଼ିଆରେ ଭାରତର ୫୮ ବର୍ଷର ବିଜୟଶୂନ୍ୟ ଧାରାକୁ ଶୁବମନ ଗିଲ୍‌ଙ୍କ ଦଳ ଭାଙ୍ଗିପାରିଲେ ବଡ଼ ଉପଲବ୍‌ଧି ହେବ। ଗିଲ୍‌ଙ୍କ ନେତୃତ୍ବ, ପରିସ୍ଥିତିକୁ ମୁକାବିଲା ଓ ନିଷ୍ପତ୍ତି ନେବାର କ୍ଷମତା ସବୁ ନିଶ୍ଚିତ ଚଳିତ ସପ୍ତାହାନ୍ତ ବେଳକୁ ଆଉ ଏକ ପରୀକ୍ଷା ଦେଇ ସାରିଥିବ।