ମୋହାଲି: ପଞ୍ଜାବ କିଙ୍ଗ୍‌ସର ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ଅବସରରେ ଏକ ଅଲୋଡ଼ା ବିଶ୍ବ କୀର୍ତ୍ତି ବହନ କରିଛନ୍ତି। ସେ ୩.୫ ଓଭର ବୋଲିଂ କରି ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲା ବେଳେ ୬୬ ରନ୍‌ ବ୍ୟୟ କରିଥିଲେ। ଫଳରେ ଗୋଟିଏ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ପୂରା ୪ ଓଭର କୋଟା ପୂରଣ କରିବା ପୂର୍ବରୁ ସର୍ବାଧିକ ରନ୍‌ ବ୍ୟୟ କରିବାରେ ସେ ବିଶ୍ବର ପ୍ରଥମ ବୋଲର ହେବାର ଅଲୋଡ଼ା କୀର୍ତ୍ତି ପାଇଛନ୍ତି। ଅର୍ଶଦୀପ ମଧ୍ୟ ଚଳିତ ସଂସ୍କରଣ ପୂର୍ବରୁ ଆଇପିଏଲ୍‌ରେ କଦାପି ୫୦ରୁ ଅଧିକ ରନ୍‌ ବ୍ୟୟ କରିନଥିଲେ। ୪ ଓଭର ପୂରଣ କରିବା ପୂର୍ବରୁ ସର୍ବାଧିକ ରନ୍‌ ବ୍ୟୟ କରିବା କ୍ଷେତ୍ରରେ ଅର୍ଶଦୀପ ବେନ୍‌ ହ୍ବିଲରଙ୍କ ଅଲୋଡ଼‌ା କୀର୍ତ୍ତିକୁ ଟପି ଯାଇଛନ୍ତି। ହ୍ବିଲର ୩.୧ ଓଭରରେ ୬୪ ରନ୍‌ ବ୍ୟୟ କରି ଏବେ ଅର୍ଶଦୀପଙ୍କ ପଛକୁ ଦ୍ବିତୀୟରେ ରହିଛନ୍ତି।

Advertisment

ଟମ୍‌ କରନ, ପ୍ୟାଟ୍‌ ବ୍ରାଉନ୍‌ ଏବଂ ଆଲେକ୍ସ ଦିଜିଗା ପ୍ରତ୍ୟେକ ୪ ଓଭର କୋଟା ପୂରଣ କରିବା ପୂର୍ବରୁ ୬୩ ରନ୍‌ ଲେଖାଏଁ ବ୍ୟୟ କରି ମିଳିତ ତୃତୀୟରେ ରହିଛନ୍ତି। ଅନ୍ୟପକ୍ଷରେ ଆଇପିଏଲ୍‌ ଗୋଟିଏ ପାଳିରେ ସର୍ବାଧିକ ରନ୍‌ ବ୍ୟୟ କରିବାରେ ଅର୍ଶଦୀପ ମୋଟ ଉପରେ ପଞ୍ଚମ ବୋଲର ରହିଛନ୍ତି। ବାସିଲ ଥାମ୍ପି ତାଙ୍କ ୪ ଓଭରରୁ ୭୦ ରନ୍‌ର ଅଲୋଡ଼ା କୀର୍ତ୍ତି ଏବେ ବି ନିଜ ନାମରେ ଅତୁଟ ରଖିଛନ୍ତି। ୨୦୧୮ ସଂସ୍କରଣରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିବା ଥାମ୍ପି ଆରସିବି ବିପକ୍ଷରେ ୭୦ ରନ୍‌ ବ୍ୟୟ କରିଥିଲେ। ଏହି ତାଲିକାରେ ଦ୍ବିତୀୟରେ ରହିଛନ୍ତି ୟାଶ୍‌ ଦୟାଲ। ଚଳିତ ସଂସ୍କରଣରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ୟାଶ୍‌ କେକେଅାର୍ ବିପକ୍ଷ ମ୍ୟାଚ୍‌ରେ ୬୯ ରନ୍‌ ବ୍ୟୟ କରିଥିଲେ। ଚତୁର୍ଥ ତଥା ଶେଷ ଓଭରରେ ୟାଶ୍‌ଙ୍କୁ ଲଗାତାର ୫ ଛକା ମାରି ରିଙ୍କୁ ସିଂହ ସବୁକିଛି ବିଗାଡ଼ି ଦେଇଥିଲେ।