ବେଙ୍ଗାଲୁରୁ: ଯୁଗଳ ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରା ନିଜ ନାମରେ ଏକ ବିଶ୍ବସ୍ତରୀୟ ଜାଭଲିନ୍ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛନ୍ତି। ‘ଏନ୍ସି କ୍ଲାସିକ୍’ ଭାବେ ନାମିତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ନୀରଜ ତାଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ତଥା ପ୍ୟାରିସ୍ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଅର୍ସଦ ନଦୀମଙ୍କୁ ଆମନ୍ତ୍ରଣ କରିଥିଲେ। ହେଲେ ଅଭ୍ୟାସ ସୂଚୀରେ ପରିବର୍ତ୍ତନ କରିବାକୁ ଚାହୁନଥିବା ଦର୍ଶାଇ ତାଙ୍କର ଏହି ପ୍ରସ୍ତାବକୁ ଅର୍ସଦ ପ୍ରତ୍ୟାଖ୍ୟାନ କରି ନେଇଛନ୍ତି।
ପୁଣି ପରିବହନ ଓ ଯୋଗାଯୋଗ ଜନିତ ସସମ୍ୟା ପାଇଁ ଏବେ ଏହି ପ୍ରତିଯୋଗିତାକୁ ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିୟମ୍କୁ ସ୍ଥାନାନ୍ତର କରିଦିଆଯାଇଛି। ଅର୍ସଦ ଆସନ୍ତୁ କିମ୍ବା ନ ଆସନ୍ତୁ ‘ଏନ୍ସି କ୍ଲାସିକ୍’ ଆୟୋଜିତ ହେବା ସହ ଭାରତୀୟ କ୍ରୀଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ହେବା ଏକପ୍ରକାର ନିଶ୍ଚିତ। ବ୍ୟକ୍ତିଗତ ଭାବେ ନୀରଜ ମଧ୍ୟ ନିଜ ନାମରେ କୌଣସି ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜନ କରିଥିବା ମଣ୍ଡୋ ଡୁପ୍ଲାଣ୍ଟିସ୍ ଓ କିଲି ହଜକିନସନ୍ଙ୍କ ଭଳି ହାତଗଣତି ଖେଳାଳିଙ୍କ ମଧ୍ୟରେ ସାମିଲ ହେବେ। ଅର୍ସଦ ଓ ନୀରଜଙ୍କ ଛଡ଼ା ଜାଭଲିନ୍ ଜଗତର ଏହି ଶୀର୍ଷ ସ୍ତରୀୟ ପ୍ରତିଯୋଗିତାରେ ଗ୍ରେନେଡାର ଆଣ୍ଡରସନ୍ ପିଟର୍ସ ଓ ଜର୍ମାନୀର ଥୋମାସ ରୋହଲରଙ୍କ ଭଳି ଅନ୍ତର୍ଜାତୀୟ ତାରକାଙ୍କ ସହ ଭାରତର ରୋହିତ ଯାଦବ, କିଶୋର ଜେନା ଏବଂ ଆଉ ୩ରୁ ୪ଜଣ ଖେଳାଳି ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ପ୍ରତିଯୋଗିତା ଆୟୋଜନ ପାଇଁ ନୀରଜ, ଜେଏସ୍ଡବ୍ଲ୍ୟୁ ସ୍ପୋର୍ଟସ ଓ ସର୍ବଭାରତୀୟ ଦୌଡ଼କୁଦ ମହାସଂଘ ହାତ ମିଳାଇଛନ୍ତି।