ମୁମ୍ବାଇ: ଗତକାଲି ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ଧାରାରେ ରୋକ ଲାଗିଥିଲା । ଆରମ୍ଭରୁ ୨ ମ୍ୟାଚ୍ ହାରିବା ପରେ ହ୍ୟାଟ୍ରିକ ବିଜୟ ପାଇଥିବା ଘରୋଇ ମୁମ୍ବାଇ ଦଳ ଶନିବାର ପଞ୍ଜାବ କିଙ୍ଗ୍ସଠାରୁ ୧୩ ରନ୍ରେ ହାରିଯାଇଥିଲା । ୱାଙ୍ଖ୍ଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ୨୧୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରୋହିତ ଶର୍ମାଙ୍କ ନେତୃ୍ତ୍ବାଧୀନ ମୁମ୍ବାଇ ୬ ୱିକେଟ୍ ହରାଇ ୨୦୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଶେଷ ଓଭରରେ ଦଳକୁ ୧୬ ରନ୍ ଆବଶ୍ୟକ ଥିଲା ବେଳେ ଅର୍ଶଦୀପ ୨ ୱିକେଟ୍ ନେବା ସହ ମାତ୍ର ୨ ରନ୍ ଦେଇ ପଞ୍ଜାବକୁ ବିଜୟ ଭେଟି ଦେଇଥିଲେ।
ତେବେ ଅର୍ଶଦୀପ ସିଂଙ୍କ ଏହି ଦୁଇଟି ବଲ୍ କେବଳ ମୁମ୍ବାଇ ଇଣ୍ଡିଆନ୍ସକୁ କଷ୍ଟ ଦେଇନାହିଁ, ବରଂ ଆଇପିଏଲ ଆୟୋଜକ ବିସିସିଆଇର ମଧ୍ୟ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଯାଇଛି। ବାସ୍ତବରେ ଶେଷ ଓଭରରେ ଅର୍ଶଦୀପ କ୍ଲିନ୍ ଲଗାତାର ଦୁଇଟି ବଲ୍ରେ ତିଲକ ବର୍ମା ଏବଂ ନେହଲ ବେଢରାଙ୍କୁ ଆଉଟ କରିଥିବାବେଳେ ତାଙ୍କ ବଲ୍ରେ ମିଡିଲ ଷ୍ଟମ୍ପ ଦୁଇ ଖଣ୍ଡରେ ଭାଙ୍ଗିଯାଇଥିଲା। ଅର୍ଶଦୀପ ସିଂଙ୍କ ୟର୍କର ଏତେ ସଠିକ୍ ଥିଲା ଯେ ତାହା ସିଧାସଳଖ ଷ୍ଟମ୍ପରେ ମାଡ ହୋଇଥିଲା ଓ ଷ୍ଟମ୍ପରେ ଲାଗିଥିବା କ୍ୟାମେରା ଏବଂ ଷ୍ଟମ୍ପ ମାଇକ୍ ଛିଟିକି ହୋଇ ତଳେ ପଡିଥିଲା। ତେବେ ଷ୍ଟମ୍ପ ଭାଙ୍ଗିଯିବାରୁ ବିସିସିଆଇକୁ କ୍ଷତି ମଧ୍ୟ ହୋଇଛି।
ବାସ୍ତବରେ, ଆପଣ ମଧ୍ୟ ଏଲଇଡି ଷ୍ଟମ୍ପର ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏଲଇଡି ଷ୍ଟମ୍ପର ଏକ ସେଟ୍ ମୂଲ୍ୟ ୩୨ ରୁ ୪୧ ଲକ୍ଷ ଟଙ୍କା ହୋଇଥିବାବେଳେ ଏଥିରେ କ୍ୟାମେରା ଏବଂ ଜିଙ୍ଗ ବେଲସ ମଧ୍ୟ ଲାଗିଥାଏ। ଏବେ ନଜର ପକାନ୍ତୁ ଏହି ଷ୍ଟମ୍ପ ଭାଙ୍ଗିବା ଦ୍ୱାରା କିଭଳି କ୍ଷତି ହେଲା। ପ୍ରକୃତରେ ପଞ୍ଜାବ କିଙ୍ଗସ୍ ଆଇପିଏଲ୍ ୨୦୨୩ ପାଇଁ ୪ କୋଟି ଟଙ୍କାରେ ଅର୍ଶଦୀପ ସିଂଙ୍କୁ ରଖିଥିଲା। ପ୍ରତ୍ୟେକ ଦଳ ଏହି ସିଜିନରେ ଲିଗ୍ ପର୍ଯ୍ୟାୟରେ ୧୪ଟି ମ୍ୟାଚ୍ ଖେଳିବେ ଏବଂ ଆଇପିଏଲର ପ୍ରତ୍ୟେକ ମ୍ୟାଚ୍ ଅନୁଯାୟୀ ଫି ନେଇଥାନ୍ତି। ଏଭଳି ପରିସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଅର୍ଶଦୀପଙ୍କ ଫି ପ୍ରାୟ ୨୮ ଲକ୍ଷ ଟଙ୍କା ଥିବାବେଳେ ତାଙ୍କ ବଲରେ ଯେଉଁ ଷ୍ଟମ୍ପ ଭାଙ୍ଗିଯାଇଥିଲା ତାହାର ମୂଲ୍ୟ ତାଙ୍କ ମ୍ୟାଚ୍ ଫି ଠାରୁ ମଧ୍ୟ ଅଧିକ।