ଅର୍ଶଦୀପ ସିଂଙ୍କୁ ‘ଗଦ୍ଦାର’ କହି ଆକ୍ଷେପ କଲେ ପ୍ରଶଂସକ; ଭାଇରାଲ ହେଲା ଭିଡିଓ

ଦୁବାଇ: ଏସିଆ କପ୍ -୨୦୨୨ରେ କ୍ରମାଗତ ଭାବେ ପ୍ରଥମେ ପାକିସ୍ତାନ ଏବଂ ପରେ ଶ୍ରୀଲଙ୍କା ଠାରୁ ପରାସ୍ତ ହେବା ପରେ ଭାରତୀୟ ଦଳ ଫାଇନାଲରେ ପହଞ୍ଚିବା ପାଇଁ ରାସ୍ତା ବନ୍ଦ ହୋଇଯାଇଛି । ଏହି ଦୁଇଟି ମ୍ୟାଚରେ ଅର୍ଶଦୀପ ସିଂ ଭାରତ ପାଇଁ ଶେଷ ଓଭର ପକାଇ ସାହସ ପ୍ରଦର୍ଶନ କରିଥିଲେ। ଶେଷ ପର୍ଯ୍ୟନ୍ତ ଲଢ଼ୁଆ ବୋଲିଂ କରିଥିଲେ । କିନ୍ତୁ ଦେଖିବାକୁ ଗଲେ ସେ ପାକିସ୍ତାନ ବିପକ୍ଷରେ କ୍ୟାଚ୍ ଡ୍ରପ୍ କରିବା ପରେ ପ୍ରଶଂସକଙ୍କ ଟାର୍ଗେଟରେ ଆସିଛନ୍ତି।

ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅର୍ଶଦୀପ ସିଂ ହୋଟେଲରୁ ଟିମ୍ ସହ ବସରେ ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ‘ଗଦ୍ଦାର’ ବୋଲି କହୁଛନ୍ତି। ଅର୍ଶଦୀପ ସିଂ ବସରେ ଠିଆ ହୋଇ କିଛି ସମୟ ତାଙ୍କ ଆଡକୁ ଚାହିଁ ରହିଥିଲେ । ଯେତେବେଳେ ଏହି ବ୍ୟକ୍ତି ଏପରି ଶବ୍ଦ ବ୍ୟବହାର କଲେ ସେତେବେଳେ ସେଠାରେ ଥିବା ସୁରକ୍ଷା କର୍ମୀମାନେ ସଜାଗ ହୋଇଥିଲେ । କ୍ରୀଡ଼ା ସାମ୍ବାଦିକ ବିମଲ କୁମାର ବସ୍ ନିକଟରେ ଉପସ୍ଥିତ ଥିଲେ। ସେ ସଙ୍ଗେସଙ୍ଗେ ଆର୍ଶଦୀପଙ୍କୁ  ଗଦ୍ଦାର ବା ଦେଶଦ୍ରୋହୀ କହିବା ଶୁଣି ତାଙ୍କର ପ୍ରତିକ୍ରୟା ରଖିଥିଲେ। ସେ କହିଥିଲେ, ଆର୍ଶଦୀପ ଜଣେ ଭାରତୀୟ ଖେଳାଳି ଏବଂ ଆପଣ ତାଙ୍କ ପାଇଁ  କିପରି ଏପରି ଶବ୍ଦ ବ୍ୟବହାର କରୁଛନ୍ତି ? ଯଦିଓ ଭିଡିଓରେ ଶବ୍ଦଟି ‘ସର୍ଦ୍ଦାର’ ଶୁଣିବାକୁ ମିଳୁଛି ଅସଲରେ ଏହା ଗଦ୍ଦାର ହିଁ ଥିଲା।

ଏହା ପରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ ଉକ୍ତ ବ୍ୟକ୍ତିଙ୍କୁ ଧରି ବସ୍ ନିକଟରୁ ନେଇ ଯାଇଥିଲେ । ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚରେ ଅର୍ଶଦୀପ ସିଂଙ୍କର ଏକ କ୍ୟାଚ୍ ମିସ୍ ହୋଇଥିଲା। ପାକିସ୍ତାନର ଆସିଫ ଅଲିଙ୍କ କ୍ୟାଚ୍ ଛାଡିବା ଟିମ୍ ଇଣ୍ଡିଆ ପାଇଁ ଭାରୀ ପଡ଼ିଥିଲା, ଶେଷରେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ହାରିଗଲା। ଏହି ମ୍ୟାଚ୍ ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଅର୍ଶଦୀପଙ୍କୁ ଟାର୍ଗେଟ କରିଥିଲେ ବି ପରେ ଟିମ୍ ଅର୍ଶଦୀପ ସିଂଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲା । ପ୍ରଥମେ ବିରାଟ କୋହଲି, ପରେ ରୋହିତ ଶର୍ମା କହିଥିଲେ ଯେ କ୍ୟାଚ୍ ଡ୍ରପ୍ ହେବା ଖେଳର ଏକ ଅଂଶ, ଏଭଳି ପରିସ୍ଥିତିରେ ଆପଣ କାହାକୁ ଟାର୍ଗେଟ କରିପାରିବେ ନାହିଁ।

ଖେଳାଳିମାନଙ୍କର କାମ ହେଉଛି ସେମାନଙ୍କର ଭୁଲରୁ ଶିଖିବା, ସେସବୁ ଉପରେ କାମ କରିବା ଏବଂ ଆଗକୁ ବଢ଼ିବା । ସବୁଠୁ ବଡ଼ କଥା ହେଉଛି, ଶେଷ ଓଭରରେ ଉଭୟ ଶ୍ରୀଲଙ୍କା ଏବଂ ପାକିସ୍ତାନ ବିପକ୍ଷରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଉଭୟ ମ୍ୟାଚରେ ଅର୍ଶଦୀପ ସିଂ ଶେଷ ଓଭର ବୋଲିଂ କରିଥିଲେ, ଅର୍ଶଦୀପଙ୍କୁ ପାକିସ୍ତାନ ବିପକ୍ଷରେ ଶେଷ ଓଭରରେ ୬ରନ୍ ଓ ଶ୍ରୀଲଙ୍କା ବିପକ୍ଷରେ ୭ରନ୍ ବଞ୍ଚାଇବାର ଥିଲା ।

ସମ୍ବନ୍ଧିତ ଖବର