ଗୌହାଟୀ ପରିବେଶ ଅଷ୍ଟ୍ରେଲିଆକୁ ବେଶ୍ ସୁହାଇଥିଲା। ବର୍ଷା ପିଚ୍କୁ ସତେଜ କରି ଦେଇଥିଲା। ତମ୍ବୁ ପଡ଼ିଥିଲେ ମଧ୍ୟ ପିଚ୍ ଆଂଶିକ ଓଦାଳିଆ ଥିଲା। ଫଳରେ ଜାସନ ବେହେରେନଡ୍ରଫ୍ଙ୍କ ବଲ୍ ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇଥିଲା। ଭିତରକୁ ଆସୁଥିବା ବଲ୍ରେ ରୋହିତ ଶର୍ମା ସବୁବେଳେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଗୌହାଟୀ ପାଳିର ଆଦ୍ୟ ପର୍ବରେ ରୋହିତଙ୍କ ପାଦ ଚାଳନା ଠିକ୍ ନଥିଲା। ଫଳରେ ବେହେରେନ୍ଡ୍ରଫ୍ ତାଙ୍କୁ ସହଜରେ ନିଜ ଶିକାର କରି ନେଇଥିଲେ। କୋହଲି ମଧ୍ୟ କିଛି ବୁଝିବା ପୂର୍ବରୁ ନିଜ ଓ୍ଵିକେଟ୍ ହରାଇ ଟେ୍ଵଣ୍ଟି-୨୦ରେ ପ୍ରଥମ ‘ଶୂନ’ ପାଇଲେ। ଭାରତ ଏହା ପରେ ଏକ ଭଲ ଭାଗୀଦାରି କରି ପାରି ନଥିଲା। ପରବର୍ତୀ ବ୍ୟାଟ୍ସମ୍ୟାନ୍ମାନେ ବଡ଼ ସଟ୍ ଖେଳିବା ଲୋଭରେ ନିଜ ନିଜର ଓ୍ଵିକେଟ୍ ଫିଙ୍ଗି ଦେଇଥିଲେ। ବଡ଼ ପଡ଼ିଆ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ସୀମା ରେଖା ନିକଟରେ କ୍ୟାଚ୍ ହେବାର ଅନ୍ୟତମ କାରଣ ଥିଲା। ଓଦା ପିଚ୍ ଏବଂ ପଡ଼ିଆ ପାଇଁ ଭାରତୀୟ ସ୍ପିନରଙ୍କ ହାତ ବାନ୍ଧି ହୋଇ ଯାଇଥିଲା। ସେମାନେ ପୂର୍ବ ମ୍ୟାଚ୍ ଗୁଡ଼ିକରେ ଯେମିତି ବଲ୍ ପକାଉଥିଲେ, ସେମିତି କରିପାରି ନଥିଲେ। ମୋ ମତରେ ଅଷ୍ଟ୍ରେଲୀୟ ଖେଳାଳିମାନେ ଜାଣିଶୁଣି ସେମାନଙ୍କୁ ଆକ୍ରମଣ କରିଥିଲେ। ହେନରିକ୍ସ ଏବଂ ଟ୍ରାଭିସ୍ ହେଡ୍ଙ୍କ ଖେଳ ଦେଖି ବହୁତ ଖୁସି ଲାଗିଲା। ଅଷ୍ଟ୍ରେଲିଆ ବ୍ୟାଟିଂ କେବଳ ଓ୍ଵାର୍ନର ଏବଂ ଫିଞ୍ଚ୍ଙ୍କ ଉପରେ ନିର୍ଭରଶୀଳ ନୁହେଁ ବୋଲି ସେମାନେ ଦେଖାଇ ଦେଲେ। ହେନରିକ୍ସଙ୍କୁ ତୃତୀୟ ସ୍ଥାନରେ ଖେଳାଇ କଙ୍ଗାରୁ ଦଳ ଏକ ଚତୁର ଚାଲ୍ ଚଲାଇଥିଲା। ହେନରିକ୍ସଙ୍କର ଭାରତୀୟ ପରିବେଶରେ ଖେଳିବାର ଢେର ଅଭିଜ୍ଞତା ଥିବାରୁ ଶେଷରେ ଏହା କାମରେ ଆସିଲା। ହାଇଦ୍ରାବାଦରେ ଗତ ସପ୍ତାହରେ ଲଗାତାର ବର୍ଷା ହୋଇଥିଲା। ସେଥିପାଇଁ କ୍ୟୁରେଟରଙ୍କୁ ପିଚ୍କୁ ପ୍ରସ୍ତୁତ କରିବାକୁ ପର୍ଯ୍ୟାପ୍ତ ସମୟ ମିଳି ନଥିବ। ଏଣୁ ଏଠାରେ ଏକ ଜୀବନ୍ତ ପିଚ୍ ମିଳିବ ବୋଲି ମୁଁ ଭାବୁଛି। ଯାହା ଅଷ୍ଟ୍ରେଲିଆକୁ ପୁଣି ଥରେ ସୁହାଇବ। ବେହେରେନ୍ଡ୍ରଫ୍ ହାଇଦ୍ରାବାଦରେ ଗୌହାଟୀ ସଫଳତା ଦୋହରାଇ ପାରିଲେ ଅଷ୍ଟ୍ରେଲିଆ ବିଜୟର ସହ ଗସ୍ତ ଶେଷ କରି ପାରିବ। ଯାହା ଆସନ୍ତା ମାସର ଆସେସ୍ ପୂର୍ବରୁ କଙ୍ଗାରୁ ଖେଳାଳିଙ୍କ ପାଇଁ ସଂଜୀବନୀ ସଦୃଶ ହେବ। (ପିଏମ୍ଜି)
ହାଇଦ୍ରାବାଦ ପରିବେଶ ଅଷ୍ଟ୍ରେଲିଆକୁ ସୁହାଇବ: ସୁନୀଲ ଗାଭାସ୍କର
/sambad/media/post_attachments/wp-content/uploads/2017/10/download-5-5.jpg)