ଦିନିକିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିବା ପରେ ଟେ୍ଵଣ୍ଟି-୨୦ରେ ମଧ୍ୟ ଭାରତ ଦାବିଦାର ଦଳ ଭାବେ ଅଭିଯାନ ଆରମ୍ଭ କରିବ। ଭାରତ ଯେଭଳି ଭାବେ ଦିନିକିଆରେ ଜିତିଥିଲା ତାହା ଅଷ୍ଟ୍ରେଲିଆ ଦଳକୁ ଅନେକ ଉତ୍ତର ଦେଇଛି। କିନ୍ତୁ ଖେଳରେ ବିଶେଷ କରି ଟେ୍ଵଣ୍ଟି-୨୦ରେ ଅନିଶ୍ଚିତତା ଥାଏ। ମ୍ୟାଚ୍କୁ ଫେରିବା ଲାଗି ସ୍ୱଳ୍ପ ସମୟ ଥାଏ। ମାତ୍ର ଗୋଟିଏ ଓଭର ମ୍ୟାଚ୍ରେ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇପାରେ।
ଅଷ୍ଟ୍ରେଲିଆ ଦଳ ଏହାର ଶୀର୍ଷ ୩ ବ୍ୟାଟସମ୍ୟାନ୍ ଅରୋନ୍ ଫିଞ୍ଚ୍, ଡେଭିଡ୍ ଓ୍ଵାର୍ନର, ଷ୍ଟିଭେନ୍ ସ୍ମିଥ୍ଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ। ଗ୍ଲେନ୍ ମ୍ୟାକ୍ସେଓ୍ଵଲ୍ ଜଣେ ଚମତ୍କାର ଟେ୍ଵଣ୍ଟି-୨୦ ଖେଳାଳି। କିଛି ବର୍ଷ ତଳେ କେଉଁ ପାକିସ୍ତାନ ଦଳ ପଡ଼ିଆକୁ ଓହ୍ଲାଇବା ନେଇ ଯେଭଳି ଅନିଶ୍ଚିତତା ରହୁଥିଲା, ସେହିଭଳି ଧାରଣା ଦେଇଛନ୍ତି ମ୍ୟାକ୍ସେଓ୍ଵଲ। ସମ୍ପ୍ରତି ତାଙ୍କର କିଛି ଆଉଟ୍ ହିଁ ଭ୍ରୁକୁଞ୍ଚନ ସୃଷ୍ଟି କରିଛି ସତ, କିନ୍ତୁ ଏହି ଶୃଙ୍ଖଳାରେ ଯଦି ତାଙ୍କ ବ୍ୟାଟ୍ ଯଦି ଗର୍ଜିଉଠିବ ତେବେ ସେ ଏକା ମ୍ୟାଚ୍ ଛଡ଼ାଇନେଇ ପାରିବେ। ଓ୍ଵିକେଟ୍ର ଉଭୟ ପାର୍ଶ୍ୱକୁ ସଟ୍ ଖେଳିବାର ଦକ୍ଷତା ତାଙ୍କ ପାଖରେ ରହିଛି। କିନ୍ତୁ ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଯୋଡ଼ି ଫିଞ୍ଚ୍ ଓ ଓ୍ଵାର୍ନରଙ୍କଠାରୁ ବଡ଼ ଆଶା ରହିବ, କାରଣ ଦିନିକିଆ ଶୃଙ୍ଖଳାରେ ଏମାନେ ଭଲ ପ୍ରଦର୍ଶନ କରିଥିଲେ। ଭ୍ରମଣକାରୀ ଦଳର ଅସୁବିଧା ହେଉଛି ବୋଲିଂ। ଭାରତୀୟ ବ୍ୟାଟସମ୍ୟାନ୍ଙ୍କୁ ଆଡ଼ୁଆରେ ପକାଇବା ଭଳି ଦକ୍ଷତାର ଅଭାବ ରହିଛି ଏହି ଦଳ ନିକଟରେ। ଆସେସ ଶୃଙ୍ଖଳା ଦୃଷ୍ଟିରୁ ପ୍ୟାଟ୍ କମିନ୍ସଙ୍କୁ ଅଷ୍ଟ୍ରେଲିଆ ଫେରିଯିବାକୁ ପଡ଼ିଥିବାରୁ ଏବେ ଭାରତୀୟ ବ୍ୟାଟିଂକୁ ଧମକାଇବା ବୋଲର ଏହି ଦଳରେ ନାହାନ୍ତି।
ଶିଖର ଧାଓ୍ଵନଙ୍କ ପ୍ରତ୍ୟାବର୍ତନ ନିଶ୍ଚିତ ଭାରତୀୟ ବ୍ୟାଟିଂକୁ ଦୃଢ଼ କରିଦେବ। ଏଥି ସହ ବାମହାତୀ ଡାହାଣହାତୀ ସମନ୍ଵୟ ନିଶ୍ଚିତ ଅଷ୍ଟ୍ରେଲୀୟଙ୍କୁ ଅଡ଼ୁଆରେ ପକାଇବ। ରୋହିତ ଶର୍ମା ଯୋଭଳି ଖେଳୁଛନ୍ତି ତାଙ୍କୁ ରୋକିବାକୁ ଅଷ୍ଟ୍ରେଲିଆ ବାଟ ପାଉ ନାହିଁ। ଦିନିକିଆ ଶୃଙ୍ଖଳାରେ କୋହଲି ଯେଭଳି ଶତକ ହାସଲ କରନ୍ତୁ ସେଭଳି କରିନଥିଲେ। କିନ୍ତୁ ସେ ବଲ୍କୁ ଭଲ ଖେଳୁଥିଲେ। ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, କୁଲଦୀପ ଯାଦବଙ୍କ ବୋଲିଂ ଏଭଳି ହେଉଛି ଯେ, ଅଷ୍ଟ୍ରେଲିଆ ଭଲ ଆରମ୍ଭ କରୁଥିଲେ ବି ବଡ଼ ସ୍କୋର୍ରୁ ବଞ୍ଚିତ ରହୁଛି। ସେହି ଦୃଷ୍ଟିରୁ ଅଷ୍ଟ୍ରେଲିଆ ପାଇଁ କିଛି ବି ସହଜ ହେବାର ନାହିଁ। ଏ ଭାରତୀୟ ଦଳକୁ ହରାଇବାକୁ ହେଲେ ସେମାନଙ୍କୁ ଟ୍ରିପଲ୍ ‘ଏ’ ଖେଳ ଦେଖାଇବାକୁ ପଡ଼ିବ। (ପିଏମ୍ଜି)।
ଅଷ୍ଟ୍ରେଲିଆ ପାଇଁ ସହଜ ହେବନି: ସୁନୀଲ ଗାଭାସ୍କର
/sambad/media/post_attachments/wp-content/uploads/2017/10/download-3-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)