ନୂଆଦିଲ୍ଲୀ: ଭାରତୀୟ ଲଳନା ଅରୁଣା ବୁଡ଼ା ରେଡ୍ଡୀ ଶନିବାର ଦେଶ ପାଇଁ ନୂଆ ଇତିହାସ ରଚିଛନ୍ତି। ଅଷ୍ଟ୍ରେଲିଆର ମେଲ୍ବୋର୍ନରେ ଚାଲିଥିବା ଜିମ୍ନାଷ୍ଟିକ୍ସ ବିଶ୍ୱକପ୍ରେ ମହିଳା ଭଲ୍ଟରେ କାଂସ୍ୟ ପଦକ ଜିତି ଅରୁଣା ଭାରତ ପାଇଁ କୀର୍ତିମାନ ବହନ କରିଛନ୍ତି। ଏଥି ସହିତ ଜିମ୍ନାଷ୍ଟିକ୍ସ ବିଶ୍ୱକପ୍ରେ ବ୍ୟକ୍ତିଗତ ପଦକ ହାତେଇବାରେ ଅରୁଣା ପ୍ରଥମ ଭାରତୀୟ ବିବେଚିତ ହୋଇଛନ୍ତି। ୨୨ ବର୍ଷ ବୟସ୍କା ଅରୁଣା ୧୩.୬୪୯ ସ୍କୋର୍ ସହ ତୃତୀୟ ସ୍ଥାନ ପାଇଥିଲେ। ଏହି ବର୍ଗରେ ସ୍ଲୋଭେନିଆର ଜାସା କିସ୍ଲେଫ୍ ସ୍ୱର୍ଣ୍ଣ ଏବଂ ଅଷ୍ଟ୍ରେଲିଆର ଇମିଲି ହ୍ଵାଇଟ୍ହେଡ୍ ରୌପ୍ୟ ପଦକ କରାୟତ କରିଥିଲେ। ତେବେ ଏହି ବର୍ଗରେ ସାମିଲ ଥିବା ଅନ୍ୟତମ ଭାରତୀୟ ପ୍ରଣତୀ ନାୟକ (୧୩.୪୧୬ ସ୍କୋର୍) ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ଇତିହାସ ରଚିଥିବା ଅରୁଣା ଜଣେ ପୂର୍ବତନ ବ୍ଲାକ୍ ବେଲ୍ଟ ଓ କରାଟେ ପ୍ରଶିକ୍ଷିକା ଭାବେ ଜଣାଶୁଣା। ୨୦୦୫ରେ ସେ ନିଜର ପ୍ରଥମ ଜାତୀୟ ପଦକ ପାଇଥିଲେ। ଏହାପରେ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭଲ୍ଟର ଯୋଗ୍ୟତାପର୍ଯ୍ୟାୟରେ ସେ ଚତୁର୍ଦଶ ସ୍ଥାନ ଏବଂ ଏସୀୟ କ୍ରୀଡ଼ାରେ ନବମ ସ୍ଥାନ ପାଇଥିଲେ। ପୁଣି ୨୦୧୭ ଏସୀୟ ପ୍ରତିଯୋଗିତାରେ ଭଲ୍ଟରେ ସେ ଷଷ୍ଠ ସ୍ଥାନ ପାଇଥିଲେ। ହେଲେ ମେଲ୍ବୋର୍ନରେ ଏଥର ଜିମ୍ନାଷ୍ଟିକ୍ସ ବିଶ୍ୱକପ୍ରେ ପଦକ ହାତଛଡ଼ା କରିନଥିଲେ। ଆଜିପର୍ଯ୍ୟନ୍ତ କୌଣସି ଭାରତୀୟ ବିଶ୍ୱକପ୍ରେ ପଦକ ଜିତିପାରିନଥିଲା ବେଳେ ଅରୁଣା ପ୍ରଥମ କରି ଗୌରବ ହାତେଇନେଲେ। ପୂର୍ବରୁ ଅବଶ୍ୟ ଆଶିଷ କୁମାର ପ୍ରଥମ ଭାରତୀୟ ଜିମ୍ନାଷ୍ଟ ଭାବେ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଥିଲେ। ଏହାର ୬ ବର୍ଷ ପରେ ୨୦୧୬ ରିଓ ଅଲିମ୍ପିକ୍ସରେ ଦୀପା କର୍ମକାର ଦେଶ ପାଇଁ ଗୋରବ ଆଣିଥିଲେ। ୫୨ ବର୍ଷ ପରେ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିବାରେ ଦୀପା ପ୍ରଥମ ଭାରତୀୟ ଜିମ୍ନାଷ୍ଟ ବିବେଚିତ ହୋଇଥିଲେ।
ଇତିହାସ ରଚିଲେ ଅରୁଣା
ପ୍ରଥମ ଭାରତୀୟ ଭାବେ ଜିତିଲେ ଜିମ୍ନାଷ୍ଟିକ୍ସ ବିଶ୍ୱ କପ୍ ପଦକ
/sambad/media/post_attachments/wp-content/uploads/2018/02/24aruna.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)