ଆରୁଷୀଙ୍କୁ ୨ ସ୍ୱର୍ଣ୍ଣ ସହ ୫ ପଦକ

ଏସୀୟ ବିଦ୍ୟାଳୟ ଚେସ୍‌

ଭୁବନେଶ୍ୱର: ଶ୍ରୀଲଙ୍କାର କଲମ୍ବୋରେ ଶେଷ ହୋଇଥିବା ୧୪ତମ ଏସୀୟ ବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତାରେ ୯ ବର୍ଷରୁ କମ୍‌ ବାଳିକା ବର୍ଗରେ ଓଡ଼ିଆ ଝିଅ ଆରୁଷୀ ଶ୍ରୀଚନ୍ଦନ ଏକାଥରକେ ୫ ପଦକ ଜିତି ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ପ୍ରଥମ ଦିନ ର‍୍ୟାପିଡ୍‌ରେ ବ୍ୟକ୍ତିଗତ କାଂସ୍ୟ ପଦକ ଜିତିଥିବା ଆରୁଷୀ ଦଳଗତ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଶେଷ ଦିନରେ ୫ ମିନିଟିଆ ବ୍ଲିଜ୍‌ରେ କିନ୍ତୁ ୭ ରାଉଣ୍ଡ୍‌ରୁ ୬ ପଏଣ୍ଟ୍‌ ପାଇ ଦଳଗତ ସ୍ୱର୍ଣ୍ଣ ଏବଂ ବ୍ୟକ୍ତିଗତ କାଂସ୍ୟ ପଦକ ହାସଲ କରି ନେଇଥିଲେ। ମୁଖ୍ୟ ବର୍ଗରେ ସେ ରୌପ୍ୟ ପଦକ ହାସଲ କରିଥିଲେ। ଆରୂଷୀଙ୍କୁ ଏସ୍‌ଆର୍‌ ଚେସ୍‌ କେନ୍ଦ୍ରର ସଭାପତି ଶୁଭାଶିଷ ପଟ୍ଟନାୟକ, ଆରୁଷୀଙ୍କ ମେଣ୍ଟର୍‌ ତଥା ପ୍ରଶିକ୍ଷକ ସତ୍ୟରଂଜନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଭୁବନେଶ୍ୱର ଦାରୁଠେଙ୍ଗ ନିବାସୀ ଅଜିତ ଶ୍ରୀଚନ୍ଦନ ଓ ସିପ୍ରା ଶ୍ରୀଚନ୍ଦନଙ୍କ କନ୍ୟା ଆରୁଷୀ ଏବେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ରୀ। ବର୍ତମାନ ତାଙ୍କ ଏଲୋ ରେଟିଂ ୧୧୮୫ ରହିଛି।

ସମ୍ବନ୍ଧିତ ଖବର