ଆର୍ଯ୍ୟନ୍ ଅଦ୍ୱିତୀୟ, ୟୁରୋପୀୟ ଲିଗ୍ ଖେଳିବା ଲକ୍ଷ୍ୟ

ଭୁବନେଶ୍ବର : କିଛି ଗୋଟାଏ ଅଲଗା ଓ ଭିନ୍ନ କରିବା ଲାଗି ମା’ ବାପା ନାଁ ରଖିଥିଲେ ଆର୍ଯ୍ୟନ୍ ବ୍ରାହ୍ମିନ୍। ଅଜଣା ପଥର ପଥିକ ହୋଇ ଆର୍ଯ୍ୟନ୍ ମଧ୍ୟ ଏହାକୁ ସାଥର୍କ କରିଥିଲେ। ଅନେକ ଲୋକପ୍ରିୟ ଖେଳକୁ ଛାଡ଼ି ହ୍ୟାଣ୍ଡବଲ୍ ଭଳି ଅଣପାରମ୍ପରିକ କ୍ରୀଡ଼ାକୁ ପେସା କରିବାକୁ ଅଣ୍ଟା ଭିଡ଼ିଥିଲେ। ପ୍ରଶିକ୍ଷଣ, ପ୍ରୋତ୍ସାହନ ଏବଂ ଭିତ୍ତିଭୂମିର ଅଭାବ ସତ୍ତ୍ବେ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ହ୍ୟାଣ୍ଡବଲ୍ ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ ସେ। ଓଡ଼ିଶା କ୍ରୀଡ଼ାର ଅନ୍ୟତମ ଭବିଷ୍ୟତ ଭାବେ ପରିଗଣିତ ହେଉଥିବା ଆର୍ଯ୍ୟନ୍ କିନ୍ତୁ ଏବେ ଦୋଛକିରେ। ତେବେ ଯେତେ ଝଡ଼ ଝଞ୍ଜା ଆସିଲେ ମଧ୍ୟ ହ୍ୟାଣ୍ଡବଲ୍‌ରେ ଓଡ଼ିଶା ପାଇଁ ଅଧିକ ଗର୍ବ ଓ ଗୌରବ ଆଣିବା ଲକ୍ଷ୍ୟରୁ ସେ ବିଚ୍ୟୁତ ହେବ ନାହିଁ ବୋଲି ଦୃଢ଼ତାର ସହ କୁହନ୍ତି ଏହି ଅଦ୍ବିତୀୟ ପ୍ରତିଭା।

ଅନ୍ତର୍ଜାତୀୟ ସଫଳତା ସତ୍ତ୍ବେ ଦିନକୁ ଦିନ ସମସ୍ୟା ବଢ଼ୁଥିବାରୁ ଖେଳ ଜୀବନକୁ ନେଇ କିଛିଟା ଆଶା ଓ ଆଶଙ୍କାରେ ଅଛନ୍ତି ଆର୍ଯ୍ୟନ୍। ଅର୍ଥାଭାବ ଗୋଟିଏ ପଟୁ ଗୋଡ଼ ଟାଣୁଛି। ଅନ୍ୟପଟୁ ଓଡ଼ିଶାରେ ହ୍ୟାଣ୍ଡବଲ୍ ଲାଗି ବିଜ୍ଞାନ ସମ୍ମତ ପ୍ରଶିକ୍ଷଣ ନ ମିଳିବା ତାଙ୍କ ପାଇଁ ନାନା ଅଡ଼ୁଆ ସୃଷ୍ଟି କରୁଛି। ଆର୍ଯ୍ୟନ୍ ସେଥିପାଇଁ ବାହାରେ ଯାଇ ପ୍ରଶିକ୍ଷଣ ନେବାକୁ ଚାହୁଁଛନ୍ତି। ହେଲେ ଏଥିଲାଗି ସମ୍ବଳ ଯୋଗାଡ଼ କରିବା ଏହି ଅଲିମ୍ପିକ୍ସମୁଖୀ ତାରକାଙ୍କ ପରିବାର ପାଇଁ ଆକାଶ କୟାଁ ଚିଲିକା ମାଛ ଭଳି ହୋଇଛି। ରାଜ୍ୟ ସରକାର ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଆୟୋଜକ ଏବଂ ପ୍ରାୟୋଜକ ହୋଇ ଏଥିଲାଗି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଭୁବନେଶ୍ବରକୁ ଦେଶର କ୍ରୀଡ଼ା କ୍ୟାପିଟାଲ ବୋଲି ଦାବି କରି ଅଜସ୍ର ପ୍ରଶଂସା ସାଉଣ୍ଟୁଛନ୍ତି। ହେଲେ ଓଡ଼ିଶାର ଖେଳାଳିମାନେ ଏଥିରୁ କେତେ ଲାଭବାନ ହେଉଛନ୍ତି? ତାହା ନିଶ୍ଚିତ ଭାବେ ବିତର୍କର ବିଷୟ। ଆର୍ଯ୍ୟନଙ୍କୁ ଏହାର ଜ୍ବଳନ୍ତ ଉଦାହରଣ ଭାବେ ନିଆଯାଇପାରେ।

ଏକଥା ଶତପ୍ରତିଶତ ସତ ଯେ ଓଡ଼ିଶାରେ ହ୍ୟାଣ୍ଡବଲ୍ ପାଇଁ ଉତ୍ସଗୀକୃତ ପଡ଼ିଆଟିଏ ନାହିଁ। ରାଜ୍ୟ ସରକାରଙ୍କ ସ୍ବୀକୃତିପ୍ରାପ୍ତ ଖେଳ ତାଲିକାରେ ଥିଲେ ମଧ୍ୟ ଓଡ଼ିଶାରେ ଦକ୍ଷ ହ୍ୟାଣ୍ଡବଲ୍ ପ୍ରଶିକ୍ଷକଙ୍କର ଅଭାବ ରହିଛି। ଏସବୁ ସତ୍ତ୍ବେ ଆର୍ଯ୍ୟନ୍ ଅଲିମ୍ପିକ୍ସ ଖେଳିବା ଆଶା ନେଇ ଆଗକୁ ବଢ଼ୁଛନ୍ତି। ପାଠ ଓ ଖେଳ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ତାଙ୍କ ପାଇଁ ଆଦୌ ସହଜ ହେଉନି। ପୂର୍ବରୁ ଏକ ଘରୋଇ ଇଂରାଜି ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ଏହି ୧୫ ବର୍ଷୀୟ ଅନନ୍ୟ ପ୍ରତିଭା ଏବେ ଓପନ ସ୍କୁଲରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଛନ୍ତି। ପୁରୁଣା ସ୍କୁଲ ତାଙ୍କୁ ଖେଳରେ ଆଗକୁ ବଢ଼ିବାକୁ ସମର୍ଥନ ନଦେବା ସହ ସିବିଏସ୍‌ଇର ନୂଆ ଉପସ୍ଥାନ ନିୟମ ପାଇଁ ସେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଓପନ୍ ସ୍କୁଲରେ ମାଟ୍ରିକ୍ ପରୀକ୍ଷା ଦେଇ ହ୍ୟାଣ୍ଡବଲ୍ ଉପରେ ଅଧିକରୁ ଅଧିକ ଧ୍ୟାନ ଦେବାକୁ ସେ ଯୋଜନା କରିଛନ୍ତି। ଏଥିଲାଗି ସେ ଏକାଗ୍ରତା, ଅଧ୍ୟବସାୟ ଏବଂ ଶୃଙ୍ଖଳାକୁ ଅସ୍ତ୍ର କରିଛନ୍ତି। ସେ ମଧ୍ୟ ୟୁରୋପର ପ୍ରତିଷ୍ଠିତ ବାର୍ସେଲୋନା ହ୍ୟାଣ୍ଡବଲ୍ ଦଳରୁ ଖେଳିବାକୁ ନିଜ ଜୀବନର ଅନ୍ୟତମ ଲକ୍ଷ୍ୟ କରିଛନ୍ତି।

ଅଜଣା ପଥର ପଥିକ
ସ୍ବଳ୍ପ ପରିଚିତ ହ୍ୟାଣ୍ଡବଲ୍ ଖେଳରେ ଆର୍ଯ୍ୟନ୍ ହେଉଛନ୍ତି ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ତାରକା। ଲଣ୍ଡନରେ ଆୟୋଜିତ କପର ବକ୍ସ ଅନ୍ତର୍ଜାତୀୟ ହ୍ୟା‌ଣ୍ଡବଲ୍ ପ୍ରତିଯୋଗିତାରେ ସେ ନିଜ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହାପରେ ସ୍ପେନ୍‌ର ବାର୍ସେଲୋନାରେ ଅନୁଷ୍ଠିତ ଲୋରେଟ ଅନ୍ତର୍ଜାତୀୟ କପ୍ ସହ ସ୍ବିଡେନର ଗୁଟେନବର୍ଗଠାରେ ଆୟୋଜିତ ୨୧ ବର୍ଷରୁ କମ୍ ହ୍ୟାଣ୍ଡବଲ୍ ବିଶ୍ବକପ୍‌ରେ ମଧ୍ୟ ସେ ଜାତୀୟ ଦଳର ପ୍ରତିନିଧିତ୍ବ କରି ସାରିଛନ୍ତି। ଗତବର୍ଷ ସେପ୍ଟେମ୍ବର ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଉଜ୍‌ବେକିସ୍ଥାନର ତାସକେଣ୍ଟଠାରେ ଆୟୋଜିତ ଇଣ୍ଡିପେଣ୍ଡେଣ୍ଟ୍ କପରେ ଆର୍ଯ୍ୟନ୍ ମଧ୍ୟ ବରିଷ୍ଠ ସ୍ତରୀୟ ଅନ୍ତର୍ଜାତୀୟ ହ୍ୟାଣ୍ଡବଲ୍ ଖେଳି ସାରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତ ଉପବିଜେତା ହୋଇଥିଲା। ସ୍ପେନ୍‌ରେ ଆୟୋଜିତ ୨୧ ବର୍ଷରୁ କମ୍ ବିଶ୍ବକପ୍‌ରେ ଆର୍ଯ୍ୟନ୍୍୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଏହାଛଡ଼ା ଦୂରଦର୍ଶୀ କ୍ରୀଡ଼ା ସମ୍ମାନ, ଝାଡ଼େଶ୍ବରୀ କ୍ଲବ୍ କ୍ରୀଡ଼ା ସମ୍ମାନ ସହ ରାଜ୍ୟପାଳ ଏବଂ କେନ୍ଦ୍ର ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ସେ ମଧ୍ୟ ସମ୍ବର୍ଧିତ ହୋଇସାରିଛନ୍ତି। ଅସଂଖ୍ୟ ଜାତୀୟ ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସେ ବହୁବାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରି ସାରିଛନ୍ତି।

ପିତା ପ୍ରଥମ ଗୁରୁ
ପିତା ଗୌରୀଶଙ୍କର ମିଶ୍ର ଜଣେ ଖେଳାଳି ଥିବାରୁ ଆର୍ଯ୍ୟନ୍ ସ୍ବାଭାବିକ ଭାବେ ପିଲାବେଳୁ ଖେଳ ପ୍ରତି ଆକ‌ର୍ଷିତ ହୋଇଥିଲେ। ହ୍ୟାଣ୍ଡ୍‌ବଲ୍‌କୁ ସେ ନିଜ ପସନ୍ଦର ଖେଳ ଭାବେ ବାଛିବା ପଛରେ ମଧ୍ୟ ଏକ ରୋଚକ କାହାଣୀ ରହିଛି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସର ସିଧା ପ୍ରସାରଣ ଦେଖୁଥିଲା ବେଳେ ହ୍ୟାଣ୍ଡବଲ୍ ଖେଳର ଗତି ଏବଂ ନୀତିକୁ ଦେଖି ଏହାର ପ୍ରେମରେ ପଡ଼ି ଯାଇଥିଲେ ଆର୍ଯ୍ୟନ୍୍। ସଂଯୋଗବଶତଃ ପିତା ଗୌରୀ ଶଙ୍କର ମଧ୍ୟ ନିଜ ସମୟରେ କିଛି ବର୍ଷ ରାଜ୍ୟସ୍ତରରେ ହ୍ୟାଣ୍ଡବଲ୍ ଖେଳିଥିଲେ। ଏଣୁ ପିତାଙ୍କ ପରାମର୍ଶ ଏବଂ ମାର୍ଗଦର୍ଶନରେ ହିଁ ଆର୍ଯ୍ୟନ୍ ହ୍ୟାଣ୍ଡବଲ୍ ଖେଳିବା ଆରମ୍ଭ କରିଥିଲେ। ଗୌରୀଙ୍କ ତାଲିମରେ ଧୀର ଧୀରେ ଆର୍ଯ୍ୟନ୍ଙ୍କ ଖେଳର ସ୍ତର ବଢ଼ିବାକୁ ଲାଗିଥିଲା। ବିଜେପି କଲେଜ ପଡ଼ିଆରେ ପିତା-ପୁତ୍ର ଘଣ୍ଟା ଘଣ୍ଟା ଅଭ୍ୟାସ କରୁଥିଲେ। ପିତାଙ୍କ ସହ ୟୁ-ଟ୍ୟୁବ୍‌ରୁ ଦେଖି ମଧ୍ୟ ସେ ହ୍ୟାଣ୍ଡବଲ୍‌ର କଳା କୌଶଳ ଶିଖନ୍ତି। ଏହା ପରେ ଭୁବନେଶ୍ବର ଦଳରୁ ପ୍ରତିନିଧିତ୍ବ କରି ରାଜ୍ୟ ବିଜେତା ହେବା ପରେ ଝାଡଖଣ୍ଡରେ ଆୟୋଜିତ ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ସେ ଓଡ଼ିଶା ପକ୍ଷରୁ ଖେଳିବାର ସୁଯୋଗ ପାଇଥିଲେ। ସେବେଠାରୁ ‌ସେ ଆଉ ପଛକୁ ଚାହିଁନାହାନ୍ତି। ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରି କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷରେ ସେ ଜଣେ ଉଦୀୟମାନ ହ୍ୟାଣ୍ଡବଲ୍ ତାରକା ଭାବେ ଉଭା ହୋଇଛନ୍ତି। ଏବେ ତାଙ୍କର ଏକମାତ୍ର ଲକ୍ଷ୍ୟ ହେଲା ଭାରତୀୟ ବରିଷ୍ଠ ଦଳରେ ସ୍ଥାନ ପାଇ ଅଲିମ୍ପିକ୍ସ ଖେଳିବା। ହରିଆଣାର ହିସାରରେ ଚାଲିଥିବା ସର୍ବଭାରତୀୟ ପ୍ରତିଯୋଗିତା ଅବସରରେ ଜାତୀୟ ଚୟନକର୍ତା ଆର୍ଯ୍ୟନ୍‌ଙ୍କ ଅନନ୍ୟ ପ୍ରତିଭାକୁ ଚିହ୍ନିବା ତାଙ୍କ ଖେଳ ଜୀବନର ମୋଡ଼ ବଦଳାଇ ଦେଇଥିଲା। ଆର୍ଯ୍ୟନ୍ ଆର୍ଜେଣ୍ଟିନାର ମହାନ ଫୁଟ୍‌ବଲର ଲିଓନେଲ ମେସିଙ୍କୁ ନିଜ ଆଦର୍ଶ କରିଛନ୍ତି। ମେସିଙ୍କ ସଂଘର୍ଷଭରା ସଫଳତା ତାଙ୍କୁ ‌ବେଶ୍ ଅନୁପ୍ରେରିତ କରେ ବୋଲି ସେ କୁହନ୍ତି। ସେହିଭଳି ତାଙ୍କ ପସନ୍ଦର ଖେଳାଳି ହେଲେ ହ୍ୟାଣ୍ଡ୍‌ବଲ୍‌ର ଭଗବାନ ଭାବେ ପରିଚିତ ଡେନମାର୍କର ମିକେଲ ହାନସନ।

ସମ୍ମାନ ମିଳିଛି, ସାହାଯ୍ୟ ନାହିଁ
ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ସଫଳତା ଲାଗି ଆର୍ଯ୍ୟନ୍ ଅନେକ ସମ୍ମାନ ଏବଂ ସମ୍ବର୍ଧନା ମିଳିଛି। ହେଲେ ଏପର୍ଯ୍ୟନ୍ତ କୌଣସିଠାରୁ ଆଖିଦୃଶିଆ ଆର୍ଥିକ ସହଯୋଗ କିମ୍ବା ସମର୍ଥନ ମିଳିନାହିଁ। ଏଣୁ ସେ ନିଜସ୍ବ ଉଦ୍ୟମ ଏବଂ ସମ୍ବଳରେ ହିଁ ଆଗକୁ ବଢ଼ିଚାଲିଛନ୍ତି। ଅନେକ ଲୋକ ଏବଂ ସଂସ୍ଥା ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଏହାକୁ ପୂରଣ କରିନାହାନ୍ତି। ଓଡ଼ିଶା ଛାଡ଼ିବାକୁ କିନ୍ତୁ ଆର୍ଯ୍ୟନ୍ ଚାହୁଁନାହାନ୍ତି। ପୁଅର ଭବିଷ୍ୟତ ପାଇଁ ପିତା ଗୌରୀଶଙ୍କର ବିକଳ୍ପ ବ୍ୟବସ୍ଥା କରିବାକୁ ମଧ୍ୟ ଚିନ୍ତା କରୁଛନ୍ତି। ବିଶେଷକରି ବାହାରେ ଯାଇ ପ୍ରଶିକ୍ଷଣ ନେବାର ବ୍ୟବସ୍ଥା ପାଇଁ ସେ ଚିନ୍ତିତ ଅଛନ୍ତି। କାରଣ ଏଥିଲାଗି ମୋଟା ଅଙ୍କର ଅର୍ଥର ଆବଶ୍ୟକତା ରହିଛି। ସେହିଭଳି ହ୍ୟାଣ୍ଡବଲ୍ ପାଇଁ କଳିଙ୍ଗ ଷ୍ଟାଡିୟମରେ ଏକ ସ୍ବତନ୍ତ୍ର ପଡ଼ିଆ ଦେବାକୁ ଗୌରୀଶଙ୍କର ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି। ଏହା ହେଲେ ଫୁଟବଲ୍ ପରେ ୟୁରୋପର ଦ୍ବିତୀୟ ଲୋକପ୍ରିୟ ଖେଳ ହ୍ୟାଣ୍ଡ୍‌ବଲ୍‌ରେ ମଧ୍ୟ ଓଡ଼ିଶାରୁ ଅଧିକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହୋଇପାରିବେ ବୋଲି ସେ ଦୃଢ଼ତାର ସହ କହିଛନ୍ତି। ଆର୍ଯ୍ୟନ୍‌ଙ୍କ ପାଇଁ ଗୌରୀଶଙ୍କର ରାଜ୍ୟପାଳ ଏବଂ କ୍ରୀଡ଼ାମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ହେଲେ ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିନି ବୋଲି ସେ ଦୁଃଖର ସହ କୁହନ୍ତି। ଜଣେ ଖେଳାଳି ପ୍ରତିଷ୍ଠିତ ହେବା ପରେ ନୁହେଁ ଏଥିଲାଗି ପ୍ରଚେଷ୍ଟା କଲା ବେଳେ ରାଜ୍ୟର ପ୍ରତିଭାବାନ ଖେଳାଳିମାନଙ୍କୁ ଆର୍ଥିକ ସହାୟତା ଦେବାର ନୀତି ପ୍ରଣୟନ କରିବାକୁ ସେ ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର