ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜସ୍ବ ସନ୍ତାନ ଜନ୍ମ ଏକ ପ୍ରାଥମିକ ଅଧିକାର। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ଅନୁସାରେ ଓଡ଼ିଶାରେ ଦମ୍ପତିଙ୍କ ଯେଉଁଭଳି ପ୍ରଜନନ କ୍ଷମତା ହ୍ରାସ ପାଉଛି ଅନେକଙ୍କ ମାତାପିତା ହେବାର ସ୍ବପ୍ନକୁ ଧୂଳିସାତ୍ କରୁଛି। ୧୯୯୨-୯୩ (ଏନ୍‌ଏଫ୍‌ଏଚ୍‌ଏସ୍‌-୧)ରେ ପ୍ରଜନନ ହାର ୨.୯% ଥିଲା। ୨୦୧୯-୨୧ (ଏନ୍‌ଏଫ୍‌ଏଚ୍‌ଏସ୍‌-୫)ରେ ଏହା ୧.୮%ରେ ପହଞ୍ଚିଛି। ୧୯୯୮-୯୯ରେ ୨.୫%, ୨୦୦୫-୦୬ରେ ୨.୪%, ୨୦୧୫-୧୬ରେ ୨.୧% ଥିଲା। ବର୍ତ୍ତମାନ ଯେଉଁଭଳି ଅବସ୍ଥା ରହିଛି ଆଗାମୀ ଦିନରେ ପ୍ରଜନନ କ୍ଷମତା ହ୍ରାସ ପାଇବାର ଆଶଙ୍କା କରାଯାଉଛି।

Advertisment

ଏଥିପାଇଁ କେବଳ ମହିଳାଙ୍କ ବିଳମ୍ବରେ ବିବାହ, ଦୀର୍ଘଦିନ ଧରି ପ୍ରୋଟେକ୍ସନର ବ୍ୟବହାର ନୁହେଁ ବରଂ ପୁରୁଷଙ୍କ ଶୁକ୍ରାଣୁ ହ୍ରାସ ମଧ୍ୟ ସମାନ ପରିମାଣରେ ଦାୟୀ। ମହିଳା ଏବଂ ପ୍ରସୂତି ବିଭାଗ ଡାକ୍ତର ସୁଜାତା କରଙ୍କ ଅନୁସାରେ, ଗବେଷଣା ରିପୋର୍ଟ ଅନୁଯାୟୀ, ୭୦ ବର୍ଷ ମଧ୍ୟରେ ପୁରୁଷଙ୍କ ଶୁକ୍ରାଣୁ ୫୦ ପ୍ରତିଶତ ହ୍ରାସ ପାଇଛି। ପରିବେଶ ଏବଂ ଜୀବନଶୈଳୀ ସହିତ ମାତ୍ରାଧିକ ଫାଷ୍ଟଫୁ଼ଡ ଖାଇବା, ନିଶାଦ୍ରବ୍ୟ ସେବନ, ଆବଶ୍ୟକ ପରିମାଣରେ ଶୋଇବାର ଅଭାବ, କମ୍ପ୍ୟୁଟର ଓ ମୋବାଇଲର ଅତ୍ୟଧିକ ବ୍ୟବହାର ଯୋଗୁଁ ଏଭଳି ହେଉଛି। ଓଡ଼ିଶା ପରିପ୍ରେକ୍ଷୀରେ ନିଶା ସହିତ ମଧୁମେହ ଏବଂ ମାତ୍ରାଧିକ ଚିନ୍ତା ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟାକୁ କମାଇବାରେ ଲାଗିଛି। ଯାହାର ସିଧାସଳଖ ପ୍ରଭାବ ପ୍ରଜନନ କ୍ଷମତା ଉପରେ ପଡ଼ୁଛି। ଆହୁରି ମଧ୍ୟ ବର୍ତ୍ତମାନ ଛାଡ଼ପତ୍ର ଅଧିକ ହେବା ସହିତ ଦ୍ବିତୀୟ ବିବାହ ମଧ୍ୟ ବଢୁଛି। ସେତେବେଳକୁ ଉଭୟ ମହିଳା ଏବଂ ପୁରୁଷଙ୍କ ବୟସ ଅଧିକ ହୋଇଯାଉଛି। ସେମାନେ ସନ୍ତାନ କରିବା ପାଇଁ ଚାହିଁଲେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆଇଭିଏଫ୍‌ ପ୍ରତି ମହିଳାଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରେ ଲାଗିଛି। କିନ୍ତୁ ଦେଶରେ ଏମ୍‌ସ ଦିଲ୍ଲୀ ସମେତ ସୀମିତ ସଂଖ୍ୟକ ବଡ଼ ଡାକ୍ତରଖାନା ବ୍ୟତୀତ କୌଣସି ସ୍ଥାନରେ ମଧ୍ୟ ଆଇଭିଏଫ୍ କେନ୍ଦ୍ର ନାହିଁ।

ରାଜ୍ୟରେ ଏମ୍‌ସ ଭୁବନେଶ୍ବର, କଟକ ଏସ୍‌ସିବି ଭଳି ଡାକ୍ତରଖାନା ଥିବା ସତ୍ତ୍ବେ ଏଠାରେ ସେହି ସୁବିଧା ନାହିଁ। ଏମ୍‌ସ, ଭିମସାର ସମେତ କିଛି ସରକାରୀ ଡାକ୍ତରଖାନାରେ ଆଇଭିଏଫ୍ କେନ୍ଦ୍ର ଖୋଲିବା ପାଇଁ ଯୋଜନା ରହିଥିଲେ ମଧ୍ୟ ଏହା ପ୍ରାଥମିକ ସ୍ତରରେ ରହିଛି। ଘରୋଇ ଡାକ୍ତରଖାନାଗୁଡ଼ିକରେ ଆଇଭିଏଫ୍ ଜରିଆରେ ମାତାପିତା ହେବା ଅନେକ ଦମ୍ପତିଙ୍କ ପାଇଁ ଖର୍ଚ୍ଚବହୁଳ ହେଉଛି। ଗରିବ ଦମ୍ପତିଙ୍କ ମାତାପିତା ହେବା ସ୍ବପ୍ନ ପୂରଣ ପାଇଁ ସରକାର ଏଥିପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ବିଶେଷଜ୍ଞଙ୍କ ଅନୁସାରେ ବିଶ୍ବବ୍ୟାପୀ ଆଇଭିଏଫ୍‌ର ସଫଳତା ହାର ମାତ୍ର ୩୦ରୁ ୪୦ ପ୍ରତିଶତ ରହିଛି। ଡାକ୍ତର କରଙ୍କ ଅନୁସାରେ, ମହିଳାଙ୍କ ବୟସ ୩୦ ଏବଂ ପୁରୁଷଙ୍କ ଶୁକ୍ରାଣୁ ୫୦ ପ୍ରତିଶତ ରହିଥିଲେ ଆଇଭିଏଫ୍‌ର ପ୍ରଥମ ଚକ୍ରରେ ଦମ୍ପତି ଗର୍ଭବତୀ ହେବାର ୫୦ ପ୍ରତିଶତ ସମ୍ଭାବନା ଥାଏ। ଦ୍ବିତୀୟ ଏବଂ ତୃତୀୟ ଚକ୍ରରେ ଏହି ସମ୍ଭାବନା ୭୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଏ। ଏହା ମଧ୍ୟ ମହିଳାଙ୍କ ବୟସ ଏବଂ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ଉପରେ ନିର୍ଭରଶୀଳ। ମହିଳାଙ୍କ ବୟସ ୩୦ରୁ ଅଧିକ ଥିଲେ ଆଇଭିଏଫ୍‌ ଜରିଆରେ ସେ ମାଆ ହୋଇ ପାରିବେ କିନ୍ତୁ ସଫଳତା ହାର ହ୍ରାସ ପାଇଯାଏ। ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟାର ନିୟନ୍ତ୍ରଣ ପାଇଁ ସେମାନେ ନିଜ ପକ୍ଷରୁ ପଦକ୍ଷେପ ନେବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି। ବିଳମ୍ବରେ ମାଆ ହେବାପାଇଁ ଚାହୁଥିବା ମହିଳା ଭବିଷ୍ୟତ ପାଇଁ ବର୍ତ୍ତମାନ ଡିମ୍ବାଣୁ ସଂରକ୍ଷିତ କରି ରଖୁଛନ୍ତି।