ସବୁଦିନ ବିପର୍ଯ୍ୟୟ ଘଟେନି, ଭାରତ ପଲା ଭାରୀ ରହିବ: ସୌରଜିତ

‘ଖେଳାଳି ନଚାହିଲେ ଓଡ଼ିଶା କ୍ରିକେଟ୍‌ ଆଗକୁ ବଢିବନି’

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍ ଦଳର ପୂର୍ବତନ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ସୌରଜିତ ମହାପାତ୍ର ଶନିବାର ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ କୁଇଜ୍ ପୁରସ୍କାର’ ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସଂପ୍ରତି ଓଡ଼ିଶା ବରିଷ୍ଠ କ୍ରି‌କେଟ୍ ଦଳର ଚୟନକର୍ତ୍ତା ଥିବା ଶ୍ରୀ ମହାପାତ୍ର ଏହି ଅବସରରେ ଓଡ଼ିଶା କ୍ରିକେଟ୍‌ର ଭବିଷ୍ୟତ, ସାଂପ୍ରତିକ ସ୍ଥିତି, ଆଗାମୀ ପିଢ଼ିଠାରୁ ଆଶା ଏବଂ ରବିବାରର ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମହାଟକ୍କର ଉପରେ ବିସ୍ତୁତ ମତ ରଖିଥିଲେ। ଏହି ଅବସରରେ ଢେର କିଛି ବର୍ଷ ଧରି ଓଡ଼ିଶାର ଏକନମ୍ବର ଦ୍ରୁତ ବୋଲର ଥିବା ସୌରଜିତଙ୍କୁ ଭେଟିଥିଲେ ଦେବାଶିଷ ସୁନ୍ଦରାୟ।

ପ୍ରଶ୍ନ: ଅଶି ଦଶକରେ ଆପଣ ଯେତେବେଳେ ଓଡ଼ିଶା କ୍ରିକେଟ୍‌ର ଅନ୍ୟତମ ପ୍ରମୁଖ ବୋଲର ଥିଲେ, ସେତେବେଳେ ପୂର୍ବାଞ୍ଚଳ ଦଳରେ ଅନ୍ୟୂନ ୪-୫ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଉଥିଲେ। ହେଲେ ଦେଓଧର ଟ୍ରଫି ପାଇଁ ଚଳିତ ସପ୍ତାହରେ ଘୋଷିତ ହୋଇଥିବା ପୂର୍ବାଞ୍ଚଳ ଦଳରେ ଏଥର ମାତ୍ର ଜଣେ ଓଡ଼ିଆ ଖେଳାଳି ସ୍ଥାନ ପାଇଥିଲେ। ଜଣେ ଷ୍ଟାଣ୍ଡବାଏ ଅଛନ୍ତି। ଏହାର ପ୍ରମୁଖ କାରଣଗୁଡ଼ିକ କ’ଣ ବୋଲି ଆପଣ ଭାବୁଛନ୍ତି।

ସୌରଜିତ: ଓଡ଼ିଶା କ୍ରିକେଟ୍ ଏବେ ବ୍ୟାପକ ପରିବର୍ତ୍ତନ ଦେଇ ଗତି କରୁଛି। ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ଯାଉଛି। ସେଥିପାଇଁ ଆପଣକୁ ଧୈର୍ଯ୍ୟ ରଖିବାକୁ ହେବ। ମୁଁ କିନ୍ତୁ ଏକଥା ଦୃଢ଼ତାର ସହ କହିପାରିବି ଯେ ଓଡ଼ିଶା କ୍ରିକେଟ୍ ସଂଘ ଖେଳାଳିଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ସୁଯୋଗ ଏବଂ ମଞ୍ଚ ପ୍ରଦାନ କରୁଛି। ଖେଳାଳିଙ୍କ ଅଗ୍ରଗତି ଉପରେ ନଜର ରଖିବା ଲାଗି ସ୍ବତନ୍ତ୍ର ଆପ୍ ଜାରି କରାଯାଇଛି। ହେଲେ ଖେଳାଳିଙ୍କୁ ମଧ୍ୟ ଅନ୍ୟ ରାଜ୍ୟର ଖେଳାଳିଙ୍କ ସହ ତାଳ ଦେଇ ଭଲ ପ୍ରଦର୍ଶନ କରିବାକୁ ହେବ। ବ୍ୟକ୍ତିଗତ ଭାବେ ସେମାନଙ୍କୁ ଆଖିଦୃଶିଆ ପ୍ରଦର୍ଶନ କରିବାକୁ ହେବ। ତା’ ପରେ ଯାଇ ଆମେ ଜୋନାଲ ଏବଂ ଅନ୍ୟ ଜାତୀୟସ୍ତରୀୟ ଦଳ ଲାଗି ଦୃଢ଼ତାର ସହ ଦାବି ଉପସ୍ଥାପନା କରିପାରିବା।
ପ୍ରଶ୍ନ: ଆପଣ ଭାବୁଛନ୍ତି କି ଓଡ଼ିଶା କ୍ରିକେଟ୍‌ରେ ଏବେ ଭଲ ଦ୍ରୁତ ବୋଲରଙ୍କର ଘୋର ଅଭାବ ରହିଛି। ଓଡ଼ିଶାରେ ଦ୍ରୁତ ବୋଲିଂର କଳା ଓ କୌଶଳ ଧୀରେଧୀରେ ମରିମରି ଯାଉଛି କି?

ସୌରଜିତ: ନାଁ ସେମିତି ନୁହେଁ। ଆମ ପିଢ଼ି ପରେ ଦେବାଶିଷ ମହାନ୍ତି, ବସନ୍ତ ମହାନ୍ତି, ରାଜେଶ ମହାନ୍ତି, ଆଲୋକ ବାରିକ, ଦୀପକ ମଙ୍ଗରାଜଙ୍କ ଭଳି ଭଲ ବୋଲର ଆ‌ସିଛନ୍ତି। ନଟରାଜ ବେହେରା, ଗୋବିନ୍ଦ ପୋଦ୍ଦାରଙ୍କ ଭଳି ବ୍ୟାଟର୍‌ ରାଜ୍ୟକୁ ମିଳିଛି। ମୁଁ କହିବି ନବେ ଦଶକ ଏବଂ ତା’ର କିଛି ପରବର୍ଷ ସବୁ ଦୃଷ୍ଟିରୁ ଓଡ଼ିଶା କ୍ରିକେଟ୍‌ର ସ୍ବର୍ଣ୍ଣିମ ଯୁଗ ଥିଲା। ସେତେବେଳେ ଶିବ ସୁନ୍ଦର ଦାସ, ଦେବାଶିଷ ମହାନ୍ତି, ପି ଜୟଚନ୍ଦ୍ର, ପ୍ରଭଜ୍ଞନ ମଲ୍ଲିକ, ରଶ୍ମି ପରିଡ଼ା‌ଙ୍କ ଭଳି ଖେଳାଳି ଆମ ପାଖରେ ଥିଲେ। ଏମାନେ ସମସ୍ତେ ଜାତୀୟ ଦଳକୁ ଯିବା ଲାଗି କବାଟ ଠକ୍‌ଠକ୍ କରୁଥିଲେ।

ପ୍ରଶ୍ନ: ଓଡ଼ିଶା କ୍ରିକେଟ୍‌ର ଜଣେ ହେଲେ ବି ଖେଳାଳି ଏବେ ଜାତୀୟ ଚୟନକର୍ତ୍ତାଙ୍କ ରାଡାରରେ ଥିଲା ଭଳି ମନେ ହେଉନି। ଆମ ଖେଳାଳିଙ୍କ ଲକ୍ଷ୍ୟ ଏବଂ ସ୍ବପ୍ନ କ୍ରମଶଃ ଛୋଟ ହୋଇଚାଲିବା ଏହାର କାରଣ ବୋଲି କହିପାରିବା କି? ଆମ ଖେଳାଳିଙ୍କ ସେଭଳି ଏକାଗ୍ରତା ରହୁନି ବୋଲି କୁହାଯାଇପାରେ କି?
ସୌରଜିତ: ହଁ କେତେକାଂଶରେ ଏହି ସବୁ ଅଭିଯୋଗ ସତ। ଆମ ଖେଳାଳି ସମ୍ଭବତଃ ବଡ଼ ଲକ୍ଷ୍ୟ ରଖୁନାହାନ୍ତି। ସେମାନେ ଏକପ୍ରକାର ଅଳ୍ପକେ ସନ୍ତୁଷ୍ଟ ହୋଇଯାଉଛନ୍ତି ବୋଲି ବ୍ୟକ୍ତିଗତ ଭାବେ ମୁଁ ହୃଦୟଙ୍ଗମ କରୁଛି। ସଂଘ, ପ୍ରଶିକ୍ଷକ କିମ୍ବା ଚୟନକର୍ତ୍ତା ଚାହିଁଲେ କିଛି କରିପାରିବେ ନାହିଁ। ସେମାନେ କେବଳ ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢ଼ିବା ଲାଗି ପ୍ରବର୍ତ୍ତାଇ ପାରିବେ। ନିଜ ପ୍ରଦର୍ଶନକୁ କିଭଳି ଉଚ୍ଚକୋଟୀର କରିହେବ, ସେକଥା‌ ଖେଳାଳିଙ୍କୁ ବ୍ୟକ୍ତିଗତ ଭାବେ ହିଁ ଚିନ୍ତା କରିବାକୁ ହେବ। ନିଜ ପ୍ରଦର୍ଶନକୁ ଗଭୀର ଭାବେ ଅନୁଶୀଳନ କରିବାକୁ ହେବ। ଅନ୍ୟଥା ଯେତେ ସୁବିଧା ସୁଯୋଗ ଦେଲେ ବି କିଛି ଲାଭ ହେବନି।

ପ୍ରଶ୍ନ: ଓଡ଼ିଶା କ୍ରିକେଟ୍‌ର ଭବିଷ୍ୟତକୁ ଆପଣ କିଭଳି ଭାବେ ବ୍ୟାଖ୍ୟା କରିବେ?
ସୌରଜିତ: ମୁଁ ଜଣେ ସକାରାତ୍ମକ ବ୍ୟକ୍ତି। ଏଣୁ ଓଡ଼ିଶା କ୍ରିକେଟ୍‌ର ଭବିଷ୍ୟତ ନିଶ୍ଚିତ ଭାବେ ଉଜ୍ଜ୍ବଳ ବୋଲି କହିବି। ହେଲେ ଏଥିଲାଗି ଖେଳାଳି, କ୍ରିକେଟ୍ ସଂଗଠକ, ପ୍ରଶିକ୍ଷକ ଏବଂ ପୂର୍ବତନ ଖେଳାଳି, ସମସ୍ତଙ୍କୁ ସଚ୍ଚୋଟତାର ସହ ପ୍ରୟାସ କରିବାକୁ ହେବ। ନିଷ୍ଠାର ସହ ପରିଶ୍ରମ କଲେ ନିଶ୍ଚିତ ଭାବେ ସୁଫଳ ମିଳିବ।
ପ୍ରଶ୍ନ: ଶେଷରେ ରବିବାର ଭାରତ-ପାକିସ୍ତାନ ଏସିଆ କପ୍ ଟକ୍କର ନେଇ ଆପଣଙ୍କ ମତାମତ କ’ଣ। ଆସନ୍ତାକାଲି ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରୁ କିଏ ଜିତିବ ବୋଲି ଆପଣ ଭାବୁଛନ୍ତି?

ସୌରଜିତ: କ୍ରିକେଟ୍‌ରେ କିଛି ବି ଭବିଷ୍ୟବାଣୀ କରିହୁଏନାହିଁ। ହେଲେ ଭାରତ ବହୁତ ବଡ଼ ଦଳ। ଟିମ୍ ଇଣ୍ଡିଆର ସ୍ତର ପାକିସ୍ତାନଠାରୁ ଢେର ଉନ୍ନତ ଓ ଅଧିକ। ସେହିଦୃଷ୍ଟିରୁ ଏହି ମ୍ୟାଚ୍‌ରେ ଭାରତ ପଲା ଭାରି ରହିବ ବୋଲି ମୁଁ କହିପାରିବି। ହଁ, ଆପଣ ଏକଥା ଯୁକ୍ତି କରିପାରନ୍ତି ଯେ ଗତ ମୁକାବିଲାକୁ ପାକିସ୍ତାନ ୧୦ ୱିକେଟ୍‌ରେ ଜିତି ନେଇଥିଲା। ହେଲେ କେବେ କେବେ କ୍ରିକେଟ୍‌ରେ ଏମିତି ହୁଏ। ଅଣ୍ଡରଡଗ୍‌ ବି ଶକ୍ତିଶାଳୀ ଦଳକୁ ମାତ୍ ଦେଇଥାଏ। ରବିବାର କିନ୍ତୁ ଏଭଳି କିଛି ହେବନି ବୋଲି ଭାବୁଛି। କ୍ରିକେଟ୍‌ ପଡ଼ିଆରେ ସବୁଦିନ ବିପର୍ଯ୍ୟୟ ଘଟେନି।

ସମ୍ବନ୍ଧିତ ଖବର