ସବୁ ସମୟର ଦାସ: ଜୋତା ବିକୁଛନ୍ତି ପାକିସ୍ତାନ ଅମ୍ପାୟାର ଅସଦ୍ ରୌଫ୍‌

ଇସ୍‌ଲାମ୍‌ବାଦ୍‌:  ୧୭୦ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚରେ ଅମ୍ପାରିଂ । ୪୯ ଟେଷ୍ଟ, ୯୮ ଏକ ଦିବସୀୟ ଆଉ ୨୩ ଟି-୨୦ ମ୍ୟାଚ୍ । ଆଇସିସି ଏମ୍ପାୟାର୍ସ ଏଲିଟ୍ ପ୍ୟାନେଲରେ ସେ ଜଣେ ସଦସ୍ୟ । ୨୦୦୦ରୁ ୨୦୧୩ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଅମ୍ପାରିଂ କରିଥିବା ପାକିସ୍ତାନୀ ଅମ୍ପାୟାର ଅସଦ୍ ରୌଫ୍ ଏବେ ଦୋକାନରେ ବସି ଜୋତା ବିକୁଛନ୍ତି ।

ଦେଖନ୍ତୁ ଏହି ଚେହେରାକୁ, ଟିଭି ପରଦାରେ କ୍ରିକେଟ୍ ଫିଲ୍ଡରେ ନିଶ୍ଚୟ ତାଙ୍କୁ ଦେଖିଥିବେ । ହେଲେ କେବେ ଭାବି ନଥିବେ ତାଙ୍କୁ ଏମିତି ଦୋକାନରେ ଜୋତା ବିକ୍ରି କରୁଥିବା ଅବସ୍ଥାରେ ଦେଖିବାକୁ । ବିଶ୍ୱାସ ଲାଗୁନଥିଲେ ମଧ୍ୟ ଏହା ସତ । ପରିସ୍ଥିତି ତାଙ୍କୁ ଏଭଳି କରିବାକୁ ବାଧ୍ୟ କରିଛି । ଲାହୋରର ଲାଣ୍ଡା ବଜାରରେ ଏକ ଦୋକାନ ଖୋଲିଛନ୍ତି ଅସଦ୍ ରୌଫ ।

୬୬ ବର୍ଷିୟ ଅସଦ୍ ୨୦୧୩ ମସିହାରୁ କ୍ରିକେଟ୍ ଜଗତରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି । ୨୦୧୩ରେ ଅସଦଙ୍କ ବିରୋଧରେ ସ୍ପଟ୍ ଫିକ୍ସିଂ ଅଭିଯୋଗ ଆସିଥିଲା । ଆଇପିଏଲ୍ ରେ ଅମ୍ପାୟାରିଂ କରୁଥିବା ବେଳେ ଅସଦ୍ ବୁକିଙ୍କଠାରୁ ମୋଟା ରକମର ଗିଫ୍ଟ ନେଇଥିବାର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ତଦନ୍ତ କରିଥିଲା ଡିସିପ୍ଲିନାରି କମିଟି । ୨୦୧୬ରେ କମିଟି ରିପୋର୍ଟରେ ଅସଦ୍ ଦୋଷୀ ସାବ୍ୟସ୍ତ ହେବା ପରେ ବିସିସିଆଇ ତାଙ୍କୁ ୫ ବର୍ଷ ପାଇଁ ବ୍ୟାନ୍ କରିଥିଲା ।

୨୦୧୨ରେ ଅସଦଙ୍କ ବିରୋଧରେ ଯୌନ ଶୋଷଣ ଓ ପ୍ରତାରଣା ଅଭିଯୋଗ ଆସିଥିଲା । ବିବାହ କରିବାର ପ୍ରତିଶ୍ରୁତି ଦେଇ ଅସଦ ଶାରୀରିକ ସମ୍ପର୍କ ରଖିଥିଲେ, ଏବଂ ପରେ ପ୍ରତାରଣା କରିଥିଲେ ବୋଲି ମୁମ୍ବାଇର ଜଣେ ମଡେଲ୍ ଅଭିଯୋଗ କରିଥିଲେ ।

ତେବେ ମ୍ୟାଚ୍ ଫିକ୍ସିଂ ଏବଂ ଯୌନ ଶୋଷଣ ଅଭିଯୋଗକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି ଅସଦ୍ । କେବଳ ରୋଗିଣା ପୁଅକୁ ଅଧିକ ସମୟ ଦେବା ପାଇଁ ସେ କ୍ରିକେଟ୍ ଜଗତଠାରୁ ଦୂରେଇ ଯାଇଛନ୍ତି ବୋଲି ଅସଦ୍ ରୌଫ୍ କହିଛନ୍ତି ।

ସମ୍ବନ୍ଧିତ ଖବର