ଭୁବନେଶ୍ବର: ଓଡ଼ିଶାର ଅଗ୍ରଣୀ ଦୁଃସାହସିକ କ୍ରୀଡ଼ା ଅନୁଷ୍ଠାନ ‘ଆସା’ ପକ୍ଷରୁ ଚଣ୍ଡିଗଡ଼ର ଜାତୀୟ ଦୁଃସାହସିକ ପ୍ରତିଷ୍ଠାନ ଆନୁକୂଲ୍ୟରେ ମାଉଣ୍ଟ୍ କାନାମୋ ଗିରିଶୃଙ୍ଗ ଅଭିଯାନ ସଫଳତାର ସହ ସମ୍ପନ୍ନ ହୋଇଛି। ‘ଆସା’ର ସମ୍ପାଦକ ତଥା ପ୍ରଥମ ଓଡ଼ିଆ ପୁରୁଷ ଏଭେରେଷ୍ଟର୍‌ ଗଣେଶ ଚନ୍ଦ୍ର ଜେନା ଏହି ଅଭିଯାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଜାତୀୟ ପ୍ରତିଷ୍ଠାନର ଯୁଗ୍ମ ସମ୍ପାଦକ ରାକେଶ କୁମାର ଏବଂ ଓଡ଼ିଶାର ଅନ୍ୟତମ ମହିଳା ପର୍ବତାରୋହୀ ପ୍ରଭାସିନୀ ବେହେରା, ଅଜିତ ପାଢ଼ୀଙ୍କ ସହ ରାଜ୍ୟ ବାହାରୁ ରଜନୀ ସ (ଉତ୍ତର ପ୍ରଦେଶ), ସୁମିତ କୁମାର (ହରିୟାଣା), ସନ୍ଦୀପ ଠାକୁର (ହିମାଚଳ ପ୍ରଦେଶ) ଏହି ଅଭିଯାନରେ ସାମିଲ ଥିଲେ। ଅଗଷ୍ଟ ୧୧ ତାରିଖରୁ  ଆରମ୍ଭ ହୋଇଥିବା ଏହି ଅଭିଯାନ ୧୭ ତାରିଖରେ ଶେଷ ହୋଇଥିଲା।

Advertisment

ପ୍ରତିକୂଳ ପାଗ ସତ୍ତ୍ବେ କେବଳ ଗଣେଶ ଚନ୍ଦ୍ର ଜେନା, ପ୍ରଭାସିନୀ ବେହେରା, ସୁମିତ କୁମାର ଓ ସନ୍ଦୀପ କୁମାର ଶିଖରରେ ପହଞ୍ଚିପାରିଥିଲେ। ଏମାନେ କାନାମୋ ଶିଖରରେ ୭୯ତମ ସ୍ବାଧୀନତା ଦିବସ ଅବସରରେ ୭୯ ମିଟର୍‌ ଲମ୍ବାର ଜାତୀୟ ପତାକା ଉଡ଼ାଇଥିବାରୁ ନିଜକୁ ଗୌରବାନ୍ବିତ ମନେ କରିଛନ୍ତି। ଓଡ଼ିଶା ଫେରିବା ପରେ ମଙ୍ଗଳବାର ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ବିଜୟ କୁମାର ସାସମଲ, ଭାର୍ଗବ ବିହାରୀ, ଅଶୋକ ମହାନ୍ତି, ହରେଶ ମିଶ୍ର, ଶକ୍ତି ରଞ୍ଜନ ମହାନ୍ତି. ଶିବ ଶଙ୍କର ପଣ୍ଡା, ଚିନ୍ମୟ ମହାରଣା, ଦୀପକ କୁମାର ମହନ୍ତ, ବିକ୍ରମ କେଶରୀ ଦାସ, ପୃଥ୍ୱୀରାଜ ଦଣ୍ଡସେନା, କ୍ରୀଡ଼ା ଓ ଯୁବସେବା ବିଭାଗର ଓଏସ୍‌ଡି ବିଜୟ କୁମାର ରାଉତ ପ୍ରମୁଖ ସ୍ବାଗତ ସମ୍ବର୍ଧନା ଜଣାଇଥିଲେ।