ଆବୁ ଧାବି : ଆଫ୍‌ଗାନିସ୍ତାନ କ୍ରିକେଟ୍‌ର ପୁରୁଖା ଖେଳାଳି ତଥା ପୂର୍ବତନ ଅଧିନାୟକ ଅସଗର ଆଫଗାନ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଅବସରରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରବିବାର ନାମିବ୍ୟା ବିପକ୍ଷ ବିଜୟ ପୂର୍ବରୁ ସେ ନିଜ ଅବସର ବିଷୟରେ ସୂଚନା ଦେଇଥିଲେ। ୩୩ ବର୍ଷୀୟ ଆଫଗାନ୍‌ ୬ ଟେଷ୍ଟ୍, ୧୧୪ ଦିନିକିଆ ଅନ୍ତର୍ଜାତୀୟ ଏବଂ ୭୫ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ସହ ‌ନିଜ ଖେଳ ଜୀବନରେ ଶେଷ ରେଖା ଟାଣିଛନ୍ତି। ସମସ୍ତ ଫର୍ମାଟରେ ସେ ମୋଟ ୪,୨୧୫ ରନ୍‌ ସଂଗ୍ରହ କରିବା ସହ ୧୧୫ ମ୍ୟାଚ୍‌ରେ ନେତୃତ୍ବ ନେଇଥିଲେ। ରବିବାର ମ୍ୟାଚ୍‌ ଶେଷରେ ଅସ୍‌ଗରଙ୍କୁ ସାଥୀ ଖେଳାଳିମାନଙ୍କ ପକ୍ଷରୁ ବ୍ୟାଟ୍‌ ଜରିଆରେ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା।

Advertisment

୨୦୧୮ ମସିହାରେ ଭାରତ ବିପକ୍ଷରେ ଆଫ୍‌ଗାନିସ୍ତାନ ଟେଷ୍ଟ୍ ପଦାର୍ପଣ କରିଥିବା ବେଳେ ଆଫଗାନ୍‌ ଦେଶର ପ୍ରଥମ ଅଧିନାୟକ ହୋଇଥିଲେ। ଆଫଗାନ ଲାଲ୍ ବଲ୍‌ରେ ନେତୃତ୍ବ ନେବାବେ‌ଳେ ଆଫଗାନିସ୍ତାନ ୨ ବିଜୟ, ୨ ପରାଜୟ ବରଣ କରିଥିଲା। ଦିନିକିଆରେ ତାଙ୍କ ନେତୃତ୍ବରେ ଦଳ ୫୯ ମ୍ୟାଚ୍‌ ଖେଳି ୩୪ ବିଜୟ, ୨୧ ପରାଜୟ ଏବଂ ଟ୍ବେଣ୍ଟି-୨୦ରେ ୫୨ ମ୍ୟାଚ୍‌ରୁ ୪୨ ବିଜୟ ପାଇଥିଲା। ଟ୍ବେଣ୍ଟି-୨୦ ନେତୃତ୍ବ ବିଜୟରେ ସେ ମହେନ୍ଦ୍ର ସିଂହ ଧୋନି (୪୧)ଙ୍କ କୀର୍ତ୍ତିମାନକୁ ପଛରେ ପକାଇଥିଲେ। ନିଜର ଶେଷ ଟେଷ୍ଟରେ ଜିମ୍ବାୱେ ବିପକ୍ଷରେ ବ୍ୟକ୍ତିଗତ ସର୍ବୋଚ୍ଚ ୧୬୪ ରନ୍ କରିଥିଲେ। ହାସମାତୁଲ୍ଲା ସାହିଦି (୨୦୦*)ଙ୍କ ସହ ୩୦୭ ରନ୍‌ର ଭାଗୀଦାରି ଗଢ଼ିଥିଲେ। ଆଫଗାନ ନିଜର ଏକମାତ୍ର ଦିନିକିଆ ଶତକ ଆୟର୍ଲାଣ୍ଡ୍ ବିପକ୍ଷରେ ୨୦୧୭ ମସିହାରେ ହାସଲ କରିଥିଲେ।