ଆସେସ ସିରିଜ୍: କମିନ୍ସ କମାଲରେ ଅଷ୍ଟ୍ରେଲିଆ ଦୃଢ଼

ଇଂଲଣ୍ଡ ୧୪୭ରେ ଅଲ୍‌ଆଉଟ୍

ବ୍ରିସବେନ୍: ଆସେସ୍ ଆରମ୍ଭରୁ ଅଷ୍ଟ୍ରେଲିଆ ଅସାଧାରଣ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତି ନେଇଛି। ସ୍ଥାନୀୟ ଗାବା ଷ୍ଟାଡିୟମ୍‌ରେ ବୁଧବାରଠାରୁ ଖେଳାଯାଉଥିବା ଏହି ବହୁ ପ୍ରତୀକ୍ଷିତ ୫ ଟିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଇଂଲଣ୍ଡକୁ ମାତ୍ର ୧୪୭ ରନ୍‌ରେ ଅଲଆଉଟ୍ କରି ଦେଇଛି କଙ୍ଗାରୁ ଦଳ। ଫଳରେ ଆରମ୍ଭରୁ ଚିର ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ବିପକ୍ଷରେ ମନସ୍ତାତ୍ବିକ ବିଜୟ ହାସଲ କରିଛି। ଇଂଲଣ୍ଡର ତାରାକ ଖଚିତ ବ୍ୟାଟିଂ ଲାଇନ୍ ଅପ୍ ମାତ୍ର ୫୦.୧ ଓଭରରେ ଅଲଆଉଟ୍ ହୋଇଯିବା କ୍ରିକେଟ୍ ବିଶେଷଜ୍ଞଙ୍କ ପ୍ରଶଂସକଙ୍କୁ ପୂରା ବିସ୍ମିତ କରିଛି।

ବର୍ଷା ପାଇଁ ବୁଧବାର ଖେଳର ଶେଷ ଅଧିବେସନ ସଂପୂର୍ଣ୍ଣ ଧୋଇ ଯାଇଥିଲା। ତଥାପି ମାତ୍ର ଦୁଇଟି ଅଧିବେସନରେ ଘରୋଇ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ଘାଇଲା କରି ନିଜ ସ୍ଥିତି ଦୃଢ଼ କରି ନେଇଛି। ନୂଆ ଅଧିନାୟକ ତଥା ଦ୍ରୁତ ବୋଲର ପ୍ୟାଟ୍ କମିନ୍ସଙ୍କ ପାଇଁ ଆଜିର ଦିନ ସବୁଠାରୁ ସ୍ମରଣୀୟ ହୋଇଛି। ୧୯୮୨-୮୩ରେ ବବ୍ ୱିଲିସଙ୍କ ପରେ କମିନ୍ସ (୫/୩୮) ପ୍ରଥମ ଅଧିନାୟକ ଭାବେ ପାଞ୍ଚ ୱିକେଟ୍ ସଫଳତା ଲାଭ କରିଛନ୍ତି। ବ୍ୟକ୍ତିଗତ ଭାବେ ଏହା ତାଙ୍କର ଚତୁର୍ଦଶ ଏବଂ ଆସେସ୍‌ରେ ପ୍ରଥମ ପାଞ୍ଚ ୱିକେଟ୍ ସଫଳତା। କେବଳ ଜୋସ୍ ବଟଲର (୩୯)ଙ୍କ ପ୍ରତିଆକ୍ରମଣ ହିଁ ଇଂଲଣ୍ଡ ପାଇଁ ଏକମାତ୍ର ସାନ୍ତ୍ବନା ହୋଇଛି। ବ୍ରିସବେନର ପାଗ କୋହଲା ଏବଂ ଆକାଶ ମେଘା‌ଚ୍ଛନ୍ନ ଥିଲା ବେଳେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ଏକ ବଡ଼ ଭୁଲ ଥିଲା ବୋଲି ଖେଳ ଶେଷ ପରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ସ୍ବୀକାର କରିଥିଲେ।

ଆଜି ଇଂଲଣ୍ଡର ବିପର୍ଯ୍ୟୟ ପ୍ରଥମ ବଲ୍‌ରୁ ହିଁ ଆରମ୍ଭ ହୋଇଯାଇଥିଲା। ମିଚେଲ ଷ୍ଟାର୍କ ପ୍ରଥମ ଓଭରର ପ୍ରଥମ ବଲ୍‌ରେ ହିଁ ରୋରି ବର୍ଣ୍ଣସଙ୍କୁ କ୍ଲିନ୍ ବୋଲ୍ଡ କରି ଦେଇଥିଲେ। ଏହା ପରେ କଙ୍ଗାରୁ ଦଳର ଦୁଇ ଦକ୍ଷ ଦ୍ରୁତ ବୋଲର ଜୋସ୍ ହାଜେଲଉଡ୍ ଓ କମିନ୍ସ ଇଂଲଣ୍ଡ ପାଳିକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଥିଲେ। ମାତ୍ର ୬୦ ରନ୍‌ରେ ଅଧାଦଳ ହରାଇଥିବା ଇଂଲଣ୍ଡ ଓଲି ପୋପ୍‌ (୩୫) ଓ ବଟଲରଙ୍କ ମଧ୍ୟରେ ହୋଇଥିବା ୫୨ ରନ୍‌ର ଭାଗୀଦାରି ପାଇଁ କିଛିଟା ସମ୍ମାନ ଫେରି ପାଇଥିଲା। କ୍ରିସ୍ ଓକ୍ସ ମଧ୍ୟ ୨୧ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ଅଧିନାୟକ ରୁଟ୍ (୦), ଦାୱିଦ ମଲାନ (୬), ତାରକା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ (୫) ନିରାଶ କରିଥିଲେ। ଇଂଲଣ୍ଡ ପାଳି ଶେଷ ପରେ ପରେ କିନ୍ତୁ ବର୍ଷା ହୋଇ ଆଉ ଛାଡ଼ି ନଥିଲା। ଫଳରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ପାଳି ଆରମ୍ଭ କରି ପାରିନଥିଲା।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି ୧୪୭ (ଜୋସ୍ ବଟଲର ୩୯, ଓଲି ପୋପ୍ ୩୫, କ୍ରିସ୍ ଓକ୍ସ ୨୧, ପ୍ୟାଟ୍ କମିନ୍ସ ୫/୩୮, ମିଚେଲ ଷ୍ଟାର୍କ ୨/୩୫, ଜୋସ୍ ହାଜେଲଉଡ୍ ୨/୪୨)।

୫ ୱିକେଟ୍ ସଫଳତାରେ କମିନ୍ସ ୩୯ ବର୍ଷରେ ପ୍ରଥମ ଅଧିନାୟକ

ଆସେସ୍‌ରେ ୫ ୱିକେଟ୍ ସଫଳତା ଲାଭ କରିବାରେ ଦୀର୍ଘ ୩୯ ବର୍ଷର ବ୍ୟବଧାନ ପରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ପ୍ରଥମ ଅଧିନାୟକ ହୋଇଛନ୍ତି। ଏହା କରି ସେ କିଂବଦନ୍ତି ବବ୍ ୱିଲିସଙ୍କ ସମକକ୍ଷ ହୋଇଛନ୍ତି। ୱିଲିସ୍ ୧୯୮୨-୮୩ରେ ପ୍ରଥମ ଅଧିନାୟକ ଭାବେ ଆସେସ୍‌ରେ ପାଞ୍ଚ ୱିକେଟ୍ ସଫଳତା ହାସଲ କରିଥିଲେ। ସବୁଠାରୁ ମହତ୍ବପୂର୍ଣ୍ଣ କଥା ହେଲା ନିଜ ଅଧିନାୟକ ପାଳିର ପଦାର୍ପଣରେ ହିଁ କମିନ୍ସ ଏହି ଅନନ୍ୟ କ୍ଲବ୍‌ରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର