କ୍ରିକେଟ୍‌ ପରେ ଫୁଟ୍‌ବଲ୍‌ ଆଡ଼କୁ ମୁହାଁଇଲେ ଆଶୀର୍ବାଦ : ଫାଓ ସମ୍ପାଦକ ପଦ ପାଇଁ ଏକମାତ୍ର ପ୍ରାର୍ଥୀ

କଟକ : ପ୍ରଥମେ ଅଲିମ୍ପିକ୍‌, ପରେ ଦୌଡ଼କୁଦ ସ˚ଘ, ଶେଷରେ ଓଡ଼ିଶା କ୍ରିକେଟ ସ˚ଘ (ଓସିଏ)ର ସର୍ବୋଚ୍ଚ କ୍ଷମତା ହାତେଇଥିବା କ୍ରୀଡ଼ା ସ˚ଗଠକ ଆଶୀର୍ବାଦ ବେହେରା ଏବେ ଫୁଟ୍‌ବଲ୍‌ ମୁହାଁ ହେଲେଣି। ଆସନ୍ତା ୧୬ ତାରିଖରେ ରାଜ୍ୟ ଫୁଟବଲ ସ˚ଘ (ଫାଓ)ର ନିର୍ବାଚନ ହେବାକୁ ଯାଉଥିବା ବେଳେ ସମ୍ପାଦକ ପଦ ପାଇଁ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରବିବାର ନାମାଙ୍କନ କରିଥିବା ପ୍ରାର୍ଥୀଙ୍କ ନାମ ଘୋଷଣାରେ ଆଶୀର୍ବାଦଙ୍କ ସହ ଦେବାଶିଷ ସାମନ୍ତରାୟ ସଭାପତି, ଶ୍ରୀକର ମିଶ୍ର କାର୍ଯ୍ୟକାରୀ ସଭାପତି, ଭକ୍ତବଲ୍ଲଭ ଦାସ କୋଷାଧ୍ୟକ୍ଷ, ଅଭିଜିତ ପାଲ୍‌, ମହମ୍ମଦ ସାହିଦ ଜବାର, ବିଶ୍ବର˚ଜନ ଘଡେ଼ଇ ଯୁଗ୍ମ ସମ୍ପାଦକ ଭାବେ ଅପ୍ରତିଦ୍ବନ୍ଦ୍ବୀ ରହିଛନ୍ତି। ତେବେ ୮ ଉପସଭାପତି ପାଇଁ ୧୩ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜୟ ଦାସ, ଦିଲ୍ଲୀପ ସାହୁ, ପ୍ରଦୀପ କିଶୋର ମହାନ୍ତି, ରବିନାରାୟଣ ପଣ୍ଡା, ହୃଦୟ ର˚ଜନ ବେହେରା, ବସନ୍ତ କୁମାର ପାଣିଗ୍ରାହୀ, ଶେଖ୍‌ ଆକମଲ ଅଲ୍ଲୀ, ଜନାର୍ଦ୍ଦନ ଦାସ, ରାଜେନ୍ଦ୍ର ମହାନ୍ତି, ଯୁଗଳ ସି˚ହ, ପ୍ରଦୀପ କୁମାର ଦାଶ, ଉପେନ୍ଦ୍ର ନାଥ ଦାସ, ଜୀବନ ମହାନ୍ତି ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଆସନ୍ତା ୪ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ଫାଓ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଅଧିକାରୀ ଉପେନ୍ଦ୍ର କୁମାର ଦାସ ଜଣାଇଛନ୍ତି।

ପୂର୍ବରୁ ଓଡ଼ିଶା ଫୁଟବଲ ସ˚ଘ (ଓଫା) କାର୍ଯ୍ୟକ୍ଷମ ଅବସ୍ଥାରେ ଥିବାବେଳେ ୨୦୧୦ରୁ ଫାଓର ରାଜୁତି ଆରମ୍ଭ ହୋଇଥିଲା। ଆଶୀର୍ବାଦ ବେହେରାଙ୍କ ସାନ ପୁଅ ସ˚ଜୟ ବେହେରା ଫାଓର ପ୍ରଥମ ସମ୍ପାଦକ ଭାବେ ନିର୍ବାଚିତ ହୋଇ ୨୦୧୯ ମସିହା ପର୍ଯ୍ୟନ୍ତ ଏହି ପଦରେ ରହିଆସିଥିଲେ। ତେବେ ଓସିଏ ନିର୍ବାଚନକୁ ଦୃଷ୍ଟିରେ ରଖି ସ˚ଜୟ ତାଙ୍କ ପଦରୁ ଇସ୍ତଫା ଦେବା ପରେ ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍‌ଙ୍କୁ ଭାରପ୍ରାପ୍ତ ସମ୍ପାଦକ ଭାବେ ଦାୟିତ୍ବ ଅର୍ପଣ କରାଯାଇଥିଲା। ତେବେ ନିର୍ବାଚନ ଅକ୍ଟୋବର ସୁଦ୍ଧା ଶେଷ କରିବାକୁ ସମ୍ବିଧାନରେ ନିୟମ ରହିଛି। ଏଥିପାଇଁ ଗତବର୍ଷ ସେପ୍ଟେମ୍ବର ୨୨ ତାରିଖରେ ନିର୍ବାଚନ କରାଇବାକୁ ପ୍ରଥମେ ତାରିଖ ଧାର୍ଯ୍ୟ ହୋଇଥିଲା। ଏହି ଦିନ ଓଡ଼ିଶା ଅଲିମ୍ପିକ ସ˚ଘର ସାଧାରଣ ପରିଷଦ ବୈଠକ ଡକାଯିବାର ଥିଲା। ସେତେବେଳେ ସବୁ ଜିଲ୍ଲା ସଦସ୍ୟମାନେ କଟକରେ ପହଞ୍ଚିପାରିବେ ବୋଲି ବିଚାର କରାଯାଇ ନିର୍ବାଚନ ସମୟ ନିର୍ଘଣ୍ଟ ହୋଇଥିଲା। କିନ୍ତୁ ଅଗଷ୍ଟ ୩୧ ତାରିଖରେ ବସିଥିବା ଫାଓ କାଉନସିଲ ବୈଠକରେ ନିର୍ବାଚନକୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ହୋଇଥିଲା। ଓସିଏ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି କରାଯାଇଥିବା ଚର୍ଚ୍ଚା ହୋଇଥିଲା ବେଳେ ଏହି ସମୟ ବେଳକୁ ମଧ୍ୟ ପୁଣି ଥରେ କେଁ ବାହାରିଥିଲା। ପାର୍ବଣ ସମୟ ଥିବାରୁ କିଛି ସଦସ୍ୟ ସମୟ ଦେଇପାରିବେନି ବୋଲି କହିବାରୁ ନିର୍ବାଚନ ଆଉ କିଛି ଦିନ ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଶେଷରେ ଫାଓ ନିର୍ବାଚନ ପାଇଁ ରାସ୍ତା ସଫା ହୋଇଛି।

ଅନ୍ୟପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଆଶୀର୍ବାଦ ଅଲିମ୍ପିକ ସ˚ଘଠୁ ଦୂରେଇ ରହିଥିବା ବେଳେ ଓସିଏରୁ ମଧ୍ୟ ପଦଚ୍ୟୁତ ହୋଇଥିଲେ। ଫଳରେ ସେ କେବଳ ରାଜ୍ୟ ଦୌଡ଼କୁଦ ସ˚ଘର ସମ୍ପାଦକ ଭାବେ ଦାୟିତ୍ବ ନିର୍ବାହ କରିଆସୁଛନ୍ତି। ଫାଓରେ ଦୀର୍ଘଦିନ ଧରି ସେ ପରାମର୍ଶଦାତା ଭାବେ ରହିଆସୁଥିଲେ। କିନ୍ତୁ ପିଲାଦିନୁ ଜଣେ ଭଲ ଫୁଟ୍‌ବଲ ଖେଳାଳି ଭାବେ ପରିଚିତ ଥିବାରୁ ବିଳମ୍ବରେ ହେଲେ ବି ସେ ‘ଫାଓ’ରେ ଏଥର ସିଧାସଳଖ ପାଦ ଥାପିଛନ୍ତି। ତେଣୁ ରାଜ୍ୟ ଫୁଟ୍‌ବଲର ଭାଗ୍ୟ ଆଗକୁ କେଉଁଆଡ଼କୁ ଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିବ।

ସମ୍ବନ୍ଧିତ ଖବର