କଟକ: ଉଚ୍ଚତମ ନ୍ୟାୟାଳୟଙ୍କ ବହୁ ପ୍ରତୀକ୍ଷିତ ନିର୍ଦେଶ ଆସିବା ପରେ ଏବେ ଓସିଏରେ ନୂଆ କର୍ମକର୍ତ୍ତା ଦାୟିତ୍ୱ ନେବା ସ୍ପଷ୍ଟ ହୋଇଛି। ତେବେ ଆଗରୁ ଯେଉଁମାନେ କର୍ମକର୍ତ୍ତା ଭାବେ ଦୀର୍ଘଦିନ ଧରି ପଦବି ଉପଭୋଗ କରିଆସୁଥିଲେ ସେମାନେ ଏବେ କେବଳ ସଦସ୍ୟ ଭାବେ ରହିବେ। କର୍ମକର୍ତ୍ତାମାନେ ସର୍ବାଧିକ ୬ ବର୍ଷ ପର୍ଯ୍ୟନ୍ତ ଲଗାତାର ବିଭିନ୍ନ ପଦବିରେ ରହିପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ କହିବା ପରେ ଏହା ସ୍ପଷ୍ଟ ହେଉଛି। ଓସିଏର କୌଣସି ବୈଠକ କିମ୍ବା ନିଷ୍ପତ୍ତିରେ ସିଧାସଳଖ ହସ୍ତକ୍ଷେପ କରିବା ବଦଳରେ କେବଳ ବିଭିନ୍ନ ବୈଠକରେ ସାଧାରଣ ସଦସ୍ୟ ଭାବେ ବସିବାକୁ ସୁଯୋଗ ପାଇବେ। ଓସିଏର କ୍ଷମତାକେନ୍ଦ୍ର ଭାବେ ଏବେ ବି ବିବେଚିତ ହେଉଥିବା ତଥା ୧୬ ବର୍ଷ ଧରି ସମ୍ପାଦକ ପଦବିରେ ରହିିଥିବା ଆଶୀର୍ବାଦ ବେହେରା କଟକ ଜିଲ୍ଲା କ୍ରୀଡ଼ା ସଂସଦର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ସେ ଏହି ସଂଘର ସଦସ୍ୟ ହେବା ନିଶ୍ଚିତ। ତାଙ୍କ ବ୍ୟତୀତ ଅନ୍ୟ ପୂର୍ବତନ କର୍ମକର୍ତ୍ତାଙ୍କ ମଧ୍ୟରେ ଅନୁପ ପାତ୍ର କୋରାପୁଟ ଜିଲ୍ଲା ଦୌଡକୁଦ ସଂଘ, ଅଧୀପ ଦାସ ବାଲେଶ୍ୱର, ବଳଭଦ୍ର ପଟ୍ଟନାୟକ ଅନୁଗୁଳ, ଜନାର୍ଦ୍ଦନ ପ୍ରଧାନ କେନ୍ଦୁଝର, ଧୀରେନ ପଲେଇ ଭଦ୍ରକ, ସରୋଜ ସାହୁ ନୂଆପଡା, ଦୁଲାଲ ଚନ୍ଦ୍ର ପ୍ରଧାନ ସମ୍ବଲପୁର, ରବିଶଙ୍କର ପ୍ରତିହାରୀ ପୁରୀ, ଶିବ ପ୍ରସାଦ ତ୍ରିପାଠୀ ଫୁଲବାଣୀ, ସତ୍ୟବ୍ରତ ବେହେରା ରାଇଜିଂ ଷ୍ଟୁଡେଣ୍ଟ କ୍ଲବ୍, ସଂଜୀବ କୁମାର ଦତ୍ତ ଜୁଭେନାଇଲ୍ କ୍ଲବ୍, ସତ୍ୟ ମହାନ୍ତି ମଙ୍ଗଳା କ୍ଲବ୍, କ୍ଷୀତିଶ ସାମନ୍ତାରୟ ରାଉନ କ୍ଲବ୍କୁ ପ୍ରତିନିଧିତ୍ୱ କରୁଛନ୍ତି। ଏମାନେ ମଧ୍ୟ କେବଳ ସଦସ୍ୟ ଭାବେ ଓସିଏ ବୈଠକରେ ବସିପାରିବେ। ଉପରୋକ୍ତ ପୂର୍ବତନ କର୍ମକର୍ତ୍ତାମାନେ ୨ କିମ୍ବା ତାହାଠୁ ଅଧିକ ବର୍ଷ ଧରି ଓସିଏର ବିଭିନ୍ନ ପଦବିରେ ରହିଆସିଛନ୍ତି। ତେଣୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ୬ ବର୍ଷିୟ କାର୍ଯ୍ୟକାଳ ନିୟମ ଅନୁସାରେ ଏହି ସମସ୍ତ ପୂର୍ବତନ କର୍ମକର୍ତ୍ତାମାନେ ଅଯୋଗ୍ୟ ହୋଇଛନ୍ତି। ଫଳରେ ଆଗାମୀ ଓସିଏ ନିର୍ବାଚନ ପରେ ସଂପୂର୍ଣ୍ଣ ନୂଆ କର୍ମକର୍ତ୍ତାଙ୍କୁ ଦେଖିବାକୁ ମିଳିବ ବୋଲି ସ୍ପଷ୍ଟ ହେଉଛି। କେବଳ ଏତିକି ନୁହେଁ ଅନ୍ୟ କ୍ରୀଡ଼ା ସଂଘରେ କର୍ମକର୍ତ୍ତା ଥିଲେ ରାଜ୍ୟ ସଂଘ ନିର୍ବାଚନରେ ସେମାନେ ଲଢିପାରିବେନି ବୋଲି କୋର୍ଟ ପୂର୍ବରୁ କହିଥିଲେ। ସେହି ଆଧାରରେ ମଧ୍ୟ ଏମାନଙ୍କ ମଧ୍ୟରୁ ଅନେକ ଭିନ୍ନ ଭିନ୍ନ ଜିଲ୍ଲା ଦୌଡ଼କୁଦ ସଂଘ କିମ୍ବା ଅନ୍ୟାନ୍ୟ ସଂଘରେ କର୍ମକର୍ତ୍ତା ଭାବେ କାର୍ଯ୍ୟ କରୁଛନ୍ତି। ତେବେ ବିସିସିଆଇଠୁ ନୂଆ ନିୟମାବଳୀଗୁଡ଼ିକ କିମ୍ବା କୋର୍ଟଙ୍କ ନିର୍ଦେଶ ନକଲ ଓସିଏର ହସ୍ତଗତ ନହେବା ପର୍ଯ୍ୟନ୍ତ କିଛି କହିହେବ ନାହିଁ ବୋଲି ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍ ପଲେଇ କହିଛନ୍ତି। କେବଳ ଗଣମାଧ୍ୟମରୁ କିଛି ସୂଚନା ମିଳିଛି, ତଥାପି ବିସିସିଆଇରୁ ଆମ ପାଖକୁ ସୂଚନା ଆସିଲେ ମାସେ ମଧ୍ୟରେ ଓସିଏର ନୂଆ ସମ୍ବିଧାନ ତିଆରି କରାଯିବ ବୋଲି ସେ କହିଛନ୍ତି।
ଏବେ ସାଧାରଣ ସଦସ୍ୟ ହେବେ ଆଶୀର୍ବାଦ
ସର୍ବୋଚ୍ଚ ନ୍ୟାୟାଳୟଙ୍କ ୬ବର୍ଷ କାର୍ଯ୍ୟକାଳ ନିର୍ଦ୍ଦେଶ08
/sambad/media/post_attachments/wp-content/uploads/2017/12/16-Ashirbad-Behera-OCA.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)