ଭାରତୀୟ ଦଳରେ ଆଶିଷ, ନୀଲମ

ନୂଆଦିଲ୍ଲୀ: ଅଗଷ୍ଟ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଜାପାନରେ ଆୟୋଜିତ ଅଲିମ୍ପିକ୍‌ ଟେଷ୍ଟ୍‌ ଇଭେଣ୍ଟ୍‌ ପାଇଁ ଭାରତୀୟ ପୁରୁଷ ହକି ଦଳ ଗୁରୁବାର ଘୋଷିତ ହୋଇଛି। ୧୮ ଜଣିଆ ଦଳରେ ଦୁଇ ଜଣ ଓଡ଼ିଆ ସାମିଲ ହୋଇଛନ୍ତି। ନୀଲମ ସଞ୍ଜୀବ ଖେସ୍‌ ଦଳରେ ସ୍ଥାନ ବଜାୟ ରଖିଥିଲା ବେଳେ ଆଶିଷ ଟପ୍ନୋଙ୍କୁ ପଦାର୍ପଣ ସୁଯୋଗ ମିଳିଛି। ତେବେ ଆଶିଷ ୨୦୧୭ ଭାରତର ଅଷ୍ଟ୍ରେଲିଆ ଗସ୍ତ ବେଳେ ‘ଏ’ ଦଳରେ ସାମିଲ ହୋଇଥିଲେ ମଧ୍ୟ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇନଥିଲେ। ଫଳରେ ୨ ବର୍ଷ ପୂର୍ବରୁ ପଦାର୍ପଣ ସୁଯୋଗ ପାଇପାରିନଥିଲେ। ସେ ପୁନର୍ବାର ଦଳରେ ସ୍ଥାନ ପାଇଥିବାରୁ ଏଥର ପଦାର୍ପଣ ସମ୍ଭାବନା ଅଧିକ ରହିଛି।

ଅଧିନାୟକ ମନପ୍ରୀତ୍‌ ସିଂହ, ପିଆର୍‌ ଶ୍ରୀଜେସ୍‌ ଓ ସୁରେନ୍ଦର କୁମାରଙ୍କ ଭଳି ବରିଷ୍ଠ ତାରକାମାନଙ୍କୁ ବିଶ୍ରାମ ଦେବାକୁ ହକି ଇଣ୍ଡିଆ ନିଷ୍ପତ୍ତି ନେଇଛି। ସେହିଭଳି ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଏବଂ ଦିପ୍‌ସାନ ତିର୍କିଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ଗତ ଗୋଟିଏ ବର୍ଷ ଧରି ବରିଷ୍ଠ ଖେଳାଳିମାନେ ମ୍ୟାଚ୍‌ ଖେଳିବାରେ ବ୍ୟସ୍ତ ରହିଥିବାରୁ ଆହତ ସମସ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କୁ ବିଶ୍ରାମ ଦିଆଯାଇଛି। ଯାହାଫଳରେ ବରିଷ୍ଠ ଖେଳାଳିମାନେ ଚଳିତ ବର୍ଷ ନ‌ଭେମ୍ବର‌ରେ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ଶାରୀରିକ ଓ ମାନସିକ ଭାବେ ସତେଜ ରହିପାରିବେ ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍‌ ରିଡ୍‌ କହିଛନ୍ତି। ତେଣୁ ବରିଷ୍ଠଙ୍କ ଅନୁପସ୍ଥିତିରେ ହରମନପ୍ରୀତ୍‌ ସିଂହ ଦଳର ନେତୃତ୍ବ ଭାର ସମ୍ଭାଳିବେ ଏବଂ ମନଦୀପ୍‌ ସିଂହ ଉପଅଧିନାୟକ ରହିବେ। ଅନ୍ୟପକ୍ଷରେ ଅଭିଜ୍ଞ ଷ୍ଟ୍ରାଇକର ଏସ୍‌ଭି ସୁନିଲ ପ୍ରାୟ ୯ ମାସ ବ୍ୟବଧାନ ପରେ ଦଳକୁ ପ୍ରତ୍ୟାବର୍ତନ କରିଥିଲା ‌ବେଳେ ସାମ୍‌ସେର୍‌ ସିଂହ ମଧ୍ୟ ପଦାର୍ପଣ ସୁଯୋଗ ପାଇଛନ୍ତି। ଅଲିମ୍ପିକ୍‌ ଟେଷ୍ଟ୍‌ ଇଭେଣ୍ଟ ମାଧ୍ୟମରେ ଆନ୍ତର୍ଜାତିକସ୍ତରରେ ଭଲ ପ୍ରଦର୍ଶନ କରିବା ନିମନ୍ତେ କିଛି ଖେଳାଳିଙ୍କ ନିକଟରେ ସୁଯୋଗ ରହିଛି। ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ଅଗଷ୍ଟ ୧୭ରେ ମାଲେସିଆ, ୧୮ରେ ନ୍ୟୁଜିଲାଣ୍ଡ୍‌, ୨୦ରେ ଆୟୋଜକ ଜାପାନ ସହ ଖେଳିବା ପରେ ୨୧ ତାରିଖରେ ତୃତୀୟ-ଚତୁର୍ଥ ଏବଂ ପ୍ରଥମ-ଦ୍ବିତୀୟ ସ୍ଥାନ ମଧ୍ୟରେ ମୁକାବିଲା ହେବ।

ଭାରତୀୟ ଦଳ: କୃଷ୍ଣ ବାହାଦୁର ପାଠକ, ଗୁରିନ୍ଦର ସିଂହ, ହର୍‌ମନ୍‌ପ୍ରୀତ୍‌ ସିଂହ (ଅଧିନାୟକ), କୋଠାଜିତ୍‌ ସିଂହ ଖାଡ଼ଙ୍ଗବାମ୍‌, ହାର୍ଦିକ୍‌ ସିଂହ, ନୀଳକାନ୍ତ ଶର୍ମା, ବିବେକ ପ୍ରସାଦ ସାଗର, ଯସ୍‌କରଣ ସିଂହ, ମନ୍‌ଦୀପ୍‌ ସିଂହ (ଉପଅଧିନାୟକ), ଗୁରସାହିବ୍‌ଜିତ୍‌ ସିଂହ, ନୀଲମ ସଞ୍ଜୀବ ଖେସ୍‌, ଜର୍ମନ୍‌ପ୍ରୀତ୍‌ ସିଂହ, ବରୁଣ କୁମାର, ଆଶିଷ ଟପ୍ନୋ, ଏସ୍‌ଭି ସୁନିଲ, ଗୁର୍‌ଜାଣ୍ଟ୍‌ ସିଂହ, ସାମ୍‌ସେର୍‌ ସିଂହ ଓ ସୁରଜ କାର୍‌କେରା।

ସମ୍ବନ୍ଧିତ ଖବର