ଭୁବନେଶ୍ବର (ସୁରେଶ ସ୍ବାଇଁ): ଭାରତୀୟ ଭଲିବଲ୍ ସହିତ ଓଡ଼ିଶା ଭଲିବଲ୍ ଏବେ ଯେ ଉତ୍‌ଥାନ ପଥରେ ରହିଛି ଏହା ନି‌ସନ୍ଦେହରେ କୁହାଯାଇପାରିବ। ଭାରତୀୟ ଦଳରେ ପ୍ରତିନିଧିତ୍ବ କରିବା ଯେଉଁ ରାଜ୍ୟର ଖେଳାଳିଙ୍କ ପାଇଁ ସ୍ବପ୍ନ ହୋଇ ରହିଥିଲା ସେହି ରାଜ୍ୟରୁ ବିଗତ ୩ ମାସ ମଧ୍ୟରେ ୫ ଜଣ ପ୍ରାୟ ଅନ୍ତର୍ଜାତୀୟ ପଦାର୍ପଣ କରିସାରିଲେଣି। କେବଳ ଏତିକି ନୁହେଁ ରାଜ୍ୟକୁ ମଧ୍ୟ ତୃତୀୟ ତଥା ଦୀର୍ଘ ୧୬ ବର୍ଷ ପରେ ପ୍ରଥମ ଅନ୍ତର୍ଜାତୀୟ ପଦକ ଆସିଛି ଚଳିତ ସପ୍ତାହରେ। ଇରାନ୍‌ର ତେହେରାନ୍‌ରେ ଅନୁଷ୍ଠିତ ଏସୀୟ ଯୁବ ଭଲିବଲ୍ (୧୮ ବର୍ଷରୁ କମ୍‌) ପ୍ରତିଯୋଗିତାରେ କାଂସ୍ୟ ପଦକ ବିଜେତା ଭାରତୀୟ ଦଳରେ ସାମିଲ ଥିଲେ ଓଡ଼ିଆ ଆଟାକର୍‌ ଆଶିଷ ସ୍ବାଇଁ। ଏହି କ୍ରମରେ ସେ ପଦାର୍ପଣରେ ଅନ୍ତର୍ଜାତୀୟ ଭଲିବଲ୍ ପଦକ ଜିତି ରାଜ୍ୟ କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ିଛନ୍ତି। ଆଶିଷଙ୍କ ପୂର୍ବରୁ ଭାରତୀୟ ବରିଷ୍ଠ ଦଳରୁ ଖେଳି ମହମ୍ମଦ ମସିଉଜ ଜମା ୧୯୯୧ କଲମ୍ବୋ ସାଫ୍‌ ଗେମ୍ସରୁ ଏବଂ ୨୦୦୬ରେ ସେହି କଲମ୍ବୋ ସାଫ ଗେମ୍ସରୁ ଝିଲ୍ଲୀଲତା ସେଣ ସ୍ବର୍ଣ୍ଣ ପଦକ ଜିତିଥିଲେ।

Advertisment

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ବାଲୁଗାଁ ଦିବ୍ୟସିଂହପୁର ନିକଟସ୍ଥ ଚାଷଙ୍ଗରା ଏକ ନିପଟ ଗାଁ। ଯେଉଁଠି ଭରତ ସ୍ବାଇଁ ଅଟୋ ରିକ୍ସା ଚଳାଇବା ସହିତ ଚାଷବାସ କରି ପରିବାର ପୋଷଣ କରନ୍ତି। ତାଙ୍କ ବଡ଼ ଝିଅ ସଦ୍ୟ ସ୍ନାତକ ଶେଷ କରିଥିବା ବେଳେ ଦ୍ବିତୀୟ ସନ୍ତାନ ପୁଅ ଆଶିଷ କେବଳ ଗାଁର ଟେକ ନୁହେଁ ରାଜ୍ୟ ଓ ଦେଶ ପାଇଁ ରାତାରାତି ଅଶେଷ ଆନନ୍ଦ ଆଣି ଦେଇଛନ୍ତି। ଅଜଣା ଅଶୁଣା ଚାଷଙ୍ଗରା ଗାଁ ଏବେ ଏହି ଐତିହାସିକ ସଫଳତା ଲାଗି ଚର୍ଚ୍ଚାକୁ ଆସିଛି। ଆଶିଷଙ୍କ ସ୍କୁଲ ଭାଲେରୀ ଉଚ୍ଚ ବିଦ୍ୟାଳୟ ଏବଂ ବାଣପୁରର ଗୋଦାବରିଶ ମହାବିଦ୍ୟାଳୟ ବି ଆଶିଷଙ୍କ କୃତିତ୍ବକୁ ନେଇ ଗର୍ବିତ ଓ ଗୌରବାନ୍ବିତ। ‘ଦିନ ଥିଲା ଆମେ ବିଗୁଡୁଥିଲୁ, ଖେଳୁଛି ଏତେ କାହିଁକି ବୋଲି ପ୍ରଶ୍ନ କରୁଥିଲୁ, ପାଠ ପଢ଼ୁନୁ ବୋଲି ରାଗୁଥିଲୁ। ଆଜି ଆମେ କିନ୍ତୁ ପୁଅ ପାଇଁ ବହୁତ ଖୁସି ଓ ଆନନ୍ଦିତ’ ବୋଲି ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥ‌ିଲେ ଆଶିଷଙ୍କ ଗୃହିଣୀ ମା’ ଗୀତାଞ୍ଜଳି ସ୍ବାଇଁ। ବହୁ ପରିଶ୍ରମ କରିଥିଲା ପୁଅ। ସ୍କୁଲ ଓ କଲେଜରୁ ଫେରି ବାଲୁଗାଁରୁ ବାଣପୁର ଯାଉଥିଲା ଭଲିବଲ୍‌କୁ ଭଲରେ ଶିଖବ ବୋଲି। ଦିନେ ଦିନେ ରାତି ଅଧିକ ହୋଇଗଲେ ଫେରି ପାରୁନଥିଲା, ସେଠାରେ ସାଙ୍ଗଘ‌ରେ ରହିଯାଉଥିଲା। ଈଶ୍ବର ତା’ ପରିଶ୍ରମର ଫଳ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ ଆଶିଷଙ୍କ ବୋଉ ଗୀତାଞ୍ଜଳି। ଏସୀୟ ଭଲିବଲ୍ ଖେଳିବାକୁ ଇରାନ୍ ଯିବା ପୂର୍ବରୁ ଭୁବନେଶ୍ବରରେ ଦୁଇ ମାସ ରହିଯିବାରୁ ମନ ବ୍ୟସ୍ତ ହେଉଥିଲା, ଏବେ କିନ୍ତୁ ଆଶ୍ବସ୍ତ ହୋଇଛୁ ଓ ଖୁସି ଲାଗୁଛି। ପୁଅ ଏତେ ବାଟ ଯାଇଥିବାରୁ’ ବୋଲି ସେ ପ୍ରକାଶ କରିଥିଲେ।

ବରିଷ୍ଠ ବର୍ଗ ଲକ୍ଷ୍ୟ
କନିଷ୍ଠ ବର୍ଗର ସଫଳତାକୁ ବରିଷ୍ଠ ବର୍ଗକୁ ନେବାକୁ ଆଗଭର ଅଛନ୍ତି ଆଶିଷ। କ୍ରମେ ବରିଷ୍ଠ ବର୍ଗର ଜାତୀୟ ପ୍ରତିଯୋଗିତା ସହ ଭାରତୀୟ ଦଳରୁ ଖେଳିବାର ଅଭିଳାଷ ରଖିଛନ୍ତି। ଆଗରୁ ଭଲ କରୁଥିଲେ ମଧ୍ୟ ଓଡ଼ିଶା ଖେଳାଳିଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳୁନଥିଲା। ଏବେ ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍ ସଂଘ (ଭିଏଫଆଇ)ର ସଭାପତି ହେବା ପରଠାରୁ ଓଡ଼ିଶା ଖେଳାଳିଙ୍କୁ ଅଣଦେଖା କରାଯାଇନାହିଁ। କିଟ୍‌ରେ ମଧ୍ୟ ରହିବା ସହ ପ୍ରସ୍ତୁତି ଚଳାଇବାର ଶ୍ରେଷ୍ଠ ଭିତ୍ତିଭୂମି ରହିଛି। ଓଡ଼ିଶା ଭଲିବଲ୍ ସଂଘ ସମ୍ପାଦକ ଗଗନେନ୍ଦୁ ଦାଶ ମଧ୍ୟ ଉତ୍ସାହିତ ଓ ପ୍ରୋତ୍ସାହିତ କରିଆସୁଛନ୍ତି। ବାପା ମା’ଙ୍କ ଭଳି ଏମାନେ ମଧ୍ୟ ଆମକୁ ଆଗକୁ ବଢ଼ିବାକୁ ସବୁ ବାଟ ‌ଦେଖାଉଛନ୍ତି ବୋଲି ‘ସମ୍ବାଦ’ କାର୍ଯ୍ୟାଳୟରେ ଏହି ପ୍ରତିନିଧିଙ୍କ ସହ କଥା ହେବା ବେଳେ ପ୍ରକାଶ କରିଥିଲେ ଆଶିଷ। ମାମୁଁ ସଂଗ୍ରାମ ଗୁରୁଙ୍କ ଖେଳ ‌ଦେଖି ମୁଁ ଏହି ଖେଳକୁ ଆସିଥିଲି ବୋଲି ମଧ୍ୟ କହିବାକୁ ଭୁଲିନଥିଲେ ୧୭ ବର୍ଷୀୟ ଆଶିଷ।

ସ୍କୁଲ୍‌ରୁ ଖେଳ ଯାତ୍ରା
ଭାଲେରୀ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ବେଳେ ଆଶିଷ ଖେଳକୁଦରେ ବେଶ ରୁଚି ରଖିଥିଲେ। ଆଥ୍‌ଲେଟିକ୍ସ, କବାଡ଼ି ଓ ଭଲିବଲ୍‌ରେ ନିଜ ଦକ୍ଷତା ଦେଖାଇଥିଲେ। କିନ୍ତୁ କ୍ରୀଡ଼ା ଶିକ୍ଷକ ବୈଷ୍ଣବ ନାୟକଙ୍କ ସହିତ ଗୌରାଙ୍ଗ ବିଶ୍ବାଳ ଓ ଶ୍ରୀକାନ୍ତ ନନ୍ଦଙ୍କ ସହ ପରିବାର ଲୋକଙ୍କ ପରାମର୍ଶରେ ସେ ଗୋଟିଏକୁ ବାଛିଥିଲେ। ଉଚ୍ଚତା ଭଲ ଥିବାରୁ ସେ ଏହାକୁ ପସନ୍ଦ କରିଥିଲେ। ସ୍କୁଲ୍‌ ଓ ଘର ବାରି କାନ୍ଥରେ ଏକା ଏକା ବଲ୍‌ ପିଟି ନିଜକୁ ପ୍ରାଥମିକ ଅବସ୍ଥାରେ ପ୍ରସ୍ତୁତ କରିଥିଲେ। କ୍ରମେ ଆଶିଷଙ୍କ ଉପରେ ଆଶିଷ ବରଷିବାରେ ଲାଗିଥିଲା। ବଣମଲ୍ଳୀ ଆଉ ବଣରେ ସୀମିତ ରହିପାରିନଥିଲା। କନ୍ଧମାଳରେ ଅନୁଷ୍ଠିତ ରାଜ୍ୟ ପ୍ରତିଯୋଗିତାରୁ ପ୍ରଷ୍ଫୁଟିତ ହୋଇ କ୍ରମେ ମିନି ନ୍ୟାସନାଲ୍‌ (ମହାରାଷ୍ଟ୍ର) , ସ୍କୁଲ୍ ନ୍ୟାସନାଲ୍ (ଜମ୍ମୁ କଶ୍ମିର), ସବ୍‌ଜୁନିଅର୍‌ ନ୍ୟାସନାଲ୍ (ବର୍ଦ୍ଧମାନ, କୋଲକାତା)ରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। କିଟ୍‌ ପରିସରରେ ଅନୁଷ୍ଠିତ ଭାରତୀୟ ୧୯ ବ‌ର୍ଷରୁ କମ୍‌ ଦଳର ଶିବିରରେ ସାମିଲ ଥିଲେ ମଧ୍ୟ ପାସପୋର୍ଟ ପ୍ରତିବଂଧକ ପାଇଁ ଆଗକୁ ବଢ଼ି ପାରିନଥିଲେ। ପରବର୍ତୀ ସମୟରେ ଜିତୁ ମାମୁଁଙ୍କ ସହଯୋଗରୁ ପାସପୋର୍ଟ ଔପଚାରିକତା ଶେଷ କରିବାରୁ ଭାରତୀୟ ଯୁବ ଦଳର ଏସୀୟ ସୁଯୋଗ ହାତଛଡ଼ା ହୋଇନଥିଲା। ‘‘ଆଶିଷକୁ ମୁଁ ସର୍ବଦା ଆଶିଷ ଦେଇ ଆସିଛି। ଭଲ ପଢ଼ୁଥିଲା, ଖେଳରେ ବି ଭଲ କରିବ ବୋଲି କହି ଏହାକୁ ପ୍ରମାଣିତ କରିଛି। ଆମ ଗାଁରେ ଥିବା ପ୍ରଭୂ ଜଗନ୍ନାଥ ପ୍ରତ୍ୟକ୍ଷ ଦେବତା। ଡାକିଲେ ଶୁଣନ୍ତି, ମୋ ଡାକ ବି ଶୁଣିଛନ୍ତି।’ ବୋଲି ପ୍ରକାଶ କରିଥିଲେ ଆଶିଷଙ୍କ ଗର୍ବିତ ପିତା ଭରତ ସ୍ବାଇଁ।

ଓଡ଼ିଶାର ଅନ୍ତର୍ଜାତୀୟ ଭଲିବଲ୍‌ ଖେଳାଳି

୧୯୯୦ ମସିହାରେ ଲୋତକବିନ୍ଦୁ ଦାଶ ପ୍ରଥମ ଓଡ଼ିଆ ଭାବେ ଭାରତୀୟ କନିଷ୍ଠ ଦଳରୁ ଖେଳିବାର ଗୌରବ ଆଣିବା ପରଠାରୁ ଆରମ୍ଭ ହୋଇଥିଲା ଏହି ଧାରା। ବିଗତ ୩୨ ବର୍ଷ ଭିତରେ କିନ୍ତୁ ମାତ୍ର ୫ ଜଣ ଭାରତୀୟ ଦଳରୁ‌‌ ଖେଳିପାରିଥିଲେ। ଏବେ ବିଗତ ୩ ମାସ ଭିତରେ ଆଉ ୫ ଜଣ ଓଡ଼ିଶାର ଅନ୍ତର୍ଜାତୀୟ ତାଲିକାରେ ସାମିଲ ହୋଇପାରିବା ସବୁଠାରୁ ଉଲ୍ଲେଖନୀୟ। ୧୯୯୧ରେ ମଧ୍ୟ ମହମ୍ମଦ ମସିଉଜ ଜମା ଭାରତୀୟ ବରିଷ୍ଠ ଦଳରୁ ଖେଳିବାରେ ପ୍ରଥମ ଓଡ଼ିଆ ହୋଇଥିଲେ। ଏମାନଙ୍କ ଛଡ଼ା ଭାରତୀୟ ମହିଳା ଦଳରୁ‌ ଖେଳିବାରେ ଝିଲ୍ଲୀଲତା ‌ସେଣ ପ୍ରଥମ ଓଡ଼ିଆ ଥିଲେ। ରବୀନ୍ଦ୍ର ମୁରୁଡି ଭାରତୀୟ କନିଷ୍ଠ ଦଳରୁ ଖେଳିଥିବା ବେଳେ ସଂଗୀତା ଟୋପ୍ପୋ ଭାରତୀୟ ଯୁବ ଦଳର ନେତୃତ୍ବ ନେବାର ବିରଳ କୃତିତ୍ବ ଅର୍ଜନ କରିଛନ୍ତି। ବିଗତ ୩ ମାସ ଭିତରେ ଲାସ୍ୟମୟୀ ମହାନ୍ତ (୧୪ତମ ଏସୀୟ ୧୮ ବର୍ଷରୁ କମ୍‌ ମହିଳା ଭଲିବଲ୍ ପ୍ରତିଯୋଗିତା, ଥାଇଲାଣ୍ଡ୍‌), ଆଞ୍ଜେଲେ ଯୋସେଫ୍‌ (ତୃତୀୟ ପ୍ରିନସେସ୍‌ କପ୍‌ ଏଭିସି ମହିଳା ଚାଲେଞ୍ଜ୍‌, ଥାଇଲାଣ୍ଡ), ସେହ୍ନମୟୀ କିଶାନ ଓ ମାମାଲି ନାଗ (୨୧ତମ ଏସୀୟ ୨୦ ବର୍ଷରୁ କମ୍‌ ମହିଳା ପ୍ରତିଯୋଗିତା) ଏବଂ ଆଶିଷ ସ୍ବାଇଁ (୧୪ତମ ଏସୀୟ ୧୮ ବର୍ଷରୁ କମ୍‌ ଯୁବ ଭଲିବଲ୍ ପ୍ରତିଯୋଗିତା, ତେହେରାନ) ଏହି ତାଲିକାକୁ ଆଗକୁ ନେଇଛନ୍ତି। ଜମା ଓ ଝିଲ୍ଲୀଙ୍କ ସାଫ ସ୍ବର୍ଣ୍ଣ ପରେ ଆଞ୍ଚେଲ୍‌ ଯୋସେଫ୍‌ ରୌପ୍ୟ ପଦକ ଜିତିଥିଲେ ମଧ୍ୟ ସେ ପୂର୍ବତନ ରେଳବାଇରେ ନିଯୁକ୍ତ ଜଣେ ଅଣ ଓଡ଼ିଆ ହୋଇଥିବାରୁ ଆଶିଷ ତୃତୀୟ ଓଡ଼ିଆ ଭାବେ ଅନ୍ତର୍ଜାତୀୟ ପଦକ ବିଜେତା ହୋଇଛନ୍ତି।