ଅଶୋକ ଓ ଶିବଙ୍କୁ କମଲ ଗାଙ୍ଗୁଲି ପୁରସ୍କାର

ପୁରସ୍କାର ପାରା କ୍ରୀଡ଼ାବିତ୍‌ଙ୍କୁ ସମର୍ପିତ: ଶିବ ପ୍ରସାଦ

ଭୁବନେଶ୍ବର: ପାରା ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କ ମାର୍ଗଦର୍ଶନ ଶିବ ପ୍ରସାଦ ଦାସ ଏବଂ ପୂର୍ବତନ ହକି ଖେଳାଳି ତଥା ଓଡ଼ିଶାର ଅନ୍ୟତମ ସଫଳ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତିଙ୍କୁ ମିଳିଛି ଚଳିତ ବର୍ଷର କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା ପୁରସ୍କାର। ରବିବାର ସହିଦ ସ୍ପୋର୍ଟିଂ ପଡ଼ିଆରେ ଆୟୋଜିତ ଭବ୍ୟ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୧୨ରୁ ପରଲୋକଗତ ବିଶିଷ୍ଟ କ୍ରିକେଟ୍‌ ପ୍ରଶିକ୍ଷକ କମଲ ଗାଙ୍ଗୁଲିଙ୍କ ସ୍ମୃତିରେ ସହିଦ ସ୍ପୋର୍ଟିଂ କ୍ଲବ୍‌ ଏହି ପୁରସ୍କାର ପ୍ରଦାନ କରିଆସୁଛି। ରାଜ୍ୟ ତଥା ଭାରତକୁ ଏକାଧିକ ସଫଳ ଖେଳାଳି ଭେଟି ଦେଇଥିବା ଶିବଙ୍କୁ ସପ୍ତମ କମଲ ଗାଙ୍ଗୁଲି ସ୍ମାରକୀ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ସ୍ବରୂପ ନଗଦ ୨୦ ହଜାର ଟଙ୍କା, ମାନପତ୍ର ଓ ଉପ‌ଢ଼ୌକନ ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟ କ୍ରୀଡ଼ା ପ୍ରଶାସନିକ ଦୁନିଆର ପ୍ରମୁଖ ବ୍ୟକ୍ତିତ୍ବ ଅଶୋକଙ୍କୁ ପଞ୍ଚମ ଜୀବନବ୍ୟାପୀ ସେବା ପୁରସ୍କାର ସ୍ବରୂପ ମାନପତ୍ର ସହ ଏକ ପାନାସୋନିକ୍‌ ଟିଭି ଉପହାର ଦିଆଯାଇଥିଲା।

ସହିଦ ସ୍ପୋର୍ଟିଂ କ୍ଲବ୍‌ର ସଂପାଦକ ପଙ୍କଜ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଜାତୀୟ ମହିଳା ଫୁଟ୍‌ବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ବିଶ୍ବର ଏକ ନମ୍ବର ପାରା ବ୍ୟାଡମିଣ୍ଟନ୍‌ ଖେଳାଳି ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମାରୁତି ଇଷ୍ଟେଟ୍‌ ଇଣ୍ଡିଆର ଏମ୍‌ଡି ଜିତେନ୍ଦ୍ର ପ୍ରସାଦ ସିଂହ ଓ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ଏମ୍‌ଡି ରାଜେଶ ଗୁପ୍ତା ଅତିଥି ଭାବେ ଯୋଗେଦେଇଥିଲେ। ଏହି ଅବସରରେ କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଜିତେନ୍ଦ୍ର ପ୍ରସାଦ ସିଂହଙ୍କୁ ‘ସହିଦ ସ୍ପୋର୍ଟିଂ ଗୌରବ’, ଓଡ଼ିଶା ରଣଜୀ ଦଳର ପ୍ରଶିକ୍ଷକ ରଶ୍ମିରଞ୍ଜନ ପରିଡ଼ା, ଟ୍ରେନର୍‌ ମନୋଜ ବିଶ୍ବାଳ, କନିଷ୍ଠ ଚୟନକର୍ତା ସୌରଭ ସେହଗଲ, ଓଡ଼ିଶା ୨୩ ବର୍ଷରୁ କମ୍‌ ଦଳର ଶୁଭମ୍‌ ଶତ୍ରୁଜିତ୍‌, ଜ୍ୟୋତି ରଞ୍ଜନ ବେହେରା, ବିଶ୍ବବିଦ୍ୟାଳୟର ପ୍ରତିନିଧିତ୍ବ କରିଥିବା ପ୍ରୀତମ୍‌ ପ୍ରିୟଜିତ, ଓଡ଼ିଶା ୧୯ ବର୍ଷରୁ କମ୍‌ ଦଳର ମାନସ ରଞ୍ଜନ ନାୟକ, ସଂଦୀପ ଚୌହାନ, ଆର୍ଯ୍ୟ ଜେନା, ବିଶ୍ବ ମୁଦୁଲି, ଅନ୍ବେଷ ତ୍ରିପାଠୀ ଓ ରିତେଶ ସିଂହଙ୍କୁ ସମ୍ବର୍ଧିତ କରାଯାଇଥିଲା। ସମ୍ବର୍ଧନା ସମାରୋହରେ ପ୍ରଦୋଷ ପଟ୍ଟନାୟକ, ନିକୁଞ୍ଜ ମହାନ୍ତି, ବବିନ ମହାନ୍ତି, ସିପି ଶର୍ମା, ସରୋଜ ବାରିକ, ଉମାନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ସମ୍ପାଦକ ସଂବିତ ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

‘ପୁରସ୍କାର ପାରା କ୍ରୀଡ଼ାବିତ୍‌ଙ୍କୁ ସମର୍ପିତ: ଶିବ ପ୍ରସାଦ
ମୁଁ ପେସାଦାର ଖେଳାଳି ନଥିଲି, କି ପେସାଦାର ପ୍ରଶିକ୍ଷକ ନୁହେଁ। ମୋ ନିକଟରେ ଥିବା ଅଭିଜ୍ଞତାକୁ ବାଣ୍ଟି ଓଡ଼ିଶାରୁ ଖେଳାଳି ଗଢ଼ିବା କାମରେ ନିୟୋଜିତ ହୋଇଥିବାରୁ ସଫଳତା ପାଇଛି। ଦୀର୍ଘ ୨୦ ବର୍ଷର ଯାତ୍ରା ପରେ ପ୍ରମୋଦ ଭଗତଙ୍କ ଭଳି ପିଲା ବିଶ୍ବ ବିଜେତା ହୋଇଛି ଏବଂ ମର୍ଯ୍ୟାଦାଜନକ ଅର୍ଜୁନ ପୁରସ୍କାର ପାଇଛି। ଏହା ମୋ‌ତେ ଆତ୍ମବିଶ୍ବାସ ଦେଇଛି। ଏବେ କମଲ ଗାଙ୍ଗୁଲି ପୁରସ୍କାରକୁ ମୁଁ ରାଜ୍ୟର ସମସ୍ତ ପାରା କ୍ରୀଡ଼ାବିତ୍‌ଙ୍କୁ ସମର୍ପିତ କରୁଛି। ସେମାନଙ୍କ ବିକାଶ ଓ ଅଗ୍ରଗତି ହିଁ ମୋ ପାଇଁ ବଡ଼ ଉପଲବ୍‌ଧି’ ବୋଲି କହିଥିଲେ ବିଗତ ଦିନର ‌ଖେଳାଳି ଶିବ ପ୍ରସାଦ।

‘ଖେଳାଳିଙ୍କ ସଫଳତା ଅଧିକ ଆତ୍ମସନ୍ତୋଷ ଦିଏ: ଅଶୋକ
କମଲ ଗାଙ୍ଗୁଲି ପୁରସ୍କାର ମୋ କ୍ରୀଡ଼ା ପ୍ରଶାସନିକ ଜୀବନର ସ୍ମୃତିକୁ ରୋମନ୍ଥନ କରିଛି। ମୋ ପ୍ରସ୍ତୁତିରେ ଗଠିତ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ପ୍ରଥମ ପ୍ରଶିକ୍ଷକ ବିଜେତା‌ ହୋଇଥିଲେ କମଲ ଗାଙ୍ଗୁଲି। ଏବେ ତାଙ୍କ ନାମରେ ପ୍ରଦତ୍ତ ପୁରସ୍କାର ମୋତେ ମିଳିବା ନିଶ୍ଚିତ ଖୁସି ଓ ଆନନ୍ଦ ଦେଇଛି। କିନ୍ତୁ ଜଣେ କ୍ରୀଡ଼ା ପ୍ରଶାସକ ପାଇଁ ଖେଳାଳିର ସଫଳତା ଅଧିନ ଆନନ୍ଦ‌ ଦେଇଥାଏ ବୋଲି କହିଥିଲେ ଅଶୋକ କୁମାର ମହାନ୍ତି।

ସମ୍ବନ୍ଧିତ ଖବର