ଅଶୋକ ଦାସ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍: ଫାଇନାଲ୍‌ରେ ରାଞ୍ଚି ରେଲୱେ

ଯାଜପୁରଟାଉନ/ସଦର: ଯାଜପୁର ସହରର ବାଳାଶ୍ରମ ପଡ଼ିଆରେ ଚାଲିଥିବା ଅଶୋକ ଦାସ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍ ପ୍ରତିଯୋଗିତାରେ ବୁଧବାର ରାଞ୍ଚି ରେଳବାଇ ଦଳ ୫ ୱିକେଟ୍‌ରେ କଟକର ୟୁନିଅନ୍ ସ୍ପୋର୍ଟିଂକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଟସ୍ ଜିତି ବ୍ୟାଟିଂ ନେଇଥିବା ୟୁନିଅନ୍ ସ୍ପୋର୍ଟିଂ ୨୮.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୪ ରନ୍ କରିଥିଲା।

ଏମ୍‌ ଡ଼ି ଆକ୍ରମ ୨୯ ଓ ଲିଳାଧର ପ୍ରଧାନ ୨୭ ରନ୍ କରିଥିଲେ। ରାଞ୍ଚି ଦଳର ତନୟ ଖଣ୍ଡେଲୱାଲ୍ ଓ ରିଷଭ ରାଜ ୩ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ରାଞ୍ଚି ଦଳ ୨୬.୨ ଓଭରରେ ୫ ୱିକେଟ୍ ହରାଇ ବିଜୟଲକ୍ଷ୍ୟ ୧୨୫ରେ ପହଞ୍ଚି ଯାଇଥିଲା। ଶରତ ମିଞ୍ଜ ୩୧ ଓ ବିଶାଲ୍ କମଲ ୩୦ ରନ୍ କରିଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ (୨ ୱିକେଟ୍ ଓ ୨୨ ରନ୍) ପାଇଁ ସୁପ୍ରିୟ ଚକବର୍ତ୍ତୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଯୁବନେତା ମନୋଜ କୁମାର ସାହୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଲଲାଟ କେଶରୀ ନନ୍ଦ ଓ ରଞ୍ଜନ ମହାନ୍ତି ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ସ୍କୋରର ଭାବେ ଯଯାତି କେଶରୀ ସାମଲ ଓ ବିକାଶ ଧଳ ଥିଲେ। ଜ୍ଞାନ ରଂଜନ ଘଡ଼ାଇ, ଏସ୍‌.କେ. ଇମରାନ୍ ଓ କାହ୍ନୁ ସେଠୀ ଭାଷ୍ୟକାର ଥିଲେ। ଆସନ୍ତାକାଲି ଦ୍ୱିତୀୟ ସେମିଫାଇନାଲ୍ ୟୁନିକ୍ ଇଲେଭେନ୍ ଭଦ୍ରକ ଓ ଷ୍ଟାର ଇଲେଭେନ୍ ବୋକାରେ ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର