ଅଶୋକ ଦାସ ସ୍ମାରକୀ କ୍ରିକେଟ୍: ୟୁନିକ୍ ଇଲେଭେନ୍ ବିଜେତା

ଯାଜପୁରଟାଉନ/ସଦର: ଭଦ୍ରକର ୟୁନିକ ଇଲେଭେନ ଦଳ ଚଳିତ ବର୍ଷର ଅଶୋକ ଦାସ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ଶୁକ୍ରବାର ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ରେ ଏହି ଦଳ ରାଞ୍ଚି ରେଳବାଇକୁ ମାତ୍ର ୧ ରନ୍‌ରେ ପରାସ୍ତ କରି ଟ୍ରଫି ହାସଲ କରିଛି।

ଯାଜପୁର ଜିଲ୍ଲା କ୍ରିକେଟ୍ ସଂଘ ସହଯୋଗରେ ମେଲ୍‌ବୋର୍ଣ୍ଣ କ୍ରିକେଟ୍ କ୍ଲବ୍ ପକ୍ଷରୁ ବାଳାଶ୍ରମ ପଡ଼ିଆରେ ଆୟୋଜିତ ପ୍ରତିଯୋଗିତାର ଫାଇନାଲ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ୟୁନିକ୍ ଇଲେଭେନ୍ ୨୯ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା। ରାମଚନ୍ଦ୍ର ବେହେରା ୭୪ ଓ ଅଜୟ ରାଉତ ୩୫ ରନ୍ କରିଥିଲେ। ରେଳବାଇ ଦଳ ପକ୍ଷରୁ ତନୟ ଖଣ୍ଡେଲୱାଲ୍ ଓ ସୁପ୍ରିୟ ଚକ୍ରବର୍ତ୍ତୀ ୩ ୱିକେଟ୍ ଲେଖାଏଁ ନେଇଥିଲେ। ଜବାବରେ ରାଞ୍ଚି ରେଳବାଇ ୨୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୦ ରନ୍‌ କରିଥିଲା।

ସଚିନ୍ ତିୱାରୀ ୩୮ ଓ ଅର୍ଣ୍ଣବ ସିହ୍ନା ୩୩ ରନ୍ କରିଥିଲେ। ୟୁନିକ୍ ଇଲେଭେନ ପକ୍ଷରୁ ସତ୍ୟକାମ ଭରଦ୍ୱାଜ ୩ ଓ କ୍ଷମାସାଗର ବଳ ୨ ୱିକେଟ୍ ନେଇଥିଲେ। ରାମଚନ୍ଦ୍ର ବେହେରା ଫାଇନାଲ୍‌ର ଶ୍ରେଷ୍ଠ ଏବଂ କ୍ଷମାସାଗର ବଳ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନ୍ ତିୱାରୀ ଓ ଶ୍ରେଷ୍ଠ ବୋଲର ଭାବେ କିଷାନ୍ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା।

ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା କ୍ରିକେଟ୍ ସଂଘର ସମ୍ପାଦକ ସଞ୍ଜୟ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବଟକୃଷ୍ଣ ମହାପାତ୍ର, ପଦାରବିନ୍ଦ ପରିଡ଼ା, ଜ୍ଞାନଚାନ୍ଦ ଦାସ, ଓସିଏ କାଉନ୍‌ସିଲ୍ ସଦସ୍ୟ ସନ୍ତୋଷ ଦାସ, ଅଭୟ ବଲ୍ଲଭ ପଣ୍ଡା ଯୋଗଦେଇ ବିଜେତା ଦଳକୁ ୮୦ ହଜାର ଟଙ୍କାର ଚେକ୍‌ ସହ ଟ୍ରଫି ଓ ଉପବିଜେତା ଦଳକୁ ୫୦ ହଜାର ଟଙ୍କାର ଚେକ୍‌ ସହ ଟ୍ରଫି ପ୍ରଦାନ କରିଥିଲେ। ଶାରଦା ପ୍ରସନ୍ନ ମହାପାତ୍ର ଓ ଖଗେଶ୍ୱର ମଲ୍ଲିକ ମ୍ୟାଚ୍‌ ପରିଚାଳନା କରିଥିଲେ।

ସ୍କୋରର ଥିଲେ ଯଯାତି କେଶରୀ ସାମଲ ଓ ବିକାଶ ଧଳ। କାର୍ଯ୍ୟକାରୀ ସମ୍ପାଦକ ଜ୍ଞାନଚାନ୍ଦ ଦାସ, ଅଭୟ ବଲ୍ଲଭ ପଣ୍ଡା, ବରିଷ୍ଠ କ୍ରିକେଟିୟର ଶ୍ରୀଜୟ ମହାପାତ୍ର, ଶେଖ୍ ସାହାଜୁଦ୍ଦିନ୍, ସୁଶାନ୍ତ ସିଂ, ଦିବାକର କର, ମନୋଜ ସାହୁ, ସଞ୍ଜୟ ବେହେରା, ଆଶିଷ ମହାନ୍ତି, ଶୁଭାଶିଷ ରାଉତ, ସ୍ୱସ୍ତିକ୍ ପହି, ବିଶ୍ୱଜିତ୍ ଦାସ, ଶରିତ ରଂଜନ ଦାସ, ଧର୍ମେନ୍ଦ୍ର ସାହୁ, ପାର୍ଥସାରଥି ବେହେରା, ସୁଶାନ୍ତ ସିଂଙ୍କ ତତ୍ତ୍ବାବଧାନରେ ପ୍ରତିଯୋଗିତା ପରିଚାଳିତ ହୋଇଥିଲା। ଜ୍ଞାନରଂଜନ ଘଡ଼ାଇ, ଏସ୍‌.କେ. ଇମରାନ୍ ଓ କାହ୍ନୁ ସେଠୀ ଧାରାବିବରଣୀ ଦେଇଥିଲେ।

ସମ୍ବନ୍ଧିତ ଖବର