ଭୁବନେଶ୍ବର: ପ୍ୟାରିସ୍‌-୨୦୨୪ ଅନ୍ୟ ସମସ୍ତ ଅଲିମ୍ପିକ୍ସଠାରୁ ସମ୍ପୂର୍ଣ୍ଣ ନିଆରା ଥିଲା। ଯେତିକି ରୋମାଞ୍ଚ ଭରାଥିଲା ସେତିକି ଆହ୍ବାନ ଆଣି ଦେଇଥିଲା। ଅନେକ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ‌ଖେଳାଳିଙ୍କୁ ଯେଭଳି କଷ୍ଟକର ସମୟ ଦେଇ ଗତି କରିବାକୁ ପଡ଼ୁଥିଲା ବିବିଧ ଇଭେଣ୍ଟ୍ ଭାବେ ଏହାକୁ କଭର୍ କରିବା କ୍ରୀଡ଼ା ସାମ୍ବାଦିକଙ୍କ ପାଇଁ ସେତିକି ଯନ୍ତ୍ରଣାଦାୟକ ଥିଲା। ରବିବାର ପ୍ୟାରିସ୍‌ ଅଲିମ୍ପିକ୍ସର ଅଭୁଲା ଅଭିଜ୍ଞତା ସବୁ ବାଣ୍ଟିବା ବେଳେ ଏଭଳି କଥାମାନ କହିଛନ୍ତି, କ୍ରମାଗତ ହକି ପଦକ ଜିତିଥିବା ଅମିତ ରୋହଦାସ ଏବଂ ଅଲିମ୍ପିକ୍ସ ମଞ୍ଚରେ ପହଞ୍ଚିଥିବା ପ୍ରଥମ ଓଡ଼ିଆ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର।

Advertisment

ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ପକ୍ଷରୁ ରବିବାର ଅନୁଷ୍ଠିତ ଡକ୍ଟର ଅଶୋକ ପଟ୍ଟନାୟକ ସ୍ମାରକୀ ବକ୍ତୃତାରେ ମୁଖ୍ୟ ଆକର୍ଷଣ ପାଲଟିଥିବା ଅମିତ କହିଥିଲେ, ‘‘ଅଲିମ୍ପିକ୍ସ ମଇଦାନରେ ପହଞ୍ଚିବାକୁ ଅନେକ ପ୍ରତିବଂଧକ ସୃଷ୍ଟି କରିଥିଲା। ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌ରୁ ଆମେ ଗତ ବିଶ୍ବକପ୍‌ ପରାଜୟର ପ୍ରତିଶୋଧ ନେଇ ଅଭିଯାନ ଆରମ୍ଭ କରିଥିଲୁ। ବେଲଜିୟମ୍ ବିପକ୍ଷ ମ୍ୟାଚ୍‌କୁ ଛାଡ଼ିଦେଲେ ଅମେ ଭଲ କରିଚାଲିଥିଲୁ। ଅଷ୍ଟ୍ରେଲିଆକୁ ୫୨ ବର୍ଷ ପରେ ଅଲିମ୍ପିକ୍ସ ମଞ୍ଚରେ ହରାଇବାର‌ ଗୌରବ ଆଣିଥିଲୁ। କିନ୍ତୁ କ୍ବାର୍ଟରଫାଇନାଲ୍‌ରେ ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ମୁକାବିଲା ଆମକୁ ପ୍ରବଳ ଚାପରେ ପକାଇଥିଲା। ୧୭ ମିନିଟ୍‌ରେ ମୋତେ ‌ରେଫେରାଲ୍ ଜରିଆରେ ରେଡ୍ କାର୍ଡ ଦିଆଯିବା ପରେ ଅବଶିଷ୍ଟ ୪୩ ମିନିଟ୍ ଆମ ଦଳ ‌ଭଲ ଖେଳିବା ମୋତେ ଆତ୍ମସନ୍ତୋଷ ଦେଇଥିଲା। ମୋ ଭୁଲ୍‌ ପାଇଁ ନୁହେଁ ବ୍ରିଟିସ୍‌ଙ୍କ କୌଶଳ କାରଣରୁ ହୋଇଥାଇପାରେ, କିନ୍ତୁ ମୋତେ ଦଣ୍ଡିତ ହେବାକୁ ପଡ଼ିଥିଲା। ନିଲମ୍ବିତ ହେବାରୁ ମୁଁ ସେମିଫାଇନାଲ୍ ମିସ୍ କରିଥିଲି। କିନ୍ତୁ କାଂସ୍ୟ ମୁକାବିଲାକୁ ହାତଛଡ଼ା କରି ନଥିଲୁ। ପୁଣି ଥରେ ୫୨ ବର୍ଷ ପରେ କ୍ରମାଗତ ଅଲିମ୍ପିକ୍ସ ପଦକ ଜିତିବାର ଗୌରବ ମିଳିଥିଲା। ବ୍ରିଟିସ୍‌ମାନେ ଆମକୁ ଆଗରୁ ଶାସନ କରିଥିବାରୁ ଏହି ମ୍ୟାଚ୍‌ ଆମେ ୧୦ ଜଣରେ ଜିତିବା ଅନେକ ଦିନ ମନେ ରହିବ। ଭାରତୀୟ ହକି ଏବେ ଉପରମୁହାଁ ହୋଇଥିବାରୁ ଗୋଟିଏ ପରେ ଗୋଟିଏ ପ୍ରତିଯୋଗିତାରେ ଭଲ କରି ପରବର୍ତ୍ତୀ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବାର ସ୍ବପ୍ନ ‌ଦେଖୁଛୁ। ହକି ଇଣ୍ଡିଆ ଲିଗ୍ ପୁଣି ଆରମ୍ଭ ହେଲେ ଏହା ଆମକୁ ଅଧିକ ସହାୟକ ହେବ। ଟୋକିଓ କାଂସ୍ୟ ଓ ପ୍ୟାରିସ୍ କାଂସ୍ୟ ମଧ୍ୟରେ ତୁଳନା ପାଇଁ ପ୍ରଶ୍ନ ହେବାରୁ ଅମିତ କହିଥିଲେ ଯେ ‘‘ଉଭୟ ଅତ୍ୟନ୍ତ ଆତ୍ମସନ୍ତୋଷ ଦେଇଛି। କିନ୍ତୁ ଟୋକିଓ ପଦକ ୪୧ ବର୍ଷ ପରେ ଆସିଥିବାରୁ ଅଧିକ ଆନନ୍ଦ ଦେଇଥିଲା। ପ୍ୟାରିସ୍‌ରେ ଆମେ ପ୍ରତିକୂଳ ପରିସ୍ଥିତ‌ିରେ ପଦକ ଜିତିବା ମଧ୍ୟ ଗୌରବାନ୍ବିତ କରିଛି’’।

ଏକ ଓଡ଼ିଆ ଖବର କାଗଜ (ନିର୍ଭୟ)ର ପ୍ରତିନିଧି ଭାବେ ଅଲିମ୍ପିକ୍ସ ମଇଦାନରେ ପହଞ୍ଚିଥିବା ପ୍ରଥମ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର ମଧ୍ୟ ଇତିହାସ ରଚିଥିଲେ। ଓସ୍‌ଜାର ସଦସ୍ୟଙ୍କୁ ଦିଗ୍‌ଦର୍ଶନ ଦେଇ ଶ୍ରୀ ମହାପାତ୍ର କହିଥିଲେ, ‘‘ବିବିଧ ଇଭେଣ୍ଟ୍ କାରଣରୁ ଅଲିମ୍ପିକ୍ସ କଭର୍ କରିବା ଅତ୍ୟନ୍ତ ଆହ୍ବାନଭରା ସମୟ ଆଣିଥିଲା। ପ୍ୟାରିସ୍‌ ଅନେକ କିଛି ନୂଆ ଧାରା ସୃଷ୍ଟି କରିଥିଲା। ପ୍ୟାରିସ୍‌‌‌ରେ ଅସମ୍ଭବ ଗ୍ରୀଷ୍ମପ୍ରବାହ ଭିତରେ ଏହି ଅଲିମ୍ପିକ୍ସ ପାଇଁ ଦୈନିକ ଟ୍ରେନ୍‌, ଟ୍ରାମ୍‌ରେ ବିଭିନ୍ନ ଭେନ୍ୟୁକୁ ଯାତ୍ରା କରିବା କଷ୍ଟକର ଥିଲା। ଭାରତୀୟ ଖାଦ୍ୟ ପାଇଁ ନିଜକୁ ରୁମ୍‌ରେ ରୋଷେଇ କରିବାକୁ ପଡ଼ୁଥିଲା। ତଥାପି ଓଡ଼ିଶାରୁ ଯାଇ ଓଡ଼ିଆ ଖେଳାଳିଙ୍କ ଖେଳକୁ ଅଲିମ୍ପିକ୍ସ ମଞ୍ଚରେ ଦେଖିବା ଭଳି ଅଭୁଲା ଅନୁଭବ ମିଳିଲା। ଭାରତ ୬ ପଦକ ଜିତିଲା, ଅନ୍ୟ ୯ଟି ଅଳ୍ପକେ ମିସ୍ କଲା। ଦୁଇ ଅଙ୍କ ପଦକ ପାଇଁ ଆମ ଖେଳାଳି ପ୍ରସ୍ତୁତ ନ ଥିଲେ। ଲକ୍ଷ୍ୟ ସେନ୍‌, ଦୀପିକା କୁମାରୀ ପ୍ରମୁଖ ଚାପ ପରିସ୍ଥିତିରେ ସୁଯୋଗ ହାତଛଡ଼ା କରିଦେବା ଦୁଃଖ ଦେଇଥିଲା। ପିଭି ସିନ୍ଧୁ ବି ନିରାଶ କରିଥିଲେ। ପ୍ୟାରିସ୍‌ରେ ଅଲିମ୍ପିକ୍ସ ପଦାର୍ପଣ କରିବା ସହ ମୋ ସ୍ବପ୍ନ ପୂରଣ ହୋଇଗଲା ସତ କିନ୍ତୁ ଭାରତ ଆଗକୁ ବଢ଼ିପାରିଥିଲେ ଅଧିକ ଖୁସି ହୋଇଥା’ନ୍ତି।’’

‘ଓସ୍‌ଜା’ର ସଭାପତି ସନ୍ଦୀପ ମିଶ୍ରଙ୍କ ‌‌ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମାରକୀ ବକ୍ତୃତା ପୂର୍ବରୁ ଡକ୍ଟର ଅଶୋକ ପଟ୍ଟନୟକଙ୍କୁ ୨୫ତମ ଶ୍ରାଦ୍ଧବାର୍ଷିକୀରେ ଅମିତ ରୋହିଦାସ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥ‌ିଲେ। ଅନ୍ୟମାନଙ୍କ ମଧ୍ୟରେ ‘ଓସ୍‌‌ଜା’ର ଉପସଭାପତି ସମୀକ୍ଷା ପଟ୍ଟନାୟକ, ସମ୍ପାଦକ ସୁରେଶ ସ୍ବାଇଁ, ଯୁଗ୍ମସମ୍ପାଦକ ହିମାଂଶୁ ପତି ମିଶ୍ର, ସଂଜୀବ ବିଶ୍ବାଳ, କୋଷାଧ୍ୟକ୍ଷ ଦେବାଶିଷ ସୁନ୍ଦରାୟ, କାର୍ଯ୍ୟକାରୀ କମିଟି ସଦସ୍ୟ କେ. ରବି, ବିମଳ କୁମାର ରାଉଳ, ଶକ୍ତି ପ୍ରସାଦ ନନ୍ଦ, ମ‌ନୋରଂଜନ ଦାସଙ୍କ ସହ ବରିଷ୍ଠ ସଦସ୍ୟ ରଜନୀକାନ୍ତ ଶତ୍ରୁଶଲ୍ୟ, ଅନିରୁଦ୍ଧ ମିଶ୍ର, ସନ୍ତୋଷ ମହାନ୍ତି, ବିଜୟ ରଣା, ଶୁଭଲକ୍ଷ୍ମୀ ବଳ, ରଂଜନ ରାୟ, ପ୍ରତାପ ପ୍ରଧାନ, ପ୍ରଫୁଲ୍ଲ କିଶୋର ସାହୁ, ଦେବୀ ପ୍ରସନ୍ନ ପାଣିଗ୍ରାହୀ ଓ କ୍ରୀଡ଼ା ବିଭାଗର ଅବସରପ୍ରାପ୍ତ କର୍ମଚାରୀ ମଳୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।