ନୂଆଦିଲ୍ଲୀ: ପାକିସ୍ତାନର ଲଗାତାର ଚତୁର୍ଥ ପରାଜୟ ପରେ ଅଧିନାୟକ ବାବର ଆଜମଙ୍କ ପଦବି ସଙ୍କଟରେ ପଡ଼ିଯାଇଛି। କିନ୍ତୁ ପୂର୍ବତନ ୱିକେଟ୍‌ ରକ୍ଷକ ରସିଦ ଲତିଫ ଏହି ବିବାଦରେ ନିଆଁ ଉପରେ ଘିଅ ଢାଳିଛନ୍ତି। ଲତିଫଙ୍କ ମତରେ ପାକିସ୍ତାନ କ୍ରିକଟେ୍‌ ବୋର୍ଡ (ପିସିବି) ମୁଖ୍ୟ ଜାକା ଆଶ୍ରଫ୍ ଗତ କିଛି ଦିନ ହେବ ବାବର ଆଜମ୍‌ଙ୍କ ମୋବାଇଲ୍ କଲ୍‌ ଉଠାଉନାହାନ୍ତି କିମ୍ବା ମେସେଜ୍‌ର କୌଣସି ଜବାବ ଦେଉନାହାନ୍ତି। କେବଳ ଏତିକି ନୁହେଁ କେନ୍ଦ୍ରୀୟ ଚୁକ୍ତିରେ ଥିବା ପାକିସ୍ତାନୀ ଖେଳାଳିଙ୍କୁ ଗତ ୪/୫ ମାସର ଦରମା ମିଳିନଥିବା ମଧ୍ୟ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଲତିଫ ଉନ୍ମୋଚନ କରିଛନ୍ତି। ଯେତେବେଳେ ଖେଳାଳିମାନଙ୍କୁ ଦରମା ମିଳିବନି, ବୋର୍ଡ ମୁଖ୍ୟ ଅଧିନାୟକଙ୍କ ମୋବାଇଲ୍ କଲ୍‌ର ଜବାବ ଦେବେନି, ସେଭଳି ସ୍ଥିତିରେ ଆମେ ଦଳଠୁ ଅଧିକ କ’ଣ ଆଶା କରିପାରିବା ବୋଲି ଲତିଫ୍‌ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ବକପ୍‌ ପୂର୍ବରୁ ଯେଉଁ ଖେଳାଳିମାନେ କେନ୍ଦ୍ରୀୟ ଚୁକ୍ତିରେ ସ୍ବାକ୍ଷର କରିଥିଲେ, ତାହାକୁ ମଧ୍ୟ ପିସିବିର ବରିଷ୍ଠ ଅଧିକାରୀମାନେ ଯାଞ୍ଚ କରିବା ଆରମ୍ଭ କରିଦେଲେଣି।