ରାଞ୍ଚି: ଇଂଲଣ୍ଡ ବିପକ୍ଷରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଏକ ବିରଳ କୀର୍ତ୍ତିମାନ କରିଛନ୍ତି। ରାଞ୍ଚିରେ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଜନି ବେୟାରଷ୍ଟୋଙ୍କୁ ଆଉଟ୍ କରି ଅଶ୍ବିନ ଇଂଲଣ୍ଡ ବିପକ୍ଷରେ ୧୦୦ ଟେଷ୍ଟ୍ ୱିକେଟ୍ ନେବାରେ ପ୍ରଥମ ଭାରତୀୟ ହୋଇଛନ୍ତି। ସକ୍ରିୟ କ୍ରିକେଟର୍ଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ନାଥନ୍ ଲାୟନ୍ ଇଂଲଣ୍ଡ ବିପକ୍ଷରେ ୧୦୦ ୱିକେଟ୍ ନେଇଛନ୍ତି। ଶେନ୍ ୱର୍ଣ୍ଣ ସବୁଠୁ ଅଧିକ ୧୯୫ ୱିକେଟ୍ (୭୨ ପାଳି) ନେଇଛନ୍ତି। କେବଳ ଏତିକି ନୁହେଁ ଇଂଲଣ୍ଡ ବିପକ୍ଷରେ ୧୦୦୦ରୁ ଊର୍ଦ୍ଧ୍ବ ରନ୍ ସ୍କୋର କରିବା ଓ ୧୦୦ ୱିକେଟ୍ ନେବାରେ ଅଶ୍ବିନ ବିଶ୍ବରେ ଚତୁର୍ଥ ବୋଲର ହେବା ସହ ଏଲିଟ୍ ତାଲିକାଭୁକ୍ତ ହୋଇଛନ୍ତି। ଏହି ତାଲିକାରେ ୱେଷ୍ଟଇଣ୍ଡିଜ୍ର ମହାନ୍ ଖେଳାଳି ଗ୍ୟାରି ସୋବର୍ସ, ଅଷ୍ଟ୍ରେଲିଆର ମଣ୍ଟି ନୋବଲେ, ଗିଫେନ୍ ରହିଛନ୍ତି।
ଚତୁର୍ଥ ଟେଷ୍ଟ୍ର ପ୍ରଥମ ଦିବସରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିଥିଲା। ଭାରତ ପାଇଁ ପଦାର୍ପଣ କରିଥିବା ଦ୍ରୁତ ବୋଲର ଆକାଶଦୀପ୍ ପ୍ରଥମ ୩ ୱିକେଟ୍ ଖସାଇ ଦେଇ ସ୍ବର୍ଣ୍ଣିମ ସଫଳତା ପାଇଥିଲେ। ନବମ ଓଭରର ଦ୍ବିତୀୟ ଓ ଚତୁର୍ଥ ବଲ୍ରେ ବେନ୍ ଡକେଟ୍ (୧୧) ଓ ଓଲି ପୋପ୍ (୦)ଙ୍କୁ ସେ ଆଉଟ୍ କରିବା ପରେ ପିଚ୍ରେ ଜମି ଆସୁଥିବା ଜାକ୍ କ୍ରଲି (୪୨)ଙ୍କୁ ଆକାଶ ତୃତୀୟ ଶିକାର କରିଥିଲେ। ଏହାପରେ ଜୋ ରୁଟ୍ ଓ ବେୟାରଷ୍ଟୋ ଚତୁର୍ଥ ୱିକେଟ୍ରେ ୫୨ ରନ୍ର ଭାଗୀଦାରି କରି ଦଳକୁ ଶତକ ଅତିକ୍ରମ କରାଇଥିଲେ। ଅଧିକ ବିପଜ୍ଜନକ ହେବା ପୂର୍ବରୁ ବେୟାରଷ୍ଟୋ (୩୮) ଙ୍କୁ ଅଶ୍ବିନ ରିଭ୍ୟୁ ସହାୟତାରେ ଏଲ୍ବିଡବ୍ଲ୍ୟୁ କରିଥିଲେ। ରାଉଣ୍ଡ ଦ’ ୱିକେଟ୍ରେ ଅଶ୍ବିନ୍ ବୋଲିଂ କରିବାକୁ ଆସିଥିଲା ବେଳେ ବେୟାରଷ୍ଟୋ ତାଙ୍କୁ ସୁଇପ୍ ସଟ୍ ଖେଳିବାକୁ ଯାଇଥିଲେ। କିନ୍ତୁ ବଲ୍ର ଲାଇନ୍କୁ ମିସ୍ କରିଯିବାରୁ ବଲ୍ ତାଙ୍କ ପ୍ୟାଡ୍ରେ ବାଜିଥିଲା। କିନ୍ତୁ ଅମ୍ପାୟାର କୁମାର ଧର୍ମସେନା ଏହାକୁ ନଟ୍ଆଉଟ୍ ଦେଇଥିଲେ। କିନ୍ତୁ ରୋହିତ ଶର୍ମା ରିଭ୍ୟୁ ନେବାରୁ ଭାରତ ବଡ଼ ସଫଳତା ପାଇଥିଲା। ବେନ୍ ଷ୍ଟୋକ୍ସ (୩)ଙ୍କୁ ଜାଡ଼େଜା ଆଉଟ୍ କରିବା ପରେ ବେନ୍ ଫୋକ୍ସ (୪୭) ଓ ଟମ୍ ହାର୍ଟଲି (୧୩)ଙ୍କୁ ମହମ୍ମଦ ସିରାଜ ଆଉଟ୍ କରିଥିଲେ। କିନ୍ତୁ ରୁଟ୍ ଗୋଟିଏ ପଟରୁ ରନ୍ ବାହାର କରିଚାଲିବା ସହ ଦିନ ଶେଷ ବେଳକୁ ଭାରତ ବିପକ୍ଷରେ ଦଶମ ଟେଷ୍ଟ ଶତକ ଅର୍ଜନ କରିଥିଲେ। ଏହା ତାଙ୍କ ଟେଷ୍ଟ୍ ଜୀବନର ୩୧ତମ ଶତକ।