କାନପୁର: ଚେନ୍ନାଇ ଟେଷ୍ଟ୍ରେ ଚମକପ୍ରଦ ପ୍ରଦର୍ଶନ କରି ଭାରତକୁ ବୃହତ୍ ବିଜୟ ଉପହାର ଦେଇଥିବା ମହାନ ସ୍ପିନର ଆର୍. ଅଶ୍ବିନଙ୍କ ପାଖରେ ଶୁକ୍ରବାରଠାରୁ ଆରମ୍ଭ ହେଉଥିବା କାନପୁର ଟେଷ୍ଟ୍ରେ ନୂଆ ଇତିହାସ ରଚିବାର ସୁଯୋଗ ରହିବ। ତେବେ ଗୋଟିଏ କିମ୍ବା ଦୁଇଟି ନୁହେଁ, ସେ ୬ଟି କୀର୍ତ୍ତିମାନ କରିବାର ସୁଯୋଗ ପାଇବେ। ୩୮ ବର୍ଷୀୟ ଅଶ୍ବିନ ଯଦି ଚେନ୍ନାଇ ଟେଷ୍ଟ୍ର ପ୍ରଦର୍ଶନ (ଷଷ୍ଠ ଶତକ ଓ ୬ ୱିକେଟ୍)କୁ ଦୋହରାଇ ପାରନ୍ତି, ତାହେଲେ କ୍ରିକେଟ୍ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ଭାରତର ସର୍ବଶ୍ରେଷ୍ଠ ସ୍ପିନର୍ ହେବା ଦିଗରେ ଏକ ବଡ଼ ପାଦ ବଢ଼ାଇବେ। ଅଶ୍ବିନ ରଚିବାକୁ ଥିବା ରେକର୍ଡଗୁଡ଼ିକ ହେଉଛି...
ପ୍ରଥମ ଭାରତୀୟ ଭାବେ ଚତୁର୍ଥ ପାଳିରେ ୧୦୦ ୱିକେଟ୍ ନେବାର ସୁଯୋଗ, ୯୯ ୱିକେଟ୍ ନେଇଛନ୍ତି।
ଜାହିର ଖାନ୍ (୩୧ ୱିକେଟ୍)ଙ୍କୁ ଟପି ଭାରତ-ବାଂଲାଦେଶ ଟେଷ୍ଟ୍ରେ ସର୍ବାଧିକ ୱିକେଟ୍ ନେଇପାରନ୍ତି।
୨୦୨୩-୨୫ ଚକ୍ରରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ର ସର୍ବାଧିକ ୱିକେଟ୍ ଦଖଲକାରୀ ହେବାର ସୁଯୋଗ।
ସେନ୍ ୱର୍ଣ୍ଣ (୩୭)ଙ୍କୁ ସର୍ବାଧିକ ୫ ୱିକେଟ୍ ସଫଳତାରେ ଟପିବାର ସୁବର୍ଣ୍ଣ ସୁଯୋଗ ରହିବ।
ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ରେ ସର୍ବାଧିକ ୱିକେଟ୍ ଦଖଲକାରୀ ହେବାର ଗୌରବ ହାସଲ କରିପାରନ୍ତି।
ଟେଷ୍ଟ୍ ଇତିହାସରେ ସପ୍ତମ ସର୍ବାଧିକ ୱିକେଟ୍ ଦଖଲକାରୀ ହୋଇପାରନ୍ତି, ନାଥନ ଲାୟନଙ୍କୁ ଟପିବେ।
ଚେନ୍ନାଇ ଟେଷ୍ଟ୍ ୪ ଦିନରେ ଶେଷ ହୋଇଯିବା ପରେ ଭାରତ ଓ ବାଂଲାଦେଶ ଦଳ ସେମାନଙ୍କ ଡବ୍ଲ୍ୟୁଟିସି ପଏଣ୍ଟକୁ ଅଧିକ ଦୃଢ଼ କରିବା ପାଇଁ କାନପୁର ଉପରେ ନଜର ରଖିଛନ୍ତି। ୨୦୨୧ ମସିହା ପରେ ଏହି ଗ୍ରିନ୍ ପାର୍କ ଷ୍ଟାଡିୟମ୍ରେ ପ୍ରଥମ ଥର କୌଣସି ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବାକୁ ଯାଉଛି। କିନ୍ତୁ ଏହି ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍କୁ ଷ୍ଟାଡିୟମ୍ରେ ଦେଖିବା ବେଳେ ଦର୍ଶକଙ୍କ ପାଇଁ ବଡ଼ ବିପଦ ମୁଣ୍ଡ ଉପରେ ରହିବ। ଏକ ଜାତୀୟ ଖବରକାଗଜ ରିପୋର୍ଟ ଅନୁସାରେ, ଗୋଟିଏ ଗ୍ୟାଲେରିକୁ ଉତ୍ତରପ୍ରଦେଶ ପୂର୍ତ୍ତ ବିଭାଗ ‘ବିପଦପୂର୍ଣ୍ଣ’ ମାନ୍ୟତା ଦେଇଛି। ଏହି ଗ୍ୟାଲେରିରେ ଯଦି ପୂର୍ଣ୍ଣ କ୍ଷମତାରେ ଦର୍ଶକ ବସନ୍ତି, ତାହେଲେ ଏହା ଭୁଶୁଡ଼ିଯିବ। ପୂର୍ତ୍ତ ବିଭାଗ ରିପୋର୍ଟ ପାଇବା ପରେ ଉତ୍ତରପ୍ରଦେଶ କ୍ରିକେଟ୍ ସଂଘ ପକ୍ଷରୁ ଉକ୍ତ ଗ୍ୟାଲେରି ଟିକେଟ୍ ବିକ୍ରି କରା ନଯିବାକୁ ନିଷ୍ପତ୍ତି ହୋଇଥିବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଙ୍କିତ ଚାଟାର୍ଜୀ କହିଛନ୍ତି। ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ ଷ୍ଟାଡିୟମ୍ର ବାଲ୍କୋନି ସି’ ଗ୍ୟଲେରିରେ ଅନେକ ସମୟ ଧରି ଯାଞ୍ଚ କରିଥିଲେ। ଯନ୍ତ୍ରୀମାନଙ୍କ କହିବାନୁସାରେ ଯଦି ଗ୍ୟାଲେରିରେ ଅନ୍ୟୂନ ୫୦ ଜଣ ବି ବସନ୍ତି ଓ ଋଷଭ ପନ୍ତ ଛକା ମାରିଲେ ଉତ୍ଫୁଲ୍ଲିତ ହୋଇ ନାଚନ୍ତି, ତାହେଲେ ଏହି ଭାରକୁ ଗ୍ୟାଲେରି ସହ୍ୟ କରିପାରିବନି। ତେଣୁ ଏହି ଗ୍ୟାଲେରିର ମରାମତି କରାଯିବା ନିହାତି ଆବଶ୍ୟକ ରହିଥିବା ଯନ୍ତ୍ରୀମାନେ କହିଛନ୍ତି।
ନୀରବ ନାୟକ ଜାଡ଼େଜା
ଭାରତୀୟ ଟେଷ୍ଟ୍ ଦଳର ମୁଖ୍ୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ସହିତ ଅନ୍ୟପଟରୁ ବୋଲିଂ କରିବା ବେଳେ ଯେକୌଣସି ବୋଲରଙ୍କ ପାଇଁ ତାହା ଆହ୍ବାନଭରା ହୋଇଥାଏ। ଏପରିକି ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ମଧ୍ୟ ଏହି ଆହ୍ବାନର ସମ୍ମୁଖୀନ ହୋଇଛନ୍ତି। ଯେଉଁଥିପାଇଁ ସେ ବିଶ୍ବର ଅନ୍ୟତମ ବିରଳ ମାଇଲ୍ଖୁଣ୍ଟରେ ପହଞ୍ଚିବାଠୁ ମାତ୍ର ଗୋଟିଏ ୱିକେଟ୍ ଦୂରରେ ଅଛନ୍ତି। ଟେଷ୍ଟ୍ କ୍ରିକେଟ୍ରେ ୩୦୦ ୱିକେଟ୍ ଓ ୩୦୦୦ ରନ୍ ମାଇଲ୍ଖୁଣ୍ଟ ଯେଉଁମାନେ ଅତିକ୍ରମ କରିଛନ୍ତି, ସେମାନଙ୍କୁ ଏଲିଟ୍ ଖେଳାଳିଙ୍କ ମାନ୍ୟତା ଦିଆଯାଉଛି। ଜାଡ଼େଜା ବର୍ତ୍ତମାନ ସୁଦ୍ଧା ୩୧୨୨ ରନ୍ ସଂଗ୍ରହ କରିସାରିଥିଲା ବେଳେ ୨୯୯ ୱିକେଟ୍ ଅକ୍ତିଆର କରିଛନ୍ତି। ଏହି ମାଇଲ୍ଖୁଣ୍ଟରେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୦ ଜଣ ଖେଳାଳି ପହଞ୍ଚିପାରିଛନ୍ତି। ଭାରତରୁ କେବଳ କପିଳ ଦେବ ଓ ଅଶ୍ବିନ ହିଁ ମାଇଲ୍ଖୁଣ୍ଟ ଅତିକ୍ରମ କରିଛନ୍ତି। ଜାଡ଼େଜା ତୃତୀୟ ଭାରତୀୟ ହେବାକୁ ଯାଉଛନ୍ତି।
ଏହି ଅଲ୍ରାଉଣ୍ଡର୍ଙ୍କ ବିଷୟରେ ଚର୍ଚ୍ଚା ହେଉଥିବା ବେଳେ ଜାଡ଼େଜାଙ୍କ ନାମ ଖୁବ୍ କମ୍ ଆଲୋଚନା ହୋଇଥାଏ। ତାହାର କାରଣ ହେଉଛି ସେ ସବୁବେଳେ ଚର୍ଚ୍ଚାଠୁ ଦୂରେଇ ରୁହନ୍ତି ଓ ଦେଖେଇ ହୁଅନ୍ତିନି। କିନ୍ତୁ ଅଶ୍ବିନ ଅନେକ ସମୟରେ ତାଙ୍କ ଦକ୍ଷତା ବିଷୟରେ ସାମ୍ବାଦିକ ସମ୍ମିଳନୀରେ କିମ୍ବା ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆଲୋଚନା କରିଥାନ୍ତି। ହେଲେ ଜାଡ଼େଜା ଚୁପ୍ଚାପ୍ ରହି କାମ କରିବାକୁ ପସନ୍ଦ କରନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍ର ଉଚ୍ଚତର ଚାପ ପରିସ୍ଥିତିରେ ଜାଡ଼େଜା ଲଢ଼ୁଆ ଖେଳ ପ୍ରଦର୍ଶନ କରିଥିଲେ। ଉଭୟ ଜାଡ଼େଜା ଓ ଅଶ୍ବିନ ୧୬୬/୬ ସ୍ଥିତି ବେଳେ ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ସପ୍ତମ ୱିକେଟ୍ରେ ୧୯୯ ରନ୍ର ଭାଗୀଦାରି ଗଢ଼ି ସ୍କୋର ୩୭୬ରେ ପହଞ୍ଚାଇ ଦେଇଥିଲେ। ଜାଡ଼େଜା ଗୁରୁତ୍ବପୂର୍ଣ୍ଣ ୮୬ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଅଶ୍ବିନଙ୍କ ଶତକ ସ୍ପଟ୍ଲାଇଟ୍ ଥିଲା। ମ୍ୟାଚ୍ରେ ଜାଡ଼େଜାଙ୍କ ୫ ୱିକେଟ୍ ଅଶ୍ବିନଙ୍କ ୬ ୱିକେଟ୍ ସଫଳତା ଆଗରେ ଲୁଚିଯାଇଥିଲା। ସକିବ୍ ଅଲ୍ ହାସନ୍ଙ୍କ ବିପକ୍ଷରେ ରଣନୀତିକୁ ପ୍ରଶଂସା କରାଯାଉଥିବା ବେଳେ ଲିଟନ୍ ଦାସଙ୍କୁ ଆଉଟ୍ କରିବାରେ ଜାଡ଼େଜାଙ୍କ ଉଦ୍ୟମକୁ ଅଣଦେଖା କରିଦିଆଯାଇଥିଲା।
କିନ୍ତୁ ମ୍ୟାଚ୍ ପରେ ଜାଡ଼େଜାଙ୍କ ଗୁରୁତ୍ବକୁ ଅଶ୍ବିନ ପ୍ରଶଂସା କରିଥିଲେ। ଜାଡ଼େଜାଙ୍କ ଖେଳ ପ୍ରେରଣାଦାୟୀ ବୋଲି ଅଶ୍ବିନ କହିବା ସହ ତାଙ୍କ ସହିତ ଚାଲୁଥିବା ଦୌଡ଼ରେ ଏବେ ସେ ଜଣେ ପ୍ରଶଂସକ ପାଲଟିଗଲେଣି ବୋଲି ପ୍ରତିକ୍ରିୟା ଦେଇଥିଲେ। ଏବେ ଜାଡ଼େଜାଙ୍କୁ ହରାଇବା ସମ୍ଭବ ନୁହେଁ ବୋଲି ଅଶ୍ବିନ ହୃଦ୍ବୋଧ କଲେଣି। ତେଣୁ ଆଉ ତାଙ୍କ ସହିତ କୌଣସି ଦୌଡ଼ କରିବା ଅପେକ୍ଷା ନିଜ ସ୍ଥାନକୁ ନେଇ ସନ୍ତୁଷ୍ଟ ଥିବା ସେ କହିଥିଲେ। ୨୦୧୨ ପରଠୁ ଉଭୟ ଜାଡ଼େଜା ଓ ଅଶ୍ବିନ ମିଳିତ ଭାବେ ୪୫ଟି ଘରୋଇ ଟେଷ୍ଟ୍ ଖେଳିଛନ୍ତି। ଯେଉଁଥିରୁ ୩୪ ବିଜୟ ମିଳିଥିଲା ବେଳେ ୩ଟି ପରାଜୟ ଓ ୮ ଅମୀମାଂସିତ ରହିଥିଲା। ଏହି ମ୍ୟାଚ୍ଗୁଡ଼ିକ ମଧ୍ୟରୁ ଜାଡ଼େଜା ୨୧୮ ଓ ଅଶ୍ବିନ ୨୬୩ ୱିକେଟ୍ ନେଇଥିଲେ।