ଅତୁଳନୀୟ ଅଶ୍ବିନ ଶତକ

ଲକ୍ଷ୍ୟ ୪୮୨, ଇଂଲଣ୍ଡ ୫୩/୩: ଭାରତର ବଡ଼ ବିଜୟ ସମ୍ଭାବନା

ଚେନ୍ନାଇ : ପିଚ୍ ଅସ୍ବାଭାବିକ ଭାବେ ଟର୍ନ ଓ ବାଉନ୍ସ ନେଉଥିଲା। ଅସମତଳ ଉଚ୍ଛାଳ ପାଇଁ ଲଗାତାର ୱିକେଟ୍ ହରାଇ ଦଳ ମାତ୍ର ୧୦୬ ରନ୍‌ରେ ୬ ୱିକେଟ୍ ହରାଇଥିଲା। ପର୍ଯ୍ୟାପ୍ତ ଅଗ୍ରଣୀ ମିଳି ସାରିଥିଲେ ମଧ୍ୟ ବିଜୟ ସୁରକ୍ଷିତ କରିବା ଲାଗି ବଳକା ଚାରି ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ଜଣଙ୍କ ବ୍ୟାଟ୍‌ରୁ ଏକ ବଡ଼ ପାଳିର ଦରକାର ଥିଲା। ଏଭଳି ଆହ୍ବାନପୂର୍ଣ୍ଣ ପରିସ୍ଥିତିରେ ଅଦମ୍ୟ ସାହସ, ଅସାଧାରଣ ଏକାଗ୍ରତା ତଥା କଷ୍ଟକର ପିଚ୍‌ରେ କିଭଳି ବ୍ୟାଟିଂ କରିବାକୁ ହୁଏ ତା’ର ଅପୂର୍ବ ଉଦାହରଣ ସୃଷ୍ଟି କରି ସ୍ଥାନୀୟ ତାରକା ରବିଚନ୍ଦ୍ରନ୍ ଅଶ୍ବିନ (୧୦୬ ରନ୍, ୧୪୮ ବଲ୍, ୧୪ ଚୌକା, ୧ ଛକା) ଅତୁଳନୀୟ ଶତକ ହାସଲ କଲେ। ଅଧିନାୟକ ବିରାଟ କୋହଲି ମଧ୍ୟ ୩ଘଣ୍ଟାରୁ ଅଧିକ କାଳ କ୍ରିଜ୍‌ରେ ଲଢ଼େଇ କରି ୬୨ ରନ୍‌ର ମହତ୍ବପୂର୍ଣ୍ଣ ପାଳି ଖେଳିଲେ। ଉଭୟଙ୍କ ମଧ୍ୟରେ ୯୮ ରନ୍‌ର ଅତ୍ୟନ୍ତ ଉପଯୋଗୀ ଭାଗୀଦାରି ପରେ ଦ୍ବିତୀୟ ପାଳିରେ ଭାରତ ୨୮୬ ରନ୍‌ର ସମ୍ମାନଜନକ ସ୍କୋର କରି ନେଇଥିଲା। ପ୍ରଥମ ପାଳିର ୧୯୫ ରନ୍‌ ଅଗ୍ରଣୀକୁ ମିଶାଇ ଇଂଲଣ୍ଡ ସମ୍ମୁଖରେ ୪୮୨ ରନ୍‌ର ଅସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହେଲା। ଚେପକ୍‌ରେ ଭାରତ ରଚିଥିବା ଚକ୍ରବ୍ୟୂହରେ ଫସି ପ୍ରଥମ ପାଳିରେ ମାତ୍ର ୧୩୪ ରନ୍ କରିଥିବା ଇଂଲଣ୍ଡ ପାଇଁ ଏବେ ମ୍ୟାଚ୍ ବଞ୍ଚାଇବା ଆପାତତଃ ଅସମ୍ଭବ ମନେ ହେଉଛି। ଆଉ ସଂପୂର୍ଣ୍ଣ ଦୁଇ ଦିନର ଖେଳ ବାକିଥିଲା ବେଳେ ସୋମବାର ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୫୩ ରନ୍‌ରେ ୩ ୱିକେଟ୍ ହରାଇ ପରାଜୟ ଏଡ଼ାଇବା ଲାଗି ସଂଘର୍ଷ ଜାରି ରଖିଛି ଭ୍ରମଣକାରୀ ଦଳ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋରି ବର୍ଣ୍ଣସ୍‌ (୨୫) ଶତକ ହାସଲକାରୀ ଅଶ୍ବିନଙ୍କ ଶିକାର ହୋଇଥିଲା ବେଳେ ଡମ୍ ସିବ୍‌ଲେ (୩) ଓ ନାଇଟ୍ ୱାଚମ୍ୟାନ୍ ଜ୍ୟାକ୍ ଲିଚ୍ (୦) ଅକ୍ଷର ପଟେଲଙ୍କୁ ନିଜ ନିଜ ୱିକେଟ୍ ଉପହାର ଦେଇଛନ୍ତି। ଅମ୍ପାୟାରଙ୍କ ତ୍ରୁଟି ପାଇଁ ଭାଗ୍ୟ ବଳରେ ଜୀବନ ଦାନ ପାଇଥିବା ଅଧିନାୟକ ଜୋ ରୁଟ୍ ୨ ଏବଂ ଡାନ୍ ଲରେନ୍ସ ୧୯ ରନ୍ କରି ଅପରାଜିତ ରହିଛନ୍ତି। ଏବେବି ଦଳ ବିଜୟ ଲକ୍ଷ୍ୟଠାରୁ ୪୨୯ ରନ୍ ପଛରେ ରହିଛି। ଅନ୍ୟପକ୍ଷରେ ବଡ଼ ବିଜୟ ହାସଲ କରି ଆତ୍ମବିଶ୍ବାସ ଫେରି ପାଇବା ସହ ଚାରି ଟିକିଆ ଶୃଙ୍ଖଳାକୁ ୧-୧ ସ୍ଥିତିକୁ ଆଣିବାଠାରୁ ୭ ୱିକେଟ୍ ଦୂରରେ ରହିଛି ଭାରତ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ କିନ୍ତୁ ଅଶ୍ବିନଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି। ତାଙ୍କ ପାଳି ହିଁ ଆଜିର ଖେଳର ମୁଖ୍ୟ ଆକର୍ଷଣ ଥିଲା ବୋଲି ପ୍ରତିଷ୍ଠିତ କ୍ରିକେଟ୍ ପଣ୍ଡିତମାନେ ମତ ପୋଷଣ କରିଛନ୍ତି।

ଚେନ୍ନାଇର ସୁପରକିଙ୍ଗ୍‌
ଚର୍ଚାରେ ଥିବା ଚେପକ୍‌ ପିଚ୍‌ରେ ଭାରତ ସୋମବାର ୫୪/୧ରୁ ଦ୍ବିତୀୟ ପାଳିର ବଳକା ଖେଳ ଆରମ୍ଭ କରିଥିଲା। ତେବେ ସମାନ ସ୍କୋର (୫୫)ରେ ‌ଚେତେଶ୍ବର ପୂଜାରା (୭) ଓ ରୋହିତ ଶର୍ମା (୨୬)ଙ୍କୁ ହରାଇଥିଲା। ଅଜିଙ୍କ୍ୟ ରାହାଣେ (୧୦)ଙ୍କ ଆଗରୁ ବ୍ୟାଟିଂ ଆସିଥିବା ଋଷବ ପନ୍ତ (୮) ନିଜ ପ୍ରଥମ ପାଳି ପରାକ୍ରମ ଦେଖାଇ ପାରି ନଥିଲେ। ଅଲରାଉଣ୍ଡର ଅକ୍ଷର ପଟେଲ (୭) ଏକ ଅଙ୍କରେ ନିଜ ୱି‌କେଟ୍ ଫିଙ୍ଗି ଦେଇଥିଲେ। ଏହା ପରେ କୋହଲି-ଅଶ୍ବିନଙ୍କ ଯାଦୁ ଦେଖିବାକୁ ମିଳିଥିଲା। ବିଶେଷ କରି ନିଜ ଦାୟିତ୍ବବାନ ହେଲେ ଷ୍ଟ୍ରୋକ୍‌ଭରା ଶତକ ପାଇଁ ଅଶ୍ବିନ ସଂପ୍ରତି ବହୁ ପୂର୍ବତନ କ୍ରିକେଟରଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ୬୪ ବଲ୍‌ରୁ ୭ ଚୌକା ବଳରେ ଅର୍ଧଶତକ ପୂରଣ କରି ନେଇଥିବା ଏହି ତାମିଲନାଡୁ ତାରକା ୧୩୪ ବଲ୍‌ରୁ ୧୪ ଚୌକା ଓ ଗୋଟିଏ ଛକା ବଳରେ ପଞ୍ଚମ ଶତକ ପୂରଣ କରିଥିଲେ। ପୂର୍ବରୁ କେବଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚାରିଟି ଟେଷ୍ଟ୍ ଶତକ ହାସଲ କରିଥିବା ଅଶ୍ବିନଙ୍କର ଅନ୍ୟ କୌଣସି ଦେଶ ବିପକ୍ଷରେ ପ୍ରଥମ ଶତକ ଥିଲା। ନିଜ ଘରୋଇ ପଡ଼ିଆରେ ସେ ଯେତେବେଳେ ମୋଇନ ଅଲ୍ଲୀଙ୍କୁ ଚୌକା ମାରି ତିନି ଅଙ୍କ ଛୁଇଁଥିଲେ ସେତେବେଳେ ଦର୍ଶକଙ୍କ ଆନନ୍ଦ ଉଲ୍ଲାସ ଏବଂ ହ୍ବିସିଲ ଶବ୍ଦରେ ଏକପ୍ରକାର କମ୍ପି ଉଠିଥିଲା ଚେପକ୍‌। ତାଙ୍କ ଅସାଧାରଣ ପାଳିକୁ ନେଇ ଦିନ ସାରା ଟ୍ବିଟର୍‌ ବି ଚଳଚଞ୍ଚଳ ରହିଥିଲା। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ଅଶ୍ବିନଙ୍କ ପାଳିକୁ ଅତ୍ୟନ୍ତ ଉଚ୍ଚସ୍ତରୀୟ ବୋଲି ବର୍ଣ୍ଣନା କରିଥିଲେ। ଇଂଲଣ୍ଡର ଆଉ ଜଣେ ପୂର୍ବତନ ଅଧିନାୟକ ନାସିର ହୁସେନ ତାଙ୍କୁ ଚେନ୍ନାଇର ସୁପରକିଙ୍ଗ୍ ସମ୍ବୋଧନ କରିବା ସହ ଅବିଶ୍ବସନୀୟ ଶତକ ପାଇଁ ଅଶେଷ ଅଶେଷ ଅଭିନନ୍ଦନ ଜଣାଇଥିଲେ। ଭାରତୀୟ କ୍ରିକେଟର୍‌ ଭିଭିଏସ୍ ଲକ୍ଷ୍ମଣ, ୱାସିମ୍ ଜାଫର ପ୍ରମୁଖ ମଧ୍ୟ ଅଶ୍ବିନଙ୍କ ପାଳିକୁ ସ୍ବତନ୍ତ୍ର ଏବଂ ଅତୁଳନୀୟ ବୋଲି କହିଥିଲେ। ଅଶ୍ବିନ ନିଜ ସ୍ମରଣୀୟ ଶତକର ଶ୍ରେୟ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋରଙ୍କୁ ଦେଇଥିଲେ। ସବୁଠାରୁ ବଡ଼ କଥା ହେଲା ଆଜି ଅଶ୍ବିନ ନିଜ ଖେଳ ଜୀବନରେ ତୃତୀୟ ଥର ପାଇଁ ପାଞ୍ଚ ୱିକେଟ୍ ସଫଳତା ସହ ଶତକ ଅର୍ଜନ କରିଥିଲେ। ଅଲରାଉଣ୍ଡ ପ୍ରଦର୍ଶନ କରି ଅଷ୍ଟମ ସ୍ଥାନରେ ଖେଳି ସେହି ତୃତୀୟ ଥର ପାଇଁ ତିନି ଅଙ୍କ ଛୁଇଁ ଥିଲେ। ଏହି କ୍ଷେତ୍ରରେ ସଂପ୍ରତି ସେ କେବଳ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଡାନିଏଲ୍ ଭିଟ୍ଟୋରି (୫)ଙ୍କ ପଛରେ ରହିଛନ୍ତି।

ପୂଜାରାଙ୍କ ବିଚିତ୍ର ରନ୍ଆଉଟ୍
ଭାରତୀୟ ପାଳିର ବିଂଶ ଓଭରର ଶେଷ ବଲ୍‌ରେ ଚେତେଶ୍ବର ପୂଜାରାଙ୍କ ବିଚିତ୍ର ରନ୍‌ଆଉଟ୍ ବି ଦିନସାରା ଚର୍ଚାରେ ରହିଥିଲା। ସେ ମୋଇନ ଅଲ୍ଲୀଙ୍କ ଷ୍ଟମ୍ପ୍‌ ଉପରେ ଥିବା ବଲ୍‌କୁ ଆଗକୁ ଆସି ଖେଳିବା ବେଳେ ଏହା ମାଟିରେ ମାଡ଼ ହୋଇ ସର୍ଟ ଲେଗ୍‌ରେ ଥିବା ଓଲି ପୋପ୍‌ଙ୍କ ହାତକୁ ଚାଲି ଯାଇଥିଲା। ପୋପ୍ ତୁରନ୍ତ ଏହାକୁ ୱିକେଟ୍ ରକ୍ଷକ ବେନ୍ ଫୋକ୍ସଙ୍କ ହାତକୁ ଫିଙ୍ଗି ପୂଜାରାଙ୍କୁ ରନ୍ ଆଉଟ୍ କରିବାକୁ ଚେଷ୍ଟା କରିଥିଲେ। କ୍ରିଜ୍‌କୁ ଫେରିବା ଲାଗି ପୂଜାରାଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ଥିଲେ ମଧ୍ୟ ଦୁର୍ଭାଗ୍ୟଜନକ ଭାବେ ତାଙ୍କ ବ୍ୟାଟ୍‌ ଗୋଡ଼ରେ ଛନ୍ଦି ହୋଇ ହାତରୁ ଖସି ପଡ଼ିଥିଲା। ବାମହାତ ବଢ଼ାଇ କ୍ରିଜ୍ ଛୁଇଁଦେବାକୁ ସେ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ଏହା ପୂର୍ବରୁ ଫୋକ୍ସ ଷ୍ଟମ୍ପ ଭାଙ୍ଗି ଦେଇଥିଲେ। ରିପ୍ଲେରୁ ବେଲ୍ ଖସିଲା ବେଳକୁ ‌କ୍ରିଜ୍ ବାହାରେ ଥିବା ସ୍ପଷ୍ଟ ହେବା ପରେ ଦୁଃଖର ସହ ପ୍ୟାଭିଲିୟନ ଫେରିବାକୁ ବାଧ୍ୟ ହୋଇଥିଲେ ପୂଜାରା।

ଜୈବ ବଳୟ ଉଲ୍ଲଂଘନ କଲେ ଦଶମ ଶ୍ରେଣୀ ଛାତ୍ର
ସୋମବାର ଚେନ୍ନାଇର ଜଣେ ସ୍ଥାନୀୟ ଦଶମ ଶ୍ରେଣୀ ଛାତ୍ର ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଇ ଖେଳାଳିଙ୍କ ଜୈବ ବଳୟ ଭିତରକୁ ଅଚାନକ ଚାଲି ଆ‌ସିଥିଲେ। ଏହି ଘଟଣା ମଧ୍ୟାହ୍ନ ଭୋଜନ ବିରତି ବେଳେ ଘଟିଥିଲା। ପଡ଼ିଆ ମଝିରେ ଥିବା ଏକ ପିଚ୍‌ରେ ସଂରକ୍ଷିତ ଇଂଲଣ୍ଡ ଖେଳାଳିମା‌ନେ ଅଭ୍ୟାସ କରୁଥିଲା ବେଳେ ଏହି କିଶୋର ଜଣକ ୧୨ ମିଟର ଲମ୍ବା ଚେପକ ପାଚେରିକୁ ଚଢ଼ି ସିଧା ପଡ଼ିଆ ଭିତରକୁ ଦୌଡ଼ିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ଷ୍ଟାଣ୍ଡରେ ଥିବା କୌଣସି ପୁଲିସକର୍ମୀ ତାଙ୍କୁ ଅଟକାଇ ନଥିଲେ। ଇଂଲଣ୍ଡ ଖେଳାଳିଙ୍କ ସହ ହାତ ମିଳାଇବାକୁ ଚାହୁଥିଲେ ସେ। ହେଲେ ଖେଳାଳିମାନେ ତାଙ୍କୁ ଗ୍ୟାଲେରିକୁ ଫେରିଯିବାକୁ କହିଥିଲେ। ଭାରତୀୟ ନୀଳ ଜର୍ସି ପିନ୍ଧିଥିବା ଏହି ଯୁବ ପ୍ରଶଂସକ ଏହା ପରେ ନିରାଶ ହୋଇ ପୁଣି ଥରେ ପାଚେରି ଡେଇଁ ଦର୍ଶକ ଷ୍ଟାଣ୍ଡକୁ ଚାଲି ଆସିଥିଲେ। ପୁଲିସ ପରେ ତାଙ୍କୁ କାବୁ କରି ନେଇଥିଲା। ହେଲେ ନାବାଳକ ହୋଇଥିବାରୁ କେବଳ ଚେତାବନୀ ଦେଇ ଛାଡ଼ି ଦେଇଥିଲା। ଏହି କାରଣରୁ ପୁଲିସ ତାଙ୍କ ନାଁ କିମ୍ବା ଠିକଣା ପ୍ରକାଶ କରି ନଥିଲେ। ତେବେ ସଂପୃକ୍ତ ପ୍ରଶଂସକଙ୍କ ଟିକେଟ୍‌କୁ ଜବତ କରାଯିବା ସହ ମ୍ୟାଚ୍‌ର ପରବର୍ତ୍ତୀ ଦୁଇ ଦିନ ତାଙ୍କୁ ଷ୍ଟାଡିୟମ୍‌ରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି କହିଥିଲା।

ସମ୍ବନ୍ଧିତ ଖବର