୨୩ ବଲ୍‌ରେ ୪ ଥର ସାଙ୍ଗାଙ୍କୁ ଆଉଟ୍ କରିଥିଲେ ଅଶ୍ବିନ୍‌

ନୂଆଦିଲ୍ଲୀ: ଶ୍ରୀଲଙ୍କାର ବ୍ୟାଟିଂ କିଂବଦନ୍ତି କୁମାର ସାଙ୍ଗାକାରା ସ୍ପିନରଙ୍କ ବିପକ୍ଷରେ ଭଲ ଖେଳନ୍ତି ବୋଲି ସମସ୍ତଙ୍କୁ ଜଣା। ହରଭଜନ ସିଂହ, ସଇଦ୍ ଆଜମଲ ଏବଂ ନାଥନ୍ ଲାୟନଙ୍କ ବିପକ୍ଷରେ ଚମତ୍କାର ବ୍ୟାଟିଂ କରନ୍ତି। ଟେଷ୍ଟ କ୍ରିକେଟ୍‌ରେ ହରଭଜନଙ୍କ ବିପକ୍ଷରେ ତାଙ୍କ ହାରାହାରି ୯୯.୩୩, ଆଜମଲଙ୍କ ବିପକ୍ଷରେ ୧୩୨.୭୫ ଏବଂ ଲାୟନଙ୍କ ବିପକ୍ଷରେ ୬୧ ରହିଛି। କିନ୍ତୁ ଭାରତୀୟ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ବିନଙ୍କ ବିପକ୍ଷରେ ସେ ଗୋଟିଏ ବର୍ଷ ଅତି ଦୟନୀୟ ପ୍ରଦର୍ଶନ କରିଥିଲେ। ଏହି କଥାକୁ ନିଜେ ପ୍ରକାଶ କରିଛନ୍ତି ଅଶ୍ବିନ୍। ୨୦୧୫ ମସିହାରେ ମାତ୍ର ୨୩ ବଲ୍‌ ଭିତରେ ସାଙ୍ଗାକାରାଙ୍କୁ ୪ ଥର ଆଉଟ୍ କରିଥିଲେ ଏହି ତାମିଲ ଅଫ୍‌ସ୍ପିନର୍‌। ତା ପୁଣି ନିଜ ଘରୋଇ ମାଟିରେ। ଅଶ୍ବିନ୍‌ କହିଥିଲେ ‘ମୁରଲୀ ଓ ଅଜମଲ ଭିନ୍ନ ଧରଣର ଅଫ୍‌ସ୍ପିନର। ଉଭୟ ଦୁସରା ଓ ଅଫ୍‌ସ୍ପିନ୍‌ ଦୃଷ୍ଟିକୋଣରୁ ଭଲ ବୋଲିଂ କରନ୍ତି। ପାରମ୍ପରିକ ଅଫ୍‌ସ୍ପିନରଙ୍କଠାରୁ ସେମାନେ ଭିନ୍ନ। ଉପରୁ ବୋଲିଂ କରି ସେମାନେ ଉଭୟ ସ୍ପିନ୍‌ ଓ ବାଉନ୍ସ ପାଇପାରନ୍ତି। କେବଳ ବ୍ୟାଟ୍ସମ୍ୟାନ୍ ସେମାନଙ୍କ କୌଶଳ ଧରିପାରିଲେ ହେଲା। ଆପଣ ଯଦି ସୁନିଲ ନରିନଙ୍କୁ ଦେଖିବେ ସେ ମଧ୍ୟ ସମାନ ଧରଣର।

ସେ ଶୂନ୍ୟରେ କିଛି କରନ୍ତି ନାହିଁ, ତାଙ୍କ ହାତରୁ ହିଁ ସବୁ କୌଶଳ ସୃଷ୍ଟି ହୋଇଥାଏ। ଯେଉଁମାନେ ତାଙ୍କୁ ହାତରୁ ପଢ଼ିପାରିବେ ସେମାନେ ହିଁ ସହଜରେ ବ୍ୟାଟିଂ କରିବେ। ଏଥି ପାଇଁ ମୁରଲୀଧରନଙ୍କୁ ବୀରେନ୍ଦ୍ର ସେହବାଗ ଭଲ ଖେଳନ୍ତି। ମୁଁ ବଡ଼ ଭାଗ୍ୟବାନ ୨୦୧୫ ମସିହା ଗସ୍ତରେ ଜୀବନର ଶ୍ରେଷ୍ଠ ଫର୍ମରେ ଥିଲି। ବଲ୍‌ ସ୍ବପ୍ନରୁ ଆସିବା ଭଳି ପଡୁଥିଲା। ମୋତେ ଅଧିକ କିଛି ଚିନ୍ତା କରିବାକୁ ପଡୁନଥିଲା। ମୋ ବୋଲିଂ ଢଙ୍ଗ ଓ ଲୟ ଠିକଣା ଦିଗରେ ରହୁଥିବାର ଅନୁଭବ ପାଇଥିଲି। ସାଙ୍ଗା ମଧ୍ୟ କିଛି ଭଲ ବଲ୍‌ର ସମ୍ମୁଖୀନ ହୋଇଥିଲେ। ମୁଁ ବାମହାତୀଙ୍କୁ ବୋଲିଂ କରିବାକୁ ଭଲ ପାଏ ଏବଂ ଶ୍ରୀଲଙ୍କାରେ ମଧ୍ୟ ବୋଲିଂ କରିବାକୁ ପସନ୍ଦ କରେ। ଶ୍ରୀଲଙ୍କା ପିଚ୍‌ ସ୍ପିନ୍ ପାଇଁ ଏତେ ଭଲ ନୁହେଁ, କିନ୍ତୁ ସେଠାରୁ ମିଳୁଥିବା ବାଉନ୍ସ ଓ ଗତିରୁ ଏଜ୍‌ ଯାଇ ସ୍ଲିପ୍‌ରେ ପହଞ୍ଚିଯାଏ। ତେଣୁ ମୁଁ ମୋ ଖେଳ ଜୀବନର ସେହି ପର୍ଯ୍ୟାୟକୁ ଢେର ଉପଭୋଗ କରିଥିଲି। ଠିକଣା ସମୟରେ ଠିକଣା ସ୍ଥାନରେ ବୋଲିଂ କରିବାର ସୁଯୋଗ ପାଇଥିଲି। ସାଙ୍ଗାକାରା ତାଙ୍କ ଖେଳ ଜୀବନ ଶେଷ କରିବାକୁ ଯାଉଥା’ନ୍ତି ଏବଂ ମୁଁ ମୋ ଖେଳ ଜୀବନକୁ ଉଠାଇବାକୁ ଚାହୁଁଥିଲି। ତେଣୁ ସାଙ୍ଗାଙ୍କ ବିପକ୍ଷରେ ମୁଁ ମୋ ଖେଳ ଜୀବନର ଠିକଣା ସମୟରେ ବୋଲିଂ କରିବା ସ‌ୁଯୋଗ ପାଇଥିଲି ବୋଲି ଅଶ୍ବିନ୍‌ ପ୍ରକାଶ କରିଥିଲେ। ସୁଚନାଯୋଗ୍ୟ, ଭାରତ ପାଇଁ ଅଶ୍ବିନ୍‌ ଅଦ୍ୟାବଧି ୭୧ ଟେଷ୍ଟ ଓ ୧୧୧ ଦିନିକିଆ ଖେଳି ଯଥାକ୍ରମେ ୩୬୫ ଓ ୧୫୦ ୱିକେଟ୍‌ ଅକ୍ତିଆର କରିଛନ୍ତି।

ସମ୍ବନ୍ଧିତ ଖବର