ଭୁବନେଶ୍ବର: ଆବୁଧାବିଠାରେ ଆୟୋଜିତ ପଞ୍ଚମ ବିଶ୍ବ କନିଷ୍ଠ, ଉପକନିଷ୍ଠ ଓ ବରିଷ୍ଠ ପେନ୍‌ଚାକ୍ ସିଲାଟ୍ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରି ଗୋଟିଏ ସ୍ବର୍ଣ୍ଣ ସହ ତିନିଟି ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଓଡ଼ିଶାର ଆନିଶ ଶର୍ମା ଉପକନିଷ୍ଠ ଓ ବିଦିତ ଗୁପ୍ତା କନିଷ୍ଠ ବର୍ଗରେ ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ଜିତିଥିଲା ବେଳେ ମାଷ୍ଟର୍ସ ବର୍ଗରେ ଶରଦ ଦାସ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଡିସେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ୬ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ।

Advertisment

ସେହିଭଳି ଓଡ଼ିଶା ପେନ୍‌ଚାକ୍ ସିଲାଟ୍ ସଂଘର ସଂପାଦକ ପ୍ରେମ୍ ସିଂହ ଥାପା ଏହି ପ୍ରତିଯୋଗିତାରେ ସଫଳତାର ସହ ରେଫରି ଦାୟିତ୍ବ ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏହି  ପଦକ ବିଜୟୀ ଖେଳାଳିଙ୍କୁ ଚାରିଆଡ଼ୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଛି। ଖୋର୍ଦ୍ଧା ଜିଲ୍ଲା ପେନ୍‌ଚାକ୍ ସିଲାଟ୍ ସଂଘର ସଂପାଦକ ଜିତେନ୍ଦ୍ର କୁମାର ରାଉତ, ଓଡ଼ିଶା ପେନ୍‌ଚାକ୍ ସିଲାଟ୍ ସଂଘର ସଭାପତି ତାପସ କୁମାର ରାୟ ଚୌଧୁରୀ, ଉପସଭାପତି ମନୋରଞ୍ଜନ ଭଞ୍ଜ, ଅରବିନ୍ଦ ବାରିକ, ଉପଦେଷ୍ଟା ସୁମନ ମୋଦୀ ପ୍ରମୁଖ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।