ଦୁବାଇ, : ଭାରତର ପୁରୁଖା ଅଫ୍ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ଚଳିତ ବର୍ଷର ଶ୍ରେଷ୍ଠ ଟେଷ୍ଟ୍ କ୍ରିକେଟର୍ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ମଙ୍ଗଳବାର ଆଇସିସିର କାଣ୍ଟଛାଣ୍ଟ ତାଲିକାରେ ରହିଥିବା ୪ ମନୋନୀତଙ୍କ ମଧ୍ୟରେ ଅଶ୍ବିନ୍ ସ୍ଥାନ ପାଇଛନ୍ତି। ଗତ ବର୍ଷକ ମଧ୍ୟରେ ଏହି ୩୫ ବର୍ଷ ବୟସ୍କ ସ୍ପିନ୍ ଅଲ୍ରାଉଣ୍ଡର ୮ ଟେଷ୍ଟ୍ରୁ ୧୬.୨୩ ହାରରେ ୫୨ ୱିକେଟ୍ ଦଖଲ କରିଥିଲା ବେଳେ ୨୮.୦୮ ହାରରେ ୩୩୭ (ଗୋଟିଏ ଶତକ) ରନ୍ ମଧ୍ୟ କରିଛନ୍ତି। ଫଳରେ କ୍ରିକେଟ୍ର ଏହି ଲମ୍ବା ଫର୍ମାଟ୍ରେ ୨୦୨୧ରେ ଅଶ୍ବିନ ବିଶ୍ବର ଜଣେ ଶ୍ରେଷ୍ଠ ସ୍ପିନର ଏବଂ ଅଲ୍ରାଉଣ୍ଡର ଭାବେ ଉଭା ହୋଇଥିବା ଆଇସିସି ତା’ ଇସ୍ତାହାରରେ କହିଛି। ଅଶ୍ବିନ ଅଷ୍ଟ୍ରେଲିଆ ବିପକ୍ଷ ସିଡ୍ନି ଟେଷ୍ଟ୍ରେ ୧୨୮ ବଲ୍ରୁ ୨୯ ରନ୍ର ଧୈର୍ଯ୍ୟପୂର୍ଣ୍ଣ ପାଳିରୁ ହିଁ ବର୍ଷ ଆରମ୍ଭ କରିଥିଲେ।
ହନୁମା ବିହାରୀଙ୍କ ସହ ତାଙ୍କ ଭାଗିଦାରୀ ସେହି ଟେଷ୍ଟ୍କୁ ଅମୀମାଂସିତ ରଖିବାରେ ଯଥେଷ୍ଟ ହୋଇଥିଲା। ଫଳରେ ଭାରତ ମଧ୍ୟ ଶୃଙ୍ଖଳା ୧-୧ ସ୍ତରକୁ ଆଣିପାରିଥିଲା। ଏହାପରେ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାରେ ୪ ମ୍ୟାଚ୍ରୁ ୧୪.୭୨ ହାରରେ ୩୨ ୱିକେଟ୍ ଏବଂ ବ୍ୟାଟ୍ରେ ୧୮୯ ରନ୍ କରି ଅଶ୍ବିନ୍ ମଧ୍ୟ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ସେ ମଧ୍ୟ ନ୍ୟୁଜିଲାଣ୍ଡ୍ ବିପକ୍ଷ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ସାଉଥମ୍ପଟନ୍ର ପେସ୍କୁ ସୁହାଉଥିବା ପିଚ୍ରେ ୪ ୱିକେଟ୍ ଅକ୍ତିଆର କରିଥିଲେ। ଇଂଲଣ୍ଡରେ ସମସ୍ତ ୪ ଟେଷ୍ଟ୍ରେ ଖେଳିବାରୁ ବଞ୍ଚିତ ରହିଥିବା ଅଶ୍ବିନ ନ୍ୟୁଜିଲାଣ୍ଡ୍ ବିପକ୍ଷ ଘରୋଇ ଶୃଙ୍ଖଳାରେ ଚମକ ଛାଡ଼ିଥିଲେ। ସେହି ଶୃଙ୍ଖଳାରେ ୨ ମ୍ୟାଚ୍ରୁ ୧୧.୩୬ ହାରରେ ୧୪ ୱିକେଟ୍ ସାଙ୍ଗକୁ କାନପୁର ଟେଷ୍ଟ୍ର ଉଭୟ ପାଳିରେ ଆକର୍ଷଣୀୟ ବ୍ୟାଟିଂ କରି ପୁଣି ଥରେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ଅଶ୍ବିନ୍ଙ୍କ ବ୍ୟତୀତ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ତାଲିକାରେ ରହିଥିବା ଅନ୍ୟ ୩ ଜଣ ହେଲେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍, ନ୍ୟୁଜିଲାଣ୍ଡ୍ ଦ୍ରୁତ ବୋଲର କାଇଲ ଜାମିସନ୍ ଏବଂ ଶ୍ରୀଲଙ୍କା ଓପ୍ନର ଦିମୁତ କରୁଣାରତ୍ନେ।