ପଡ଼ିଆରେ ଅଶ୍ବିନ୍‌ ହିଁ ବୋଲିଂ ଅଧିନାୟକ: ପ୍ରଜ୍ଞାନ

ନୂଆଦିଲ୍ଲୀ : ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଚମତ୍କାର ବୋଲିଂ କରିଚାଲିଛନ୍ତି। ବିଶେଷକରି ସେ ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଦୁଇ ଥର ଶିକାର କରିଛନ୍ତି। ଆଡିଲେଡ୍‌ରେ ମାତ୍ର ୧ ରନ୍‌ରେ ଆଉଟ୍‌ କରିଦେଇଥିଲା ବେଳେ ମେଲ୍‌ବର୍ନର ବକ୍ସିଂ ଡେ’ ଟେଷ୍ଟ୍‌ରେ ଖାତା ଖୋଲିବାକୁ ଦେଇନଥିଲେ। ଅଶ୍ବିନ୍‌ ଘରେ ହେଉ ବା ବିଦେଶରେ ଦୀର୍ଘ ବର୍ଷ ଧରି ଭାରତୀୟ ବୋଲିଂ ଆକ୍ରମଣର ମଙ୍ଗୁଆଳ ସାଜିଛନ୍ତି। ତେଣୁ ମୋ ମତରେ ଅଶ୍ବିନ୍‌ ହିଁ ପଡ଼ିଆ ଭିତରେ ବୋଲିଂ ଅଧିନାୟକ ବୋଲି କହିଛନ୍ତି ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝା। ଭାରତୀୟ ଟେଷ୍ଟ୍‌ କ୍ରିକେଟ୍‌ରେ ତାଙ୍କୁ ବୋଲିଂ ଅଧିନାୟକ ଭାବେ ବର୍ଣ୍ଣନା କରିଛନ୍ତି ପ୍ରଜ୍ଞାନ। ତାଙ୍କ ବୋଲିଂ ଓ ଯୋଜନା ସଂପର୍କରେ ସ୍ପୋର୍ଟସ ଟୁଡେ’କୁ ଏହା କହିଛନ୍ତି।

ସେ ପ୍ରକୃତରେ କ’ଣ କରିବାକୁ ଚାହାନ୍ତି ତାହା ଅଶ୍ବିନ୍‌ ଭଲ ଭାବେ ଜାଣନ୍ତି। ସେ କଦାପି ନିଜକୁ ଦୁର୍ବଳ ମନେ କରନ୍ତିନି। ଏପରିକି ସେ ଦଳରେ ସ୍ଥାନ ବଜାୟ ରଖିବା ପାଇଁ ‌ଖେଳନ୍ତିନି। ଏହାହିଁ ଜଣେ ଖେଳାଳିଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଭାବନା। ଖରାପ ପ୍ରଦର୍ଶନ ପାଇଁ ତୁମେ ଯଦି ଦଳରୁ ବାଦ୍‌ ପଡ଼ିବା କଥା ଚିନ୍ତା କରିବ ତାହାଲେ ତୁମ ପ୍ରଦର୍ଶନ ପ୍ରଭାବିତ ହେବ। ଯାହାକୁ ଅଶ୍ବିନ୍‌ ପ୍ରମାଣିତ କରୁଛନ୍ତି ବୋଲି ପ୍ରଜ୍ଞାନ କହିଛନ୍ତି। ଅଶ୍ବିନ୍‌ ସବୁବେଳେ ନିର୍ଭୟ ଆଭିମୁଖ୍ୟ ରଖି ବୋଲିଂ କରନ୍ତି। ପ୍ରତ୍ୟେକ ପରିସ୍ଥିତିରେ ସେ ନିଜ ବୋଲିଂରେ ଉନ୍ନତି ଆଣନ୍ତି। ପରିବେଶ ଯାହା ହୋଇଥାଉନା କାହିଁକି ସେ ଚିନ୍ତା କରନ୍ତିନି। ଖାସ୍‌ ସେଇଥିପାଇଁ ଅଶ୍ବିନ୍‌ ପ୍ରାୟ ୩୭୫ ଟେଷ୍ଟ୍‌ ୱିକେଟ୍‌ ଦଖଲ କରିସାରିଲେଣି। ତେଣୁ ମୋ ମତରେ ସେ ଜଣେ ଚମତ୍କାର ଯୋଜନାକାରୀ। ସେ ସର୍ବଦା ଦଳ ପାଇଁ ଖେଳନ୍ତି। ତେଣୁ ସେ ହିଁ ପଡ଼ିଆରେ ବାସ୍ତବ ବୋଲିଂ ଅଧିନାୟକ ବୋଲି ପ୍ରଜ୍ଞାନ କହିଛନ୍ତି।

ସମ୍ବନ୍ଧିତ ଖବର