ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଡ଼େଜା ଭାରତ ପାଇଁ ସବୁଠୁ ସଫଳ ଟେଷ୍ଟ୍‌ ବୋଲିଂ ଯୋଡ଼ି ହୋଇପାରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ୍‌ରେ ଏହି ଯୋଡ଼ି ଭାରତୀୟ ଭାବେ ନୂଆ କୀର୍ତ୍ତିମାନ କରିଛନ୍ତି। ଏହି ମ୍ୟାଚ୍‌ରେ ଉଭୟ ୩-୩ ୱିକେଟ୍‌ ନେବା ସହ ମୋଟ ଉପରେ ୫୦୨* ୱିକେଟ୍‌ ଅକ୍ତିଆର କରିସାରିଲେଣି। ପୂର୍ବରୁ ଅନୀଲ କୁମ୍ବଲେ ଓ ହରଭଜନ ସିଂହ ୫୪ ମ୍ୟାଚ୍‌ରୁ ୫୦୧ ୱିକେଟ୍‌ ନେଇଥିଲେ। ତେବେ ଏହି ତାଲିକାରେ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ ଓ ଷ୍ଟୁଆର୍ଟ ବ୍ରଡ୍‌ ସବୁଠୁ ଆଗରେ ଅଛନ୍ତି। ଏମାନେ ୧୩୮ ମ୍ୟାଚ୍‌ରୁ ୧୦୩୯ ୱିକେଟ୍‌ ନେଇସାରିଲେଣି।
ଭାରତୀୟ ବୋଲିଂ ଯୋଡ଼ିଙ୍କ ସର୍ବାଧିକ ଟେଷ୍ଟ ୱିକେଟ୍‌
ରବିଚନ୍ଦ୍ରନ ଅଶ୍ବିନ-ରବୀନ୍ଦ୍ର ଜାଡ଼େଜା-୫୦୩*
ଅନୀଲ କୁମ୍ବଲେ-ହରଭଜନ ସିଂହ-୫୦୧
ଜାହିର ଖାନ୍‌-ହରଭଜନ ସିଂହ-୪୭୪
ରବିଚନ୍ଦ୍ରନ ଅଶ୍ବିନ-ଉମେଶ ଯାଦବ-୪୩୧
ଅନୀଲ କୁମ୍ବଲେ-ଜାଭଗଲ ଶ୍ରୀନାଥ-୪୧୨

Advertisment

ଧୋକାଦେଲା ଡିଆର୍‌ଏସ୍‌
ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିନ ଡିଆର୍‌ଏସ୍‌ରେ ଭାରତ ପାଇଁ ଖରାପ ସମୟ ଥିଲା। ଦିନ ଭିତରେ ରୋହିତ ତିନିଥର ରିଭ୍ୟୁ ନେଇଥିଲେ ମଧ୍ୟ ସବୁଗୁଡ଼ିକ ଖାରଜ ହୋଇଥିଲା। କିନ୍ତୁ ଗୋଟିଏ ରିଭ୍ୟୁ ଭାରତ ସପକ୍ଷରେ ଯିବା ଭଳି ଦେଖାଯାଉଥିଲା, କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ତାହା ଭାରତ ବିପକ୍ଷରେ ଯାଇଥିଲା। ଜାଡ଼େଜାଙ୍କ ବଲ୍‌କୁ ଜୋ ରୁଟ୍‌ ସ୍ବିପ୍‌ ମାରୁଥିଲା ବେଳେ ବଲ୍‌ ତାଙ୍କ ପ୍ୟାଡ୍‌ରେ ବାଜିଥିଲା। ଏଲ୍‌ବିଡବ୍‌ଲ୍ୟୁ ଅପିଲ୍‌ କରାଯିବା ପରେ ଅମ୍ପାୟାର ନଟ୍‌ଆଉଟ୍‌ ଘୋଷଣା କରିଥିଲେ। କିନ୍ତୁ ଜାଡ଼େଜାଙ୍କ ପରାମର୍ଶ ପରେ ରୋହିତ ରିଭ୍ୟୁ ନେଇଥିଲେ। ବଲ୍‌ ବ୍ୟାଟ୍‌ ପାଖ ଦେଇ ଗତି କରିବା ପୂର୍ବରୁ ଅଲ୍‌ଟ୍ରାଏଜ୍‌ରେ ସ୍ପାଇକ୍‌ ଦେଖାଯାଉଥିଲା। ବଲ୍‌ଠୁ ବ୍ୟାଟ୍‌ ମଧ୍ୟରେ ଦୂର‌ତା ଥିଲେ ମଧ୍ୟ ସ୍ପାଇକ୍‌କୁ ନେଇ ତୃତୀୟ ଅମ୍ପାୟାର ମଧ୍ୟ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ। ଅଧିକ ସମୟ ନେଇ ଭିନ୍ନଭିନ୍ନ ପଟରୁ ଯାଞ୍ଚ କରିବା ପରେ ଅମ୍ପାୟାର ବ୍ୟାଟର୍‌ଙ୍କ ସପକ୍ଷରେ ଯାଇଥିଲେ। ଏହାପରେ କିନ୍ତୁ ରୁଟ୍‌ଙ୍କୁ ଭାଷ୍ୟକାର ରବି ଶାସ୍ତ୍ରୀ ‘ଭାଗ୍ୟବାନ୍‌’ ‌ବୋଲି କହିଥିଲେ। କିନ୍ତୁ ରୁଟ୍‌ ମ୍ୟାଚ୍‌ରେ ୨୯ ରନ୍‌ କରି ଜାଡ଼େଜାଙ୍କ ହାତରେ ଆଉଟ୍‌ ହୋଇଥିଲେ।

ଇଂଲଣ୍ଡ ସ୍କୋର୍‌ରୁ ୧ ରନ୍‌ କଟିଲା
ଶୃଙ୍ଖଳାର ପ୍ରଥମ ଦିନରେ ୧ ରନ୍‌କୁ ନେଇ ବଡ଼ ଦ୍ବନ୍ଦ୍ବ ଦେଖିବାକୁ ମିଳିଥିଲା। ଏକ ଓଭରଥ୍ରୋରୁ ଇଂଲଣ୍ଡକୁ ୬ ରନ୍‌ ଦିଆଯାଇଥିଲା ବେଳେ ପରବର୍ତ୍ତୀ ସମୟରେ ଅମ୍ପାୟାର ନିଷ୍ପତ୍ତି ବଦଳାଇ ତାହାକୁ ୫ ରନ୍‌ କରିଥିଲେ। ଇଂଲଣ୍ଡ ବ୍ୟାଟର୍‌ ରେହାନ ଅହମଦଙ୍କ ପ୍ୟାଡ୍‌କୁ ଯଶପ୍ରୀତ୍‌ ବୁମ୍‌ରା ଏକ ଫୁଲ୍‌ଟସ୍‌ ବଲ୍‌ ପକାଇଥିଲେ। ତାହାକୁ ରେହାନ୍‌ ସ୍କୋୟାର ଅଞ୍ଚଳକୁ ଫ୍ଲିକ୍‌ କରି ରନ୍‌ ନେଉଥିଲା ବେଳେ କ୍ଷେତ୍ରରକ୍ଷକଙ୍କ ଥ୍ରୋ ଲକ୍ଷ୍ୟହୀନ ହେବାରୁ ବଲ୍‌ ବ୍ୟାକଅପ୍‌ ଖେଳାଳିଙ୍କଠୁ ଦୂରରେ ଚାଲିଯାଇ ବାଉଣ୍ଡରିରେ ପହଞ୍ଚିଥିଲା। ପ୍ରଥମେ ଅମ୍ପାୟାର ଏହାକୁ ୬ ରନ୍‌ ଦେଇଥିଲେ। କିନ୍ତୁ ବଲ୍‌ ଥ୍ରୋ ହେବା ‌ସମୟରେ ଦୁଇ ବ୍ୟାଟର୍‌ ପରସ୍ପରକୁ ଅତିକ୍ରମ କରି ନଥିବାରୁ ଏହା ବାଉଣ୍ଡରି ସହିତ ୧ ରନ୍‌ ଗଣାଯାଇଥିଲା।

ଭାରତ-ଇଂଲଣ୍ଡ ଟେଷ୍ଟ୍‌ରେ ରୁଟ୍‌ ସର୍ବାଧିକ ରନ୍‌ ସଂଗ୍ରହକାରୀ
ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଉଥିବା ଟେଷ୍ଟ୍‌ ମ୍ୟାଚ୍‌ ମଧ୍ୟରେ ସଚିନ ତେନ୍ଦୁଲକର (୨୫୩୫)ଙ୍କୁ ପଛରେ ପକାଇ ଜୋ ରୁଟ୍‌ (୨୫୫୪) ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଛନ୍ତି। ମ୍ୟାଚ୍‌ ପୂର୍ବରୁ ରୁଟ୍‌ଙ୍କୁ ଏହି କୀର୍ତ୍ତିମାନ କରିବାକୁ ୧୦ ରନ୍‌ ଆବଶ୍ୟକ ହେଉଥିଲା ବେଳେ ୨୧ ତମ ଓଭରରେ ଅକ୍ଷର ପଟେଲ୍‌ଙ୍କୁ ଚୌକା ମାରି ସେ କୀର୍ତ୍ତିମାନ କରିଥିଲେ। ରୁଟ୍‌ଙ୍କ ଏହି କୀର୍ତ୍ତିମାନ ମଧ୍ୟରେ ୯ ଶତକ ଓ ୧୦ ଅର୍ଦ୍ଧଶତକ ମଧ୍ୟ ରହିଛି। ୨୦୨୧ରେ ଚେନ୍ନାଇରେ କରିଥିବା ଦ୍ବିଶତକ (୨୧୮) ତାଙ୍କର ସର୍ବୋଚ୍ଚ ସ୍କୋର। ଏହି ତାଲିକାରେ ସୁନିଲ ଗାଭାସ୍କର (୨୩୪୮) ତୃତୀୟ, ଅଲିଷ୍ଟର କୁକ୍‌ (୨୪୩୧) ଚତୁର୍ଥ ଓ ବିରାଟ କୋହଲି (୧୯୯୧) ପଞ୍ଚମ ସ୍ଥାନରେ ଅଛନ୍ତି।

publive-image

ରୋହିତଙ୍କ ପାଦ ଛୁଇଁଲେ ପ୍ରଶଂସକ
ରାଜୀବ ଗାନ୍ଧୀ ଷ୍ଟାଡିୟମ୍‌ରେ ସୁରକ୍ଷାକୁ ନେଇ ତ୍ରୁଟି ହୋଇଥିବା ଦେଖାଯାଇଛି। ଭାରତ ପାଳି ଆରମ୍ଭ ହେବା ସମୟରେ କୋହଲି ଜର୍ସି ପିନ୍ଧିଥିବା ଜଣେ ପ୍ରଶଂସକ ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆ ଭିତରକୁ ଦୌଡ଼ି ଆସିଥିଲା ବେଳେ ନନ୍‌ଷ୍ଟ୍ରାଇକ୍‌ ପଟରେ ଥିବା ଅଧିନାୟକ ରୋହିତ ଶର୍ମାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ। ତୁରନ୍ତ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରିନେବା ସହ ପଡ଼ିଆ ବାହାରକୁ ନେଇଯାଇଥିଲେ। ତେବେ ୪ ବର୍ଷ ପରେ ଏହି ପଡ଼ିଆରେ ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯାଉଥିବାରୁ ଦର୍ଶକଙ୍କ ମଧ୍ୟରେ ପସନ୍ଦର ଖେଳାଳିଙ୍କୁ ଦେଖିବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ମୁଖ୍ୟତଃ ଏହି ମ୍ୟାଚ୍‌ ପାଇଁ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଗ୍ୟାଲେରିରେ ବସିବାକୁ ଅନୁମତି ଦିଆଯାଇଥିଲା। ତଥାପି ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ପଡ଼ିଆ ଚାରିପଟେ ସୁରକ୍ଷାକର୍ମୀ ମୁତୟନ ଥିଲେ ମଧ୍ୟ ତାହାକୁ ଜଣେ ପ୍ରଶଂସକ ଅତିକ୍ରମ କରିଯାଇଥିବା ଦେଖାଯାଇଛି।