ଦୁବାଇ : ନାଗପୁର ଟେଷ୍ଟ୍ରେ ବଡ଼ ବିଜୟ ସତ୍ତ୍ବେ ଭାରତ ଦଳଗତ ମାନ୍ୟତାର ଦ୍ବିତୀୟ ସ୍ଥାନରେ ସ୍ଥିର ରହିଥିଲା ବେଳେ ବିଜୟର କର୍ଣ୍ଣଧାର ସାଜିଥିବା ଅଫ୍ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ବୋଲରଙ୍କ ମାନ୍ୟତାରେ ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଛନ୍ତି। ଏହି ଟେଷ୍ଟ୍ରେ ଅଶ୍ବିନ ୮ ୱିକେଟ୍ ଦଖଲ କରିଥିଲେ। ସେ ଏବେ ଆଇସିସି ଟେଷ୍ଟ୍ ବୋଲରଙ୍କ ମାନ୍ୟତାରେ ଶୀର୍ଷରେ ଥିବା ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସଙ୍କଠୁ ୨୧ ରେଟିଂ ପଏଣ୍ଟ ପଛରେ ରହିଛନ୍ତି।
ନାଗପୁର ଟେଷ୍ଟ୍ ବିଜୟରେ ଅନ୍ୟତମ ଭୂମିକା ନିଭାଇଥିବା ସ୍ପିନ୍ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜା ମଧ୍ୟ ମାନ୍ୟତାରେ ଉନ୍ନତି ଆଣିଛନ୍ତି। ଏହି ମ୍ୟାଚ୍ରେ ୭ ୱିକେଟ୍ ଅକ୍ତିଆର କରିବା ସାଙ୍ଗକୁ ମହତ୍ତ୍ବପୂର୍ଣ୍ଣ ଅର୍ଦ୍ଧଶତକୀୟ (୭୦ ରନ୍) ପାଳି ଖେଳିଥିବା ଜାଦେଜା ବୋଲରଙ୍କ ମାନ୍ୟତାରେ ୪ ସ୍ଥାନ ଉଠି ୧୬ରେ ପହଞ୍ଚିଥିଲା ବେଳେ ଅଲ୍ରାଉଣ୍ଡର ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ନାଗପୁରରେ ମାତ୍ର ଗୋଟିଏ ୱିକେଟ୍ ପାଇଥିଲେ ମଧ୍ୟ ବ୍ୟକ୍ତିଗତ ସର୍ବାଧିକ ଟେଷ୍ଟ୍ ସ୍କୋର୍ ୮୪ ରନ୍ କରିଥିବା ଅନ୍ୟତମ ସ୍ପିନ ଅଲ୍ରାଉଣ୍ଡର ଅକ୍ଷର ପଟେଲ ୬ ସ୍ଥାନ ଉଠି ଅଲ୍ରାଉଣ୍ଡରଙ୍କ ମାନ୍ୟତା ତାଲିକାରେ ସପ୍ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି।
ଅନ୍ୟପକ୍ଷରେ ନାଗପୁରର ଟର୍ଣ୍ଣି ପିଚ୍ରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଶତକୀୟ (୧୨୦ ରନ୍) ପାଳି ଖେଳିଥିବା ଅଧିନାୟକ ରୋହିତ ଶର୍ମା ବ୍ୟାଟର୍ଙ୍କ ତାଲିକାରେ ୨ ସ୍ଥାନ ଲମ୍ଫ ମାରି ଅଷ୍ଟମ ମାନ୍ୟତା ପାଇଛନ୍ତି। ତେବେ ନାଗପୁର ଟେଷ୍ଟ୍ ଖେଳିନଥିବା ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା ବୋଲରଙ୍କ ମାନ୍ୟତାରେ ପଞ୍ଚମ ସ୍ଥାନରେ ରହିଥିଲା ବେଳେ ଯୁବ ୱିକେଟ୍ରକ୍ଷକ/ବ୍ୟାଟର ଋଷଭ ପନ୍ତ୍ ବ୍ୟାଟର୍ଙ୍କ ମାନ୍ୟତାରେ ସପ୍ତମ ସ୍ଥାନରେ ଅଛନ୍ତି।