ଚେନ୍ନାଇ : ଭାରତରେ ସର୍ବାଧିକ ଟେଷ୍ଟ୍‌ ୱିକେଟ୍‌ ଅକ୍ତିଆର କରିବାରେ ରବିବାର ହରଭଜନ ସିଂହଙ୍କୁ ଟପି ଯାଇଛନ୍ତି ବରିଷ୍ଠ ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌। ଚେପକ୍‌ରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ଦ୍ବିତୀୟ ଦିବସରେ ଅଶ୍ବିନ୍‌ ଇଂଲଣ୍ଡ ପ୍ରଥମ ପାଳିର ୫ ୱିକେଟ୍‌ ଦଖଲ କରିଥିଲେ। ଏହି ସଫଳତା ବଳରେ ସେ ଭାରତରେ ସର୍ବାଧିକ ଟେଷ୍ଟ୍‌ ୱିକେଟ୍‌ ଦଖଲରେ ଦ୍ବିତୀୟ ହୋଇଛନ୍ତି। ହରଭଜନଙ୍କ ନାମରେ ୨୬୫ ୱିକେଟ୍‌ (ହାରାହାରି ୨୮.୭୬) ସଫଳତା ରହିଥିଲା ବେଳେ ଅଶ୍ବିନ୍‌ଙ୍କ ୱିକେଟ୍‌ ସଂଖ୍ୟା ୨୬୮ରେ ପହଞ୍ଚି ଯାଇଛି। ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ଶିକାର କରି ଅଶ୍ବିନ୍‌ ହରଭଜନଙ୍କୁ ଅତିକ୍ରମ କରିଥିଲେ। ଅଶ୍ବିନ୍‌ଙ୍କ ହାରାହାରି ୨୨.୬୭ ରହିଛି। ଏକ୍ଷେତ୍ରରେ ଅଶ୍ବିନ୍‌ ଏବେ କେବଳ ସ୍ପିନ୍‌ କିଂବଦନ୍ତି ଅନିଲ କୁମ୍ବଲେଙ୍କ ପଛକୁ ରହିଛନ୍ତି। କୁମ୍ବଲେ ଭାରତରେ ୩୫୦ (ହାରାହାରି ୨୪.୮୮) ଟେଷ୍ଟ୍‌ ୱିକେଟ୍‌ ନେଇ ଅଗ୍ରଣୀ ବୋଲର ରହିଛନ୍ତି। କୁମ୍ବଲେ ମଧ୍ୟ ମୋଟ ୬୧୯ ୱିକେଟ୍‌ (୧୩୨ ମ୍ୟାଚ୍‌) ସହ ଭାରତର ଅଗ୍ରଣୀ ୱିକେଟ୍‌ ଦଖଲକାରୀ ବୋଲର କୀର୍ତ୍ତିମାନ ନିଜ ନାମରେ ରଖିଛନ୍ତି। ମୋଟ ଟେ‌ଷ୍ଟ୍‌ ୱିକେଟ୍‌ ଦଖଲରେ ହରଭଜନ (୪୧୭, ୧୦୩ ମ୍ୟାଚ୍‌) ତୃତୀୟରେ ରହିଥିଲା ବେଳେ ୪୦୦ ଆଡ଼କୁ ଅଗ୍ରସର ହେଉଥିବା ଅଶ୍ବିନ୍‌ ଚତୁର୍ଥରେ ରହିଛନ୍ତି। ଅଶ୍ବିନ୍‌ଙ୍କ ମୋଟ ୱିକେଟ୍‌ ସଂଖ୍ୟା ୩୯୧ (୭୬* ମ୍ୟାଚ୍‌)ରେ ପହଞ୍ଚିଯାଇଛି। କିଂବଦନ୍ତି ଅଲ୍‌ରାଉଣ୍ଡର କପିଳ ଦେବ (୪୩୪, ୧୩୧ ମ୍ୟାଚ୍‌) କୁମ୍ବଲେଙ୍କ ପଛକୁ ଦ୍ବିତୀୟରେ ଅଛନ୍ତି। ଟେଷ୍ଟ୍‌ରେ ୨୦୦ ବାମହାତି ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ କରିବାରେ ମଧ୍ୟ ଅଶ୍ବିନ୍‌ ବିଶ୍ବର ପ୍ରଥମ ବୋଲର ହୋଇଛନ୍ତି।