ଅଶ୍ବିନ୍‌, ରୋହିତ ଓ ସୂର୍ଯ୍ୟଙ୍କ ଚମକ: ଇଂଲଣ୍ଡ ପରେ ହାରିଲା ଅଷ୍ଟ୍ରେଲିଆ

ବିଶ୍ବକପ୍‌ରେ ‌ବୋଲିଂ କରିବାକୁ ପାଣ୍ଡ୍ୟା ପ୍ରସ୍ତୁତ: ରୋହିତ

ଦୁବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଖେଳିଥିବା ଦୁଇଟି ଯାକ ଅଭ୍ୟାସ ମ୍ୟାଚ୍ ଜିତି ଭାରତୀୟ କ୍ରିକେଟ୍ ଦଳ ତା’ର ମନୋବଳକୁ ଆହୁରି ଦୃଢ଼ କରିଛି। ବୁଧବାର ଦ୍ବିତୀୟ ଅଭ୍ୟାସ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଏକତରଫା ଭାବେ ୮ ୱିକେଟ୍‌ରେ ହରାଇ ଦେଇଛି ଟିମ୍ ଇଣ୍ଡିଆ। ଏହା ପୂର୍ବରୁ ଖେଳିଥିବା ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ବି ଇଂଲଣ୍ଡକୁ ପରାସ୍ତ କରିଥିଲା କୋହଲି ବାହିନୀ। ତା ସହ ଅଭ୍ୟାସ ପର୍ଯ୍ୟାୟର ଦୁଇଟି ଯାକ ମ୍ୟାଚ୍ ଜିତି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ପ୍ରଥମ ଓ ଆନୁଷ୍ଠାନିକ ମ୍ୟାଚ୍ ପୂର୍ବରୁ ଭଲ ପ୍ରସ୍ତୁତି ‌କରିଛି। ଭାରତର ପାକିସ୍ତାନ ବିପକ୍ଷ ଏହି ବହୁ ପ୍ରତୀକ୍ଷିତ ମୁକାବିଲା ଆସନ୍ତା ୨୪ ତାରିଖରେ ଖେଳାଯିବ।

ଅଷ୍ଟ୍ରେଲିଆ ବିପକ୍ଷ ଆଜି ଅଭ୍ୟାସ ମୁକାବିଲାରେ ଭାରତୀୟ ବୋଲରଙ୍କ ସହ କାମଚଳା ଅଧିନାୟକ ରୋହିତ ଶର୍ମା (୬୦)ଙ୍କ ଚମକ ଦେଖିବାକୁ ମିଳିଥିଲା। ସେହିଭଳି ଆଇପିଏଲ୍‌ର ଦ୍ବିତୀୟ ପର୍ଯ୍ୟାୟରେ ଆଶାଜନକ ପ୍ରଦର୍ଶନ କରିପାରିନଥିବା ସୂର୍ଯ୍ୟକୁମାର ଯାଦବ (୩୮*) ମଧ୍ୟ ଫର୍ମକୁ ଫେରିବାର ସଙ୍କେତ ଦେଇଥିଲେ। ଫଳରେ ଅଷ୍ଟ୍ରେଲିଆ ଦେଇଥିବା ୧୫୩ ରନ୍‌ର ଲକ୍ଷ୍ୟକୁ ଭାରତ ଅତି ସହଜରେ ୧୩ ବଲ୍ ପୂର୍ବରୁ ଏବଂ ୨ ୱିକେଟ୍ ହରାଇ ହାସଲ କରିନେଇଥିଲା। କେଏଲ୍ ରାହୁଲ ଓ ରୋହିତ ଶର୍ମା ପ୍ରଥମ ୱିକେଟ୍‌ରେ ଦ୍ରୁତ ୬୮ ରନ୍ ଯୋଡ଼ିଥିଲେ। ରାହୁଲଙ୍କୁ ଆଷ୍ଟନ୍ ଆଗର ଦଶମ ଓଭରରେ ଆଉଟ୍ କରି ଯୋଡ଼ି ଭାଙ୍ଗିବା ପରେ ରୋହିତ ଓ ସୂର୍ଯ୍ୟକୁମାର ଭାରତ ପାଳିକୁ ସଫଳତାର ସହ ଆଗେଇ ନେଇଥିଲେ। ଅନ୍ୟମାନଙ୍କୁ ସୁଯୋଗ ଦେବା ଲାଗି ରୋହିତ ଅର୍ଦ୍ଧଶତକର ୧୦ ରନ୍ ପରେ ରିଟାର୍ଡ ଆଉଟ୍ ହୋଇଥିଲେ। ଏହା ପରେ ହାର୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ସୂର୍ଯ୍ୟକୁମାର ୧୭.୫ ଓଭରରେ ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ କରିଥିଲା। ହେଲେ ଭାରତୀୟ ବୋଲର ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିଲେ। ପ୍ରଥମ ଓଭରରେ ଓପନର ଡେଭିଡ୍ ୱାର୍ଣ୍ଣରଙ୍କ ସହ ମାତ୍ର ୧୧ ରନ୍‌ରେ ୩ ଜଣ କଙ୍ଗାରୁ ବ୍ୟାଟ୍ସମ୍ୟାନ୍‌ଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ତେବେ ଷ୍ଟିଭେନ୍ ସ୍ମିଥ୍‌ (୫୭)ଙ୍କ ଅର୍ଦ୍ଧଶତକ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ (୩୭) ଓ ମାର୍କସ ‌ଷ୍ଟୋଇନିସ୍ (୪୧*)ଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୨ ରନ୍ କରି ନେଇଥିଲା। ଭାରତ ପକ୍ଷରୁ ଭୁବନେଶ୍ବର କୁମାର, ରବିଚନ୍ଦ୍ରନ୍‌ ଅଶ୍ବିନ, ରବୀନ୍ଦ୍ର ଜାଦେଜା ଓ ରାହୁଲ ଚହର ୱିକେଟ୍ ନେଇଥିଲେ।

ବିଶ୍ବକପ୍‌ରେ ‌ବୋଲିଂ କରିବାକୁ ପାଣ୍ଡ୍ୟା ପ୍ରସ୍ତୁତ: ରୋହିତ

ଦୁବାଇ: ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଆଜିକାଲି ବୋଲିଂ କରୁନାହାନ୍ତି। ଫଳ ସ୍ବରୂପ ଭାରତୀୟ କ୍ରିକେଟ୍ ଦଳର ସନ୍ତୁଳନ ଏକପ୍ରକାର ବିଗିଡ଼ି ଯାଇଛି। ସେଥିପାଇଁ ସେ କେବେ ବୋଲିଂ କରିବା ଆରମ୍ଭ କରିବେ ସେକଥା ଉପରେ ପ୍ରଶଂସକଙ୍କ ତୀକ୍ଷ୍ଣ ନଜର ରହିଛି। ସାଥୀ ଖେଳାଳିମାନେ ପାଣ୍ଡ୍ୟା ବୋଲିଂ କରୁଥିବାର ଦେଖିବାକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି। ଏସବୁ ଆଶା ଆକାଂକ୍ଷା ଓ ଆଶଙ୍କାକୁ ବୁଧବାର ଦୂର କରିଛନ୍ତି ଭାରତୀୟ ସୀମିତ ଓଭର କ୍ରିକେଟ୍ ଦଳର ଉପଅଧିନାୟକ ରୋହିତ ଶର୍ମା। ବିଶ୍ବକପ୍ ବେଳକୁ ପାଣ୍ଡ୍ୟା ବୋଲିଂ କରିବାକୁ ପୂରା ପ୍ରସ୍ତୁତ ହୋଇଯାଇଥିବେ ବୋଲି ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍ ପୂର୍ବରୁ ଦେଇଥିବା ସାକ୍ଷାତକାରରେ ଦୃଢ଼ ଆଶାପୋଷଣ କରିଛନ୍ତି ରୋହିତ। ‘‘ହାର୍ଦିକ ଏବେ ବୋଲିଂ ଫିଟ୍‌ନେସ୍ ପାଇବାର ପୂରା ନିକଟରେ ଅଛନ୍ତି। ଆନୁଷ୍ଠାନିକ ଭାବେ ବୋଲିଂ କରିବାକୁ କିନ୍ତୁ ତାଙ୍କୁ ଆଉ କିଛି ସମୟ ଲାଗିବ। ମୁଁ ଭାବୁଛି ବିଶ୍ବକପ୍ ବେଳକୁ ପାଣ୍ଡ୍ୟା ବୋଲିଂ କରିବା ଆରମ୍ଭ କରିଦେବେ। ଆମ ପାଖରେ ବହୁତ ଦକ୍ଷ ଓ ଭଲ ବୋଲର ଅଛନ୍ତି। ହେଲେ ଆପଣଙ୍କୁ ସବୁବେଳେ ଷଷ୍ଠ ବୋଲର ବିକଳ୍ପର ଆବଶ୍ୟକ ରହିଥାଏ’’ ବୋଲି ରୋହିତ କହିଥିଲେ।

କୋହଲି ବୋଲର, ରୋହିତ ଅଧିନାୟକ
ନିୟମିତ ଅଧିନାୟକ ବିରାଟ କୋହଲି ବୁଧବାର ଉପଅଧିନାୟକ ରୋହିତ ଶର୍ମାଙ୍କୁ ନେତୃତ୍ବଭାର ଅର୍ପଣ କରିଥିଲେ। ନିଜ ପସନ୍ଦର ତୃତୀୟ ସ୍ଥାନରେ ବ୍ୟାଟିଂ ପାଇଁ ଆସିନଥିଲା ବେଳେ ବୋଲର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। କୋହଲି ଦୁଇ ଓଭର ବୋଲିଂ କରି ବିନା ୱିକେଟ୍‌ରେ ୧୨ ରନ୍ ବ୍ୟୟ କରିଥିଲେ। ଅନ୍ୟପକ୍ଷରେ ରୋହିତ ସଫଳତାର ସହ ଅଧିନାୟକ ଦାୟିତ୍ବ ତୁଲାଇବା ବ୍ୟତୀତ ବ୍ୟକ୍ତିଗତ ଭାବେ ଚମତ୍କାର ବ୍ୟାଟିଂ କରି ଭାରତକୁ ସହଜ ବିଜୟ ଉପହାର ଦେଇଥିଲେ। ଅନ୍ୟପକ୍ଷରେ ଦୁଇ ସଫଳ ଦ୍ରୁତ ବୋଲର ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ମିଳିଥିଲା।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ୨୦ ଓଭରରେ ୧୫୨/୫ (ଷ୍ଟିଭେନ ସ୍ମିଥ୍ ୫୭, ମାର୍କସ ଷ୍ଟୋଇନିସ୍ ୪୧*, ଗ୍ଲେନ୍ ମ୍ୟାକ୍ସୱେଲ୍ ୩୭, ଆର ଅଶ୍ବିନ ୨/୮, ରାହୁଲ ଚହର ୧/୧୭)। ଭାରତ ୧୭.୫ ଓଭରରେ ୧୫୩/୨ (ରୋହିତ ଶର୍ମା ୬୦, ରିଟାର୍ଡ ଆଉଟ୍, କେଏଲ୍ ରାହୂଲ ୩୯, ସୂର୍ଯ୍ୟକୁମାର ଯାଦବ ୩୮*, ଆଷ୍ଟନ୍ ଆଗର ୧/୧୪)।

ସମ୍ବନ୍ଧିତ ଖବର