ଦୁବାଇ: ଚଳିତ ଆଇପିଏଲ୍ର ପ୍ରଥମାର୍ଧରେ ୱେଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଦେଖିବାକୁ ମିଳିନଥିଲେ। ଯାହା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଥିଲା। ଖାଦ୍ୟ ବିଷାକ୍ତୀକରଣ ଜନିତ ଅସୁସ୍ଥତାରୁ ମୁକ୍ତ ହୋଇ ଫେରିବା ପରେ ଗେଲ୍ କିନ୍ତୁ ଧମାକା ପରେ ଓ ଧମାକା କରୁଛନ୍ତି। କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଚଳିତ ଋତୁରେ ଖେଳିଥିବା ପ୍ରଥମ ମ୍ୟାଚ୍ରେ ଅର୍ଧଶତକ ଅର୍ଜନ କରିବା ପରେ ମଙ୍ଗଳବାରର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଦ୍ରୁତ ୨୯ ରନ୍ କରିଥିଲେ ଗେଲ୍। ତାଙ୍କ ପାଳି ବଳରେ ହିଁ କିଙ୍ଗ୍ସ ଏକାଦଶ ପଞ୍ଜାବ ସଫଳତାର ସହ ୧୬୫ ରନ୍ର ଲକ୍ଷ୍ୟକୁ ହାସଲ କରି ହ୍ୟାଟ୍ରିକ୍ ବିଜୟ ପାଇଥିଲା। ଏହି ମ୍ୟାଚ୍ରେ ଦିଲ୍ଲୀ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ପଞ୍ଚମ ଥର ପାଇଁ ତାଙ୍କୁ ଆଉଟ୍ କରିଥିଲେ।
ଅବଶ୍ୟ ତା’ ପୂର୍ବରୁ କିନ୍ତୁ ଗେଲ୍ ତାଙ୍କ କାମ କରିସାରିଥିଲେ। ଏଣୁ ପଞ୍ଜାବକୁ ଏବେ ରୋକିବାକୁ ହେଲେ ଗେଲ୍ ଝଡ଼କୁ ଅଟକାଇବାକୁ ପଡ଼ିବ ବୋଲି ଅଶ୍ବିନ ଆକଳନ କରିଛନ୍ତି। ଏଥିପାଇଁ ସେ ଏକ ଅଜବ ଓ କୌତିକିଆ ପ୍ରସ୍ତାବ ଦେଇଛନ୍ତି। ମ୍ୟାଚ୍ ପରେ ଟ୍ବିଟ୍ କରି ଅଶ୍ବିନ ଲେଖିଥିଲେ ‘‘ସୈତାନ ସବୁବେଳେ ବିସ୍ତାର ହୋଇଥାଏ, ବୋଲିଂ କରିବା ପୂର୍ବରୁ ତାଙ୍କ ଦୁଇ ଗୋଡ଼କୁ ଏକାଠି ବାନ୍ଧି ଦିଅନ୍ତୁ। ଆମ ପାଇଁ (ଦିଲ୍ଲୀ କ୍ୟାପିଟାଲ୍ସଙ୍କ ପାଇଁ) କଠୋର ଦିନ ଥିଲା। ଆମେ କିନ୍ତୁ ଆହୁରି ଶକ୍ତିଶାଳୀ ହୋଇ ଫେରିବୁ’’। ଗେଲ୍ଙ୍କ ଅନୁପସ୍ଥିତିରେ ପଞ୍ଜାବ ଲଗାତାର ପରାଜୟ ବରଣ କରିଚାଲିଥିଲା। ସେ ଫେରିବା ପରେ ଦଳ କ୍ରମାଗତ ତିନିଟି ବିଜୟ ହାସଲ କରିଛି। ୮ ପଏଣ୍ଟ ପାଇ ଏବେ ବି ପ୍ଲେ ଅଫ୍ ଦୌଡ଼ରେ ରହିଛି।