ଚଟ୍ଟୋଗ୍ରାମ: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଭାରତକୁ ପ୍ରଥମ ପାଳିରେ ବଡ଼ ଅଗ୍ରଣୀ ମିଳିବା ପଥ ପରିସ୍କାର ହୋଇଛି। ରବିଚନ୍ଦ୍ରନ ଅଶ୍ବିନ, କୁଲ୍ଦୀପ ଯାଦବ ଓ ମହମ୍ମଦ ସିରାଜଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ କାରଣରୁ ଭାରତ ସୁବିଧାଜନକ ସ୍ଥିତିରେ ରହିଛି। କେଏଲ୍ ରାହୁଲଙ୍କ ଦଳ ପ୍ରଥମ ପାଳିରେ ୪୦୪ ରନ୍ କରିଥିବା ବେଳେ ଦ୍ବିତୀୟ ଦିନ ଶେଷ ସୁଦ୍ଧା ଘରୋଇ ଦଳ ୧୩୩ ରନ୍ରେ ୮ ୱିକେଟ୍ ହରାଇ ସଂଘାତିକ ଚାପରେ ପଡ଼ିଛି। ସାକିବ୍ ଅଲ୍ ହାସନଙ୍କ ଦଳ ଏବେ ବି ୨୭୧ ରନ୍ ପଛରେ ରହିଛି।
ଭାରତ ଗୁରୁବାର ୨୭୮/୬ରୁ ଖେଳିଥିବା ବେଳେ ଶ୍ରେୟସ ଆୟର୍ (୮୬ ରନ୍, ୧୯୨ ବଲ୍, ୧୦ ଚୌକା) ଶତକ ସୁଯୋଗ ହାତଛଡ଼ା କରି ଦେଇଥିଲେ। ଇବାଦତ ହୋସେନ୍ ତାଙ୍କୁ ବୋଲ୍ଡ କରିଦେଇଥିଲେ। ଏହି ସମୟରେ ରବିଚନ୍ଦ୍ରନ ଅଶ୍ବିନ୍ ଏବଂ କୁଲ୍ଦୀପ ଯାଦବ ୯୩ ରନ୍ର ଭାଗୀଦାରି କରି ଭାରତକୁ ଲଢ଼ୁଆ ସ୍କୋର୍ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ଅଶ୍ବିନ୍ ୧୧୩ ବଲ୍ରୁ ୨ ଲେଖାଏଁ ଚୌକା ଓ ଛକା ସହାୟତାରେ ୫୮ ରନ୍ କରିଥିବା ବେଳେ କୁଲ୍ଦୀପ ୧୧୪ ବଲ୍ରୁ ୫ ଚୌକା ସହାୟତାରେ ୪୦ ରନ୍ କରିଥିଲେ। ଅଶ୍ବିନ୍ଙ୍କ ବିଦାୟର ପରବର୍ତୀ ଓଭରରେ କୁଲ୍ଦୀପ ମଧ୍ୟ ଆଉଟ୍ ହୋଇଯାଇଥିଲେ। ମହମ୍ମଦ ସିରାଜଙ୍କୁ ଚତୁର୍ଥ ଶିକାର କରି ମେହିଦି ହାସନ ମିରାଜ ଭାରତ ପାଳିର ଅନ୍ତ ଘଟାଇଥିଲେ। ସ୍ପିନର୍ ତୈଜୁଲ ଇସଲାମ ମଧ୍ୟ ୪ ୱିକେଟ୍ ସଫଳତା ଅର୍ଜନ କରିଥିଲେ। ଭାରତ ଗୁରୁବାର ୪ ୱିକେଟ୍ ହରାଇ ମୋଟ ୧୨୬ ରନ୍ ଯୋଡ଼ିଥିଲେ ମଧ୍ୟ ଶେଷ ୩ଟିକୁ ମାତ୍ର ୧୯ ରନ୍ରେ ହରାଇଥିଲା।
ଭାରତର ଶେଷ ୱିକେଟ୍ ଭାବେ ଆଉଟ୍ ହୋଇଥିବା ମହମ୍ମଦ ସିରାଜ ପ୍ରଥମ ଓଭର ପ୍ରଥମ ବଲ୍ରେ ୱିକେଟ୍ ବାହାର କରି ବାଂଲାଦେଶକୁ ପ୍ରଥମ ଝଟ୍କା ଦେଇଥିଲେ। ସିରାଜଙ୍କ ଆଉଟ୍ ସୁଇଂ ବଲ୍ ନଜମୁଲ ହୋସେନ୍ ସାଣ୍ଟୋଙ୍କ ବ୍ୟାଟ୍ ଛୁଇଁ ସ୍ଲିପ୍ ଦେଇ ଚାଲିଯିବାକୁ ବସିଥିବା ବେଳେ ପନ୍ତ୍ ଏହାକୁ ଡାଇଭ୍ ମାରି କାବୁ କରି ନେଇଥିଲେ। ଏହା ପରେ ସିରାଜ ଲିଟନ୍ ଦାସଙ୍କୁ ବୋଲ୍ଡ କରି ଚକିତ କରି ଦେଇଥିଲେ। ଏହା ପୂର୍ବରୁ କିନ୍ତୁ ଅନ୍ୟତମ ଦ୍ରୁତ ବୋଲର ଉମେଶ ଯାଦବ ବାଂଲାଦେଶକୁ ଦ୍ବିତୀୟ ଝଟ୍କା ଦେଇସାରିଥିଲେ। ୟାସିର୍ ଅଲୀ (୪)ଙ୍କୁ ସେ କ୍ଲିନ୍ ବୋଲ୍ଡ କରି ଦେଇଥିଲେ। ଚା’ପାନ ବିରତି ପରେ କୁଲ୍ଦୀପ ଯାଦବଙ୍କ ଯାଦୁ ଚାଲିଥିଲା। ମୁସ୍ଫିକର ରହିମ, ସାକିବ୍ ଅଲ୍ ହାସନ୍, ନୁରୁଲ ହାସନ୍, ତୈଜୁଲ ଇସଲାମ୍ଙ୍କୁ ପ୍ୟାଭିଲିଅନ୍ ପଠାଇ ଘରୋଇ ଦଳକୁ ପ୍ରତ୍ୟାବର୍ତନର ସୁଯୋଗ ଦେଇନଥିଲେ। କୁଲ୍ଦୀପ (୧୦-୩-୩୩-୪), ସିରାଜ (୯-୧-୧୪-୩), ଉମେଶ ଯାଦବ (୮-୧-୩୩-୧) ୱିକେଟ୍ ବାଣ୍ଟିଥିବା ବେଳେ ଅକ୍ଷର ପଟେଲ୍ ଅନ୍ୟତମ ମିତବ୍ୟୟୀ ବୋଲିଂ (୭-୩-୧୦-୦) କରିଥିଲେ। କୁଲ୍ଦୀପ ଯାଦବଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ଦ୍ବିତୀୟ ଦିବସରେ ପ୍ରମୁଖ ରହିଥିଲା।