ପଣ୍ଟିଂଙ୍କ ସହ କଥା ହୋଇଛି, ବିଷୟବସ୍ତୁ ଆସନ୍ତା ସପ୍ତାହରେ କହିବି: ଅଶ୍ବିନ୍

ମଙ୍କଡିଂ ବିତର୍କ

ଦୁବାଇ: ଗତବର୍ଷର ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ବ୍ୟାଟର୍‌ ଜୋସ୍ ବଟଲରଙ୍କୁ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ (କିଙ୍ଗ୍ସ ଏକାଦଶ ପଞ୍ଜାବର ପ୍ରତିନିଧିତ୍ବ କରି) ମଙ୍କଡିଂ କରିବା ପରେ କ୍ରିକେଟ୍‌ର ଏହି ବିବାଦୀୟ ନିୟମ ବେଶ୍ ଚର୍ଚିତ ହୋଇଥିଲା। ଏବର୍ଷର ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ମଙ୍କଡିଂକୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଯାଇଛି। ଅଶ୍ବିନ ଏଥର ଦିଲ୍ଲୀ କ୍ୟାପିଟାଲ୍ସରୁ ଖେଳିବାର ଥିଲା ବେଳେ ସୁଯୋଗ ଥିଲେ ବି କୌଣସି ପରିସ୍ଥିତିରେ ଆଉ ମଙ୍କଡିଂ ନ କରିବାକୁ ଏହି ଦଳର ଅଷ୍ଟ୍ରେଲୀୟ ପ୍ରଶିକ୍ଷକ ରିକି ପଣ୍ଟିଂ ତାଙ୍କୁ ତାଗିଦ କରିସାରିଛନ୍ତି। କ୍ରିକେଟ୍ ନିୟମ ଅନ୍ତର୍ଭୁକ୍ତ ଥିଲେ ମଧ୍ୟ ଏହା ଖେଳ ଭାବନାକୁ କ୍ଷୁଣ୍ଣ କରୁଛି ବୋଲି ପଣ୍ଟିଂ ମତ ଦେଇଛନ୍ତି। ଅଶ୍ବିନ କିନ୍ତୁ ତାଙ୍କ ସହ ଶତପ୍ରତିଶତ ଏକମତ ଥିଲା ଭଳି ଲାଗୁନି। ସୋମବାର ମଙ୍କଡିଂ ବଦଳରେ ଫ୍ରି-ବଲ୍ ଦେବାକୁ ସେ ଦାବି କରିଥିଲେ। ଏପରିକି ଫ୍ରି-ବଲ୍‌ରେ କୌଣସି ବ୍ୟାଟ୍ସମ୍ୟାନ୍ ଆଉଟ୍ ହେଲେ ତାଙ୍କ ଦଳୀୟ ସ୍କୋରରୁ ୫ ରନ୍ କାଟିବାକୁ ପରାମର୍ଶ ଦେଇଥିଲେ। ଅଶ୍ବିନଙ୍କୁ ଏହି କ୍ଷେତ୍ରରେ ଭାରତୀୟ ୱିକେଟ୍ ରକ୍ଷକ ତଥା କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଅଧିନାୟକ ଦୀନେଶ କାର୍ତ୍ତିକ ଓ ପୂର୍ବତନ ଭାରତୀୟ କ୍ରିକେଟର ତଥା ପ୍ରତିଷ୍ଠିତ ଭାଷ୍ୟକାର ସଞ୍ଜୟ ମଞ୍ଜରେକରଙ୍କ ସମର୍ଥନ ମିଳିଥିଲା।

ମଙ୍ଗଳବାର ଅଶ୍ବିନ ଏହି ମାମଲାରେ ପୁଣି ଥରେ ମୁହଁ ଖୋଲିଛନ୍ତି। ପଣ୍ଟିଂଙ୍କ ସହ ଏହି ବିଷୟରେ କଥା ହୋଇସାରିଥିବାର ସୂଚନା ଦେଇଛନ୍ତି ସେ। ହେଲେ ଉଭୟଙ୍କ ମଧ୍ୟରେ ହୋଇଥିବା କଥୋପ କଥନର ବିବରଣୀ ଆସନ୍ତା ସପ୍ତାହରେ ପ୍ରକାଶ କରିବେ ବୋଲି କହିଛନ୍ତି। ନିଜ ୟୁ-ଟ୍ୟୁବ୍ ଚ୍ୟାନେଲରେ ଭିଡିଓ ପ୍ରକାଶ କରି ଅଶ୍ବିନ କହିଛନ୍ତି ଯେ ପଣ୍ଟିଂଙ୍କ ସହ ମୁଁ ଏଥିନେଇ ଟେଲିଫୋନ୍‌ରେ କଥା ହୋଇସାରିଛି। ଏହା ବେଶ୍ ମଜାଦାର ଥିଲା। ଆସନ୍ତା ସପ୍ତାହରେ ମୁଁ ତାଙ୍କ ସହ ହୋଇଥିବା କଥାବାର୍ତ୍ତାର ସଂପୂର୍ଣ୍ଣ ବିବରଣୀ ଦେବି। ଅବଶ୍ୟ ମୁଁ ତାଙ୍କ ସହ ଏଥନେଇ ମୁହାଁମୁହିଁ ଆଲୋଚନା କରିବାକୁ ଚାହୁଛି। କାରଣ ଅଷ୍ଟ୍ରେଲୀୟଙ୍କ ଇଂଲିସ୍ ଉଚ୍ଚାରଣ ଅଲଗା ହୋଇଥିବାରୁ କେବେ କେବେ ମଜାକଥା ବି ଗୁରୁତ୍ବପୂର୍ଣ୍ଣ ଖବର ପାଲଟି ଯାଇଥାଏ। ସୂଚନାଯୋଗ୍ୟ ଯେ ଆଇପିଏଲ୍ ଖେଳିବା ଲାଗି ଅଶ୍ବିନ ଦୁବାଇ ପହଞ୍ଚି ସାରିଛନ୍ତି। ହେଲେ ପଣ୍ଟିଂ ପହଞ୍ଚିନାହାନ୍ତି। ସେଥିପାଇଁ ଉଭୟଙ୍କ ମଧ୍ୟରେ ହେବାକୁ ଥିବା ପ୍ରଥମ ସାକ୍ଷାତକାର ବେଶ୍ ମଜାଦାର ହେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଦୁବାଇ ପହଞ୍ଚିବା ପରେ ଅଶ୍ବିନଙ୍କ ସହ ଏଥିନେଇ କଥା ହେବି ବୋଲି ମଧ୍ୟ ପଣ୍ଟିଂ ପୂର୍ବରୁ କହି ସାରିଛନ୍ତି। ଏପରିକି ଅଶ୍ବିନଙ୍କୁ ସେ ଆଉ ମଙ୍କଡିଂ କରିବାର ଅନୁମତି ଦେବେ ନାହିଁ ବୋଲି ପଣ୍ଟିଂ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର