ନୂଆଦିଲ୍ଲୀ: ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନଙ୍କୁ ଏକଦା ଭାରତୀୟ ଦଳର ଅଦୃଶ୍ୟ ଅଲରାଉଣ୍ଡରର ମାନ୍ୟତା ମିଳିଥିଲା। କଷ୍ଟକର ପିଚ୍ରେ ଶୀର୍ଷକ୍ରମ ବିଫଳ ହେଉଥିଲା ବେଳେ ଅଶ୍ବିନ ଅତି ସହଜରେ ବ୍ୟାଟିଂ କରୁଥିଲେ। ବିଶେଷ କରି ଟେଷ୍ଟ୍ କ୍ରିକେଟ୍ରେ ତାଙ୍କ ପ୍ରଦର୍ଶନ ବେଶ୍ ଉଚ୍ଚକୋଟୀର ରହୁଥିଲା। ଏବେ କିନ୍ତୁ ତାଙ୍କ ରନ୍ ସଂଗ୍ରହ ଧାରା ଧିମା ପଡ଼ିଯାଇଛି। ୨୦୧୭ ମସିହାରୁ ଅଶ୍ବିନ ମାତ୍ର ୧୭.୭୮ ହାରରେ ରନ୍ କରିଛନ୍ତି। ଏହା ପୂର୍ବରୁ ତାଙ୍କ ରନ୍ ସଂଗ୍ରହ ହାର ୩୪.୯୨ ଥିଲା। ୱେଲିଂଟନ ଟେଷ୍ଟ୍ର ଉଭୟ ପାଳିରେ ଅଶ୍ବିନ ବିଫଳ ହୋଇଥିଲେ। ୨୦୧୭ ମସିହାପରଠାରୁ ୨୦ତମ ଥର ପାଇଁ ସେ ୩୦ ବଲ୍ ଖେଳିବା ପୂର୍ବରୁ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଅଶ୍ବିନଙ୍କ ବ୍ୟାଟିଂ ଚମକ କ୍ରମଶଃ ଫିକା ପଡ଼ିବା ଅନ୍ୟତମ ସ୍ପିନର ତଥା ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ପାଇଁ ଭାରତୀୟ ଟେଷ୍ଟ ଦଳରେ ଦ୍ବାର ଖୋଲି ଦେଇଛି। ଭାରତୀୟ ଟେଷ୍ଟ ଦଳର ଏକମାତ୍ର ସ୍ପିନର ସ୍ଥାନ ପାଇଁ ଜାଦେଜା ଓ ଅଶ୍ବିନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ପୂର୍ବାପେକ୍ଷା ଢେର ବଢ଼ିଛି। ୨୦୧୭ ମସିହା ପରଠାରୁ ଜାଦେଜା ୨୧ ଟେଷ୍ଟ୍ର ୩୧ ପାଳିରେ ୧୧ ଥର ଅପରାଜିତ ରହିଛନ୍ତି। ଏହି ସମୟରେ ସେ ୪୯.୮୦ ହାରରେ ଗୋଟିଏ ଶତକ ଓ ୧୦ ଅର୍ଧଶତକ ଅର୍ଜନ କରିଛନ୍ତି। ୬ ଥର ୧୦୦ରୁ ଅଧିକ ବଲ୍ ଖେଳିଛନ୍ତି। ୨୦୧୭ ମସିହାପରଠାରୁ ଜାଦେଜା ପ୍ରତି ୭୯ ଓ ଅଶ୍ବିନ ପ୍ରତି ୩୩ ବଲ୍ରେ ଆଉଟ୍ ହୋଇଛନ୍ତି। ଜାଦେଜା ନିଜକୁ ଟେଷ୍ଟ କ୍ରିକେଟର ଶୀର୍ଷ ସ୍ତରୀୟ ଅଲରାଉଣ୍ଡରରେ ପରିଣତ କରିଥିଲା ବେଳେ ଅଶ୍ବିନଙ୍କ ପ୍ରଦର୍ଶନ ଲଗାତାର ତଳମୁହାଁ ରହିଛି। ୨୦୧୯-୨୦ ଘରୋଇ ଋତୁରେ କିନ୍ତୁ ଜାଦେଜାଙ୍କ ଅପେକ୍ଷା ଅଶ୍ବିନ ଢେର ଭଲ କରିଛନ୍ତି। ସେଥିପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଜାଦେଜାଙ୍କ ପରିବର୍ତେ ତାଙ୍କୁ ଭାରତୀୟ ଚୂଡ଼ାନ୍ତ ଦଳରେ ସ୍ଥାନ ମିଳିଥିଲା। ଖ୍ରୀଷ୍ଟଚର୍ଚରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟରେ ସେ ଖେଳିବା ନେଇ କିନ୍ତୁ ଆଶଙ୍କା ରହିଛି।
ଅଶ୍ବିନଙ୍କ ରନ୍ ମରୁଡ଼ି ଜାଦେଜାଙ୍କ ପାଇଁ ଦ୍ବାର ଖୋଲିଛି
/sambad/media/post_attachments/wp-content/uploads/2020/02/download-39.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)