ଚେନ୍ନାଇ: ରାଜସ୍ଥାନ ରୟାଲ୍ସ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ଆଇପିଏଲ୍ ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ ୨୫ ପ୍ରତିଶତ ମ୍ୟାଚ୍ ଫି’ କାଟିଦିଆଯାଇଛି। ବୁଧବାର ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଥିଲା। କିନ୍ତୁ ଏହି ମ୍ୟାଚ୍ରେ ପ୍ରବଳ କାକର ପଡିଥିବାରୁ ଅମ୍ପାୟାର ବଲ୍ ବଦଳାଇଥିଲେ। ହେଲେ ଏହାକୁ ନେଇ ଅଶ୍ବିନ ମ୍ୟାଚ୍ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ସମାଲୋଚନା କରିଥିଲେ। ଅଶ୍ବିନଙ୍କ ଏହି ଆଚରଣ ଆପିଏଲ୍ ଆଚରଣ ବିଧିର ଧାରା ୨.୭କୁ ଉଲଙ୍ଘନ କରିଥିବା ମ୍ୟାଚ୍ ରେଫରି ଜାଣିବାକୁ ପାଇଥିଲେ। ତେବେ ଏହାକୁ ଲେଭଲ୍-୧ ଉଲଙ୍ଘନ ପରିସରରେ ରଖାଯାଇଥିଲା। ଅଶ୍ବିନ ମଧ୍ୟ ତାଙ୍କ ଭୁଲ୍ ସ୍ବୀକାର କରିନେଇଥିଲେ। ମ୍ୟାଚ୍ ସମୟରେ ଅମ୍ପାୟାର ବୋଲିଂ ଦଳକୁ ନଜଣାଇ ବଲ୍ ବଦଳାଉଥିବା ଘଟଣାକୁ ନେଇ ଅଶ୍ବିନ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ। ଏପରିକି ଚଳିତ ଆଇପିଏଲ୍ରେ ଅମ୍ପାୟାରମାନଙ୍କ କେତେକ ନିଷ୍ପତ୍ତି ତାଙ୍କୁ ଆଶ୍ଚର୍ଯ୍ୟ କଲାଭଳି ରହିଥିଲା। ବଲ୍ ବଦଳାଯାଉଥିବା ବିଷୟରେ ଯେତେବେଳେ ଅଶ୍ବିନ୍ ଅମ୍ପାୟାରଙ୍କୁ ପଚାରିଥିଲେ, ସେତେବେଳେ ସେମାନେ ଅମ୍ପାୟାର, ଚାହିଁଲେ ବଦଳାଇପାରିବେ ବୋଲି ଜବାବ ଦେଇଥିଲେ। ତେଣୁ ଆଗକୁ ଯେତେବେଳେ ବି କାକର ପଡ଼ିବ, ସେମାନେ ବାରମ୍ବାର ବଲ୍ ବଦଳାଇ ଦେଇପାରିବେ କହି ଅଶ୍ବିନ୍ ଅମ୍ପାୟାରଙ୍କୁ ସମାଲୋଚନା କରିଥିଲେ।
ଅଶ୍ବିନଙ୍କ ୨୫ ପ୍ରତିଶତ ମ୍ୟାଚ୍ ଫି’ କଟିଲା
/sambad/media/post_attachments/wp-content/uploads/2021/01/ashwin-m.jpg)