ମୁମ୍ବାଇ: ତୃତୀୟ ଟେ‌ଷ୍ଟ୍‌ର ଦ୍ବିତୀୟ ଦିନରେ ଡ‌ାରିଲ୍‌ ମିଚେଲ୍‌ଙ୍କୁ ଆଉଟ୍‌ କରିବାରେ ଅଶ୍ବିନଙ୍କ କ୍ୟାଚ୍‌ ସବୁଠୁ ଚର୍ଚ୍ଚିତ ହୋଇଛି। ରବୀନ୍ଦ୍ର ଜାଡ଼େଜାଙ୍କୁ ଆଗକୁ ବଢ଼ି ବଡ ସଟ୍‌ ଖେଳିବାକୁ ଯାଇଥିଲା ବେଳେ ଡାରେଲ୍‌ ମିଚେଲ୍‌ ବାଉଣ୍ଡରି ପାର୍‌ କରିବାରେ ଅସମର୍ଥ ହୋଇଥିଲେ। ବ୍ୟାଟ୍‌ର ତଳେ ବାଜିବାରୁ ବଲ୍‌ ବହୁ ଉଚ୍ଚକୁ ଉଠିଯାଇଥିଲା। ମିଡ୍‌ ଅଫ୍‌ରେ ଅଶ୍ବିନ ବଲ୍‌ ଉପରୁ ଧ୍ୟାନ ନହଟାଇ ବାଉଣ୍ଡରି ପାଖରେ କ୍ୟାଚ୍‌ ‌ନେଇଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଥିଲା ସିଧା ଦୌଡ଼ିବା ପରିବର୍ତ୍ତେ, କଡେଇ କଡେଇ ଦୌଡ଼ିବା ପରେ ସେ ଡାଇଭ୍‌ ମାରି ବଲ୍‌କୁ ହାତମୁଠାରେ ରଖିବାରେ ସଫଳ ହୋଇଥିଲେ। ଆଉଟ୍‌ ହେବା ପୂର୍ବରୁ ୱିଲ୍‌ ୟଙ୍ଗ୍‌ଙ୍କ ସହ ମହତ୍ବପୂର୍ଣ୍ଣ ୫୦ ରନ୍‌ର ଭାଗୀଦାରି ଗଢ଼ିସାରିଥିଲେ ମିଚେଲ୍‌। ଏହି କ୍ୟାଚ୍‌କୁ ସାମାଜିକ ଗଣମାଧ୍ୟମରେ ଶ୍ରେଷ୍ଠ ମାନ୍ୟତା ଦିଆଯାଇଥିଲା ବେଳେ ଏହା ଖୁବ୍‌ ଭାଇରାଲ୍‌ ମଧ୍ୟ ହେଉଛି।

Advertisment

ପ୍ରଥମ ଥର ୧୦ ନମ୍ବରରେ ବ୍ୟାଟିଂ
ଟେଷ୍ଟ୍‌ କ୍ୟାରିୟର ଭିତରେ ଅଶ୍ବିନ ଶନିବାର ପ୍ରଥମ ଥର ପାଇଁ ୧୦ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିଲେ। ମୁମ୍ବାଇ ଟେଷ୍ଟ୍‌ରେ ଭାରତର ପ୍ରଥମ ପାଳିରେ ଏହି ଘଟଣା ଦେଖିବାକୁ ମିଳିଛି। ସାଧାରଣତଃ ଅଶ୍ବିନ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥାନ୍ତି। ଏହି ସ୍ଥାନରେ ସେ ୮୩ ପାଳିରେ ବ୍ୟାଟିଂ କରିଥିଲା ବେଳେ ୨୬.୦୧ ହାରରେ ୧୯୭୭ ରନ୍‌ ସଂଗ୍ରହ କରିଛନ୍ତି। ଯାହା ମଧ୍ୟରେ ୪ ଶତକ ଓ ୭ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଏହାବାଦ୍‌ ଷଷ୍ଠ ସ୍ଥାନରେ ମଧ୍ୟ ସେ ସଫଳତା ପାଇଛନ୍ତି। ୩୫.୪୦ ହାରରେ ସେ ୫୩୧ ରନ୍‌ କରିଛନ୍ତି। ଏଥିମଧ୍ୟରେ ଦୁଇଟି ଶତକ ମଧ୍ୟ ରହିଛି। ସବୁଠୁ କମ୍‌ ନବମ ସ୍ଥାନରେ ସେ ୨୦ ଥର ବ୍ୟାଟିଂକୁ ଆସିଛନ୍ତି। ଶେଷଥର ପାଇଁ ସେ ୨୦୧୧ ମସିହାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଦଶମ ସ୍ଥାନରେ ବ୍ୟାଟିଂକୁ ଆସିଥିଲେ। ମୋଟ୍‌ ୧୦୫ ଟେଷ୍ଟ୍‌ ମ୍ୟାଚ୍‌ ମଧ୍ୟରେ ଅଶ୍ବିନ ୨୬.୦୬ ହାରରେ ୩୪୬୬ ରନ୍‌ ସଂଗ୍ରହ କରିଛନ୍ତି। 

ସର୍ଫରାଜ୍‌ଙ୍କ ବ୍ୟାଟିଂ ସ୍ଥାନକୁ ନେଇ ମଂଜରେକରଙ୍କ ସମାଲୋଚନା
ତୃତୀୟ ଟେଷ୍ଟ୍‌ରେ ଭାରତର ବ୍ୟାଟିଂ କ୍ରମରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ମହମ୍ମଦ ସିରାଜଙ୍କୁ ନାଇଟ୍‌ ୱାଚ୍‌ମ୍ୟାନ୍‌ ଭାବେ ପଠାଯାଇଥିଲା ବେଳେ ସର୍ଫର‌ାଜ ଖାନ୍‌ଙ୍କୁ ଅଷ୍ଟମ ସ୍ଥାନରେ ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଦଶମ ସ୍ଥାନରେ ବ୍ୟାଟିଂ କରିବାକୁ ଛଡ଼ାଯାଇଥିଲା। ହେଲେ ସବୁ ପରୀକ୍ଷା ବିଫଳ ହୋଇଥିଲା। ସର୍ଫରାଜଙ୍କ ଭଳି ବ୍ୟାଟର୍‌ ଏତେ ତଳେ ବ୍ୟାଟିଂକୁ ଆସିବା ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପୂର୍ବତନ କ୍ରିକେଟର୍‌ ସଂଜୟ ମଂଜରେକର। ଘରୋଇ ପଡ଼ିଆରେ ସର୍ଫରାଜ୍‌ଙ୍କୁ ପ୍ରତ୍ୟେକ ବଲ୍‌ ସାମ୍ନା କରିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ୪ ବଲ୍‌ ଖେଳିଥିଲେ ମଧ୍ୟ ଖାତା ଖୋଲି ନପାରି ପାଭିଲିଅନ୍‌ ଫେରିଥିଲେ। ଏହା ଉପରେ ମଂଜରେକର କହିଛନ୍ତି, ଜଣେ ଖେଳାଳି ଯେତେବେଳେ ଭଲ ଲୟରେ ଅଛନ୍ତି, ପ୍ରଥମ ୩ ଟେଷ୍ଟ୍‌ରେ ୩ ଅର୍ଦ୍ଧଶତକ ମାରିଛନ୍ତି ଓ ବେଙ୍ଗାଲୁରୁ ଟେଷ୍ଟ୍‌ରେ ୧୫୦ ସ୍କୋର କରିଥିଲେ, ସ୍ପିନର୍‌ଙ୍କୁ ମଧ୍ୟ ଭଲ ଖେଳୁଥିବା ଜଣେ ଖେଳାଳିଙ୍କୁ ତଳେ ବ୍ୟାଟିଂ ଛଡ଼ାଯିବା ଠିକ୍‌ ହେଲାନି। କେବଳ ଡାହାଣ, ବାମ ହାତୀ ଯୋଡ଼ି ବଜାୟ ରଖିବା ପାଇଁ ଏପରି କରାଯିବା ଓଲଟା ପରିଣତି ଦେଇଛି। ଏହା ଭାରତୀୟ ଦଳର ବହୁତ ବଡ଼ ଭୁଲ୍‌ ନିଷ୍ପତ୍ତି ଥିଲା ବୋଲି ମଂଜରେକର ତାଙ୍କ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଲେଖିଛନ୍ତି।