ମୁମ୍ବାଇ : ଚମତ୍କାର ପ୍ରତ୍ୟାବର୍ତନ କରିବା ସତ୍ତ୍ବେ ଗୁରୁବାର ରାଜସ୍ଥାନ ରୟାଲ୍ସ ନିକଟରୁ ୩ ୱିକେଟ୍ରେ ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଶିକ୍ଷକ ରିକି ପଣ୍ଟିଂ। ଏକ ସମୟରେ ନିଶ୍ଚିତ ବିଜୟ ସମ୍ଭାବନା ସୃଷ୍ଟି କରିଥିବା ଦିଲ୍ଲୀର ଏହି ପରାଜୟ ପାଇଁ ରବିଚନ୍ଦ୍ରନ୍ ଅଶ୍ବିନଙ୍କୁ ବୋଲିଂ କୋଟା ପୂରଣ କରିବାର ସୁଯୋଗ ନଦେବା ହିଁ ଏକ କାରଣ ହୋଇପାରେ ବୋଲି ସେ କହିଛନ୍ତି। ଅଶ୍ବିନଙ୍କୁ ୩ ଓଭର ବୋଲିଂ ମିଳିଥିଲା। ସେଥିରେ ସେ ମାତ୍ର ୧୪ ରନ୍ ବ୍ୟୟ କରିଥିଲେ। ଯଦିଓ ୱିକେଟ୍ଶୂନ୍ୟ ରହିଥିଲେ, ତଥାପି ତାଙ୍କ ୩ ଓଭରରେ ଗୋଟିଏ ହେଲେ ଚୌକା କିମ୍ବା ଛକା ଖାଇନଥିଲେ। ଏପରିକି ପାୱାର ପ୍ଲେ’ରେ ମଧ୍ୟ ସେ ବ୍ୟାଟ୍ସମ୍ୟାନ୍ଙ୍କୁ ବାନ୍ଧି ରଖିପାରିଥିଲେ। ହେଲେ ଅଧିନାୟକ ଋଷଭ ପନ୍ତ୍ କାହିଁକି କେଜାଣି ତାଙ୍କୁ ପୂରା ୪ ଓଭର ବୋଲି କରିବାକୁ ଦେଇନଥିଲେ। ବରଂ ଦୁଇ ବାମହାତୀ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ମିଲର (୬୨) ଓ ରାହୁଲ ତିୱାତିଆ (୧୯) ମଧ୍ୟକ୍ରମରେ ପାଳି ସମ୍ଭାଳୁଥିଲା ବେଳେ ଅଶ୍ବିନଙ୍କ ବଦଳରେ ମାର୍କସ ଷ୍ଟୋଇନିସ୍ଙ୍କୁ ପନ୍ତ ଗୋଟିଏ ଓଭର ବୋଲିଂ ଦେଇଥିଲେ। ଯେଉଁଥିରେ ଷ୍ଟୋଇନିସ୍ ୧୫ ରନ୍ ବ୍ୟୟ କରିଥିଲେ। ଏହା ଥିଲା ତ୍ରୟୋଦଶତମ ଓଭର। ସେହି ଓଭରରେ ମଧ୍ୟ ୩ ଚୌକା ରାଜସ୍ଥାନ ଅମଳ କରିନେଇ ୫୮/୫ରୁ ୭୩/୫ରେ ପହଞ୍ଚି ଯାଇଥିଲା। ଆଉ ଯାହା ଶେଷରେ ଘଟିଲା ତାହା ଅବିଶ୍ବସନୀୟ ଥିଲା।
କ୍ରିସ୍ ମୋରିସ ଓ ଜୟଦେବ ଉନାଦ୍କଟ୍ ଦିଲ୍ଲୀ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଶେଷ ୫ ଓଭରରୁ ରାଜସ୍ଥାନ ବିଜୟ ପାଇଁ ୫୮ ରନ୍ ଆବଶ୍ୟକ କରୁଥିଲା। ମୋରିସ୍ ଶେଷ ଦୁଇ ଓଭରରେ ୪ ଛକା ମାରି ସବୁକିଛି ଓଲଟପାଲଟ କରିଦେଇଥିଲେ। ତେଣୁ ଅଶ୍ବିନଙ୍କୁ ତାଙ୍କ ପୂରା ୪ ଓଭର କୋଟା ବୋଲିଂ କରିବାକୁ ନଦେବା ସମ୍ଭବତଃ ଦଳର ଭୁଲ୍ ନିଷ୍ପତ୍ତି ଥିଲା ବୋଲି ପଣ୍ଟିଂ କହିଛନ୍ତି। ଦଳର ଆବଶ୍ୟକତା ବେଳେ ଅଶ୍ବିନ ନିରାଶ କରନ୍ତିନି। ସେ ଖୁବ୍ ଭଲ ବୋଲିଂ କରିଥିଲେ। ଅବଶ୍ୟ ପ୍ରଥମ ମ୍ୟାଚ୍ ତାଙ୍କ ପାଇଁ ନୈରାଶ୍ୟଜନକ ଥିଲା। ହେଲେ ଗତ କିଛି ଦିନ ଧରି ସେ କଠିନ ପରିଶ୍ରମ କରି ପ୍ରଥମ ମ୍ୟାଚ୍ର କ୍ଷତି ଭରଣା ପାଇଁ ପ୍ରୟାସ କରିଥିଲେ। ରାଜସ୍ଥାନ ବିପକ୍ଷ ମ୍ୟାଚ୍ରେ ମଧ୍ୟ ତାହା ପ୍ରମାଣିତ କରିଥିଲେ। କିନ୍ତୁ ତାଙ୍କୁ ତାଙ୍କର ଚତୁର୍ଥ ଓଭର ବୋଲିଂ ନଦେବା ଆମର ବିରାଟ ଭୁଲ୍ ଥିଲା ବୋଲି କହିଛନ୍ତି ପଣ୍ଟିଂ। ଏନେଇ ଆମେ ଆଗକୁ ଚିନ୍ତା କରିବୁ ବୋଲି ମଧ୍ୟ କହିଛନ୍ତି।
ଏହାସତ୍ତ୍ବେ ରାତିରେ କାକର ଓ ଓଦା ପଡ଼ିଆ ଆମ ପରାଜୟର କାରଣ ହୋଇପାରେ। ବଲ୍ ଠିକ୍ ଭାବେ ବୋଲରଙ୍କୁ ହାତରେ ରହୁନଥିଲା। ଫଳରେ ଅଧିକାଂଶ ବଲ୍ ହାତରୁ ଖସି ଫୁଲ୍ଟସ୍ ହୋଇଯାଉଥିଲା। ଯାହାକି ରାଜସ୍ଥାନ ପାଇଁ ରନ୍ ବାହାରକରିବା ସହଜ ହୋଇଯାଉଥିଲା। ସେହି ଦୃଷ୍ଟିରୁ ଶେଷ ୪ ଓଭରର ତ୍ରୁଟି ପାଇଁ ହିଁ ଆମକୁ ମୂଲ୍ୟ ଦେବାକୁ ପଡ଼ିଲା ବୋଲି ପଣ୍ଟିଂ କହିଛନ୍ତି। ସେହିପରି କାକରର ପ୍ରଭାବ ମଧ୍ୟ ମ୍ୟାଚ୍ର ଫଳାଫଳ ଉପରେ ପଡ଼ିଲା ବୋଲି କହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ପନ୍ତ୍। ଅନ୍ୟପକ୍ଷରେ ଦଳର ୨ଟିଯାକ ମ୍ୟାଚ୍ରେ ପେସର୍ ଅଭେଶ ଖାନ୍ଙ୍କ ପ୍ରଦର୍ଶନରେ ପଣ୍ଟିଂ ପୂରା ଖୁସି। ତାଙ୍କ ଆକ୍ସନ୍ ଚମତ୍କାର, ଲାଇନ୍ ଲେଙ୍ଗ୍ଥ ମଧ୍ୟ ଅତି ଚମତ୍କାର ବୋଲି ପଣ୍ଟିଂ କହିଛନ୍ତି। ଯେଉଁଥିପାଇଁ ଅଭେଶ ୨ଟି ମ୍ୟାଚ୍ରେ ମୋଟ ୫ ୱିକେଟ୍ ଦଖଲ କରିସାରିଲେଣି। ଆମ ପାଇଁ ଚଳିତ ଆଇପିଏଲ୍ରେ ସେ ବଧ ସଂପତ୍ତି ହେବେ ବୋଲି ପଣ୍ଟିଂ ଆଶାବାଦୀ ରହିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପରବର୍ତୀ ମ୍ୟାଚ୍ ରବିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Delhi-Capials-coach-Ricky-Ponting.jpg)