ବ୍ରିସ୍‌ବେନ୍‌: ଭାରତୀୟ କିଂବଦନ୍ତି ଅଫ୍‌ସ୍ପିନର୍‌ ତଥା ଉପଯୋଗୀ ଅଲରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ବିନ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ବ୍ରିସ୍‌ବେନ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ୍‌ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହେବା ପରେ ପରେ ଅଶ୍ବିନ ଅଚାନକ ଏଭଳି ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ। ୫ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାରେ ୩ ମ୍ୟାଚ୍‌ ସରିଥିଲା ବେଳେ ଅଶ୍ବିନ କେବଳ ଗୋଟିଏ ମ୍ୟାଚ୍‌ ଆଡିଲେଡ୍‌ରେ ଖେଳିଥିଲେ। ଏହି ଦିବା-ରାତ୍ର ଟେଷ୍ଟ୍‌ରେ ସେ ୧/୫୩ ବୋଲିଂ ସଫଳତା ପାଇଥିଲେ। ତାଙ୍କ ଅବସର ଖବର ପ୍ରକାଶ ପାଇବା ପରେ ଭାରତୀୟ ଡ୍ରେସିଂ ରୁମ୍‌ ଶାନ୍ତ ପଡ଼ିଯାଇଥିଲା। ‌ସାଥୀ ଖେଳାଳି ଅଶ୍ବିନ୍‌ଙ୍କ ପାଖକୁ ଆସି ଧନ୍ୟବାଦ ଦେବା ସହ ଶୁଭକାମନା ଜଣାଇଥିଲେ।

Advertisment

ଅଶ୍ବିନ ୨୦୧୧ ବିଶ୍ବକପ୍‌ ବିଜୟୀ ଦଳର ସଦସ୍ୟ ରହିଥିଲେ। ୨୦୧୫ ବିଶ୍ବକପ୍‌ରେ ସେ ୮ ମ୍ୟାଚ୍‌ ଖେଳି ୧୩ ୱିକେଟ୍‌ ଅକ୍ତିଆର କରିବା ସହ ଭାରତକୁ ସେମିଫାଇନାଲ୍‌ରେ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟର ୨୦୧୪ ବିଶ୍ବକପ୍‌ରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ୪/୧୧ ସଫଳତା ପାଇବା ସହ ପୂରା ପ୍ରତିଯୋଗିତାରେ ୧୧ ୱିକେଟ୍‌ ଅକ୍ତିଆର କରିଥିଲେ। ହେଲେ ଭାରତ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତର ଶ୍ରେଷ୍ଠ ସ୍ପିନର୍‌ଙ୍କ ମଧ୍ୟରେ ଗଣାଯାଉଥିବା ଅଶ୍ବିନ ନିଜ ୧୩ ବର୍ଷ ଅନ୍ତର୍ଜାତୀୟ ଜୀବନରେ ୨୪ ହାରରେ ୫୩୭ ୱିକେଟ୍‌ ଅକ୍ତିଆର କରିଛନ୍ତି। ସେ ସର୍ବାଧିକ ୱିକେଟ୍‌ ଦଖଲକାରୀ ଭାରତୀୟଙ୍କ ମଧ୍ୟରେ ଅନୀଲ କୁମ୍ବଲେ (୬୧୯)ଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଟେଷ୍ଟ୍‌ ଜୀବନରେ ସେ ୩୭ଥର ୫ ୱିକେଟ୍‌ ସଫଳତା ପାଇଛନ୍ତି। ଟେଷ୍ଟ୍‌ କ୍ରିକେଟ୍‌ ଖେଳୁ ଖେଳୁ ସେ ନିଜର କମାଲ ଦେଖାଇଥିଲେ। ନିଜର ପ୍ରଥମ ୧୬ ‌ଟେଷ୍ଟ୍‌ ମ୍ୟାଚ‌୍‌ରେ ସେ ୯ ଥର ୫ ୱିକେଟ୍‌ ସଫଳତା ପାଇଥିଲେ। ୩୦୦ ଟେଷ୍ଟ୍‌ ୱିକେଟ୍‌ ନେବାରେ ଅଶ୍ବିନ ଦ୍ରୁତତମ ଥିଲା ବେଳେ ୪୦୦ରେ କିଂବଦନ୍ତି ସ୍ପିନର ମୁଥିଆ ମୁରଲୀଧରନ (୬୭)ଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୨୦୧୬-୧୭ ଘରୋଇ ଋତୁରେ ଅଶ୍ବିନ ଶିଖରକୁ ଉଠିଥିଲେ। ଭାରତର ବୋଲିଂ ଆକ୍ରମଣର ଦାୟିତ୍ବ ସେ ନେଇଥିଲେ। ଏହି ଋତୁରେ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୨୭ ୱିକେଟ୍‌ ନେବା ପରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୨୮ ୱିକେଟ୍‌ କରାୟତ୍ତ କରିଥିଲେ। ଏହାପରେ ବାଂଲାଦେଶ ବିପକ୍ଷ‌ ଏକ ମାତ୍ର ଟେଷ୍ଟ୍‌ରେ ୬ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ରେ ୨୧ ୱିକେଟ୍‌ ନେଇଥିଲେ। ଏହି ଅପୂର୍ବ ସଫଳତା ତାଙ୍କୁ ବିଶ୍ବର ପ୍ରମୁଖ ସ୍ପିନର୍‌ ଭାବେ ପରିଗଣିତ କରିଥିଲା।

ସଚିନ, ରୋହିତ, କୋହଲିଙ୍କ ଆବେଗଭରା ବାର୍ତ୍ତା
ଅଶ୍ବିନଙ୍କ ଅବସର ପରେ କିଂବଦନ୍ତି ସଚିନ ତେନ୍ଦୁଲକର, ଅଧିନାୟକ ରୋହିତ ଶର୍ମା ଓ ତାରକା ବ୍ୟାଟର୍‌ ବିରାଟ କୋହଲିଙ୍କ ସହ ଅନ୍ୟ ସାଥୀ ଖେଳାଳି ତାଙ୍କୁ ଆଗାମୀ ଭବିଷ୍ୟତ ଲାଗି ଶୁଭକାମନା ଜଣାଇଛନ୍ତି। ସଚିନ ଲେଖିଛନ୍ତି, ତୁମର କ୍ୟାରମ୍‌ ବଲ୍‌ଠୁ ଗୁରୁତ୍ବପୂର୍ଣ୍ଣ ରନ୍‌ ଯୋଗଦାନ ସମସ୍ତଙ୍କୁ ନିଶ୍ଚିତ ପ୍ରେରଣା ଦେବ। ଦ୍ବିତୀୟ ପାଳି ପାଇଁ ଶୁଭକାମନା। ରୋହିତ‌ ଲେଖିଛନ୍ତି, ‘‘ଆମେ ଅନେକ ବର୍ଷ ଏକାଠି ଖେଳିଛେ ଏବଂ ଏହି ସ୍ମୃତି ସର୍ବଦା ମନେରହିବ। ତୁମେ ସତରେ ଅର୍ଜିନାଲ ଗ୍ୟାଙ୍ଗଷ୍ଟାର (ଓଜି) ଏବଂ ଭାରତ ଓ ବିଶ୍ବ କ୍ରିକେଟ୍‌ର କିଂବଦନ୍ତି, ଏହି ଦଳ ତୁମକୁ ମିସ୍‌ କରିବ। ଆଗାମୀ ଦିନ ଲାଗି ଶୁଭକାମନା।’’ ସେହିଭଳି କୋହଲି ତାଙ୍କ ବାର୍ତ୍ତାରେ ଲେଖିଛନ୍ତି, ମୁଁ ତୁମ ସହ ୧୪ ବର୍ଷ ଖେଳିଛି ଏବଂ ତୁମେ ଆଜି ମୋତେ ଅବସର ବିଷୟରେ କହିଲ। ଏହା ମୋତେ କିଛି ସମୟ ଭାବପ୍ରବଣ କଲା ଏବଂ ସେହି ପୁରୁଣା ଦିନ ମନେପଡ଼ିଲା। ତୁମ ସହ ସମସ୍ତ ଯାତ୍ରାକୁ ଉପଭୋଗ କରିଛି, ତୁମର ଦକ୍ଷତା ଏବଂ ମ୍ୟାଚ୍‌ ବିଜୟୀ ଯୋଗଦାନ ସର୍ବଦା ମନେରହିବ। ଏମାନଙ୍କ ସହ କିଂବଦନ୍ତି କପିଳ ଦେବ, ସୁନିଲ ଗାଭାସ୍କର, ଅନୀଲ କୁମ୍ବଲେ, ହରଭଜନ ସିଂହ, ମହେନ୍ଦ୍ର ସିଂହ ‌ଧୋନିଙ୍କ ସହ ଋଷଭ ପନ୍ତ, କେଏଲ୍‌ ରାହୁଲ ଏବଂ ଅନ୍ୟ ସାଥୀ, ପୂର୍ବତନ ଖେଳାଳି ଅଶ୍ବିନଙ୍କୁ ଧନ୍ୟବାଦ ଦେବା ସହ ଦ୍ବିତୀୟ ପାଳି ଲାଗି ଶୁଭେଚ୍ଛା ଜଣାଇଛନ୍ତି।

ବ୍ରିସ୍‌ବେନ୍‌ ଟେଷ୍ଟ୍‌ ପରେ ‌ଅଧିନାୟକ ରୋହିତ ଶର୍ମାଙ୍କ ସହ ମ୍ୟାଚ୍‌ ପର ‌ସାମ୍ବାଦିକ ସମ୍ମିଳନୀକୁ ଆସି ୩୮ ବର୍ଷୀୟ ଅଶ୍ବିନ ଅବସର ବିଷୟରେ ଘୋଷଣା କରିଥିଲେ। ସେ କହିଥିଲେ ଯେ ‘‘ଅନ୍ତର୍ଜାତୀୟସ୍ତରରେ ସମସ୍ତ ଫର୍ମାଟ୍‌ରେ ଏହା ମୋର ଭାରତୀୟ କ୍ରିକେଟର୍‌ଙ୍କ ସହ ଶେ‌ଷ ଦିନ। ଭାରତୀୟ ଡ୍ରେସିଂ ରୁମ୍ ହେଉକି ଅନ୍ତର୍ଜାତୀୟ କ୍ରିକେଟ୍‌‌, କିନ୍ତୁ ଏହା ମୋର ଶେଷ ଦିନ। ରୋହିତ ଓ ଅନ୍ୟ ସାଥୀମାନଙ୍କ ସହ ଅନେକ ସ୍ମୃତି ରହିଛି। ଗତ କିଛି ବର୍ଷ ହେବ ସେମାନଙ୍କ ସହ ସବୁବେଳେ ରହିପାରିନି। ଏହି ଦିନକୁ ସବୁବେଳେ ମନେ ରଖିବି। ବିସିସିଆଇ ସହ ରୋହିତ, ବିରାଟ, ଅଜିଙ୍କ୍ୟ, ପୂଜାରା ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏଥିସହ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳକୁ ମଧ୍ୟ ଧନ୍ୟବାଦ ଦେଉଛି। ଏମାନଙ୍କ ବିପକ୍ଷରେ ଖେଳିବା ମୋତେ ଆନନ୍ଦିତ କରିଛି’’।

ଅଶ୍ବିନ ନିଜର ୫୩୭ ଟେଷ୍ଟ୍‌ ୱିକେଟ୍‌ ମଧ୍ୟରୁ ୨୬୮ଥର ବାମହାତୀଙ୍କୁ ଆଉଟ୍‌ କରିଛନ୍ତି। ନିମ୍ନକ୍ରମରେ ବ୍ୟାଟିଂ କରୁଥିବା ଅଶ୍ବିନ ୬ ଶତକ ଓ ୧୪ ଅର୍ଦ୍ଧଶତକ ସହ ୩୫୦୩ ରନ୍‌ କରିଛନ୍ତି। ସେ ଭାରତୀୟ ଭାବେ ‌ଟେଷ୍ଟ୍‌ରେ ସର୍ବାଧିକ ୪ ଥର ଏକସଙ୍ଗେ ଶତକ ଓ ୫ ୱିକେଟ୍‌ ସଫଳତା ପାଇଛନ୍ତି। ତାଙ୍କ ଆଗରେ କେବଳ ଇଂଲଣ୍ଡର ଇଆନ ବୋଥାମ (୫) ରହିଛନ୍ତି। ସର୍ବାଧିକ ଥର ୧୧ଥର ଶୃଙ୍ଖଳାର ‌ଶ୍ରେଷ୍ଠ ଖେଳାଳି ବିବେଚିତ ହେବାରେ ସେ ମୁରଲୀଧରନଙ୍କ ସମକକ୍ଷ ଅଛନ୍ତି। ୨୦୧୫ରେ ଅଶ୍ବିନଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା। ୨୦୧୬ରେ ସେ ବର୍ଷର ଶ୍ରେଷ୍ଠ ଆଇସିସି ପୁରୁଷ ଓ ଟେଷ୍ଟ୍‌ କ୍ରିକେଟର୍‌ ପୁରସ୍କାର ପାଇଥିଲେ। ୨୦୧୧-୨୦ ପର୍ଯ୍ୟନ୍ତ ଗୋଟିଏ ଦଶନ୍ଧି ଆଇସିସି ଟେଷ୍ଟ୍‌ ଦଳରେ ସ୍ଥାନ ପାଇଥିଲେ।

ଭାରତର ସର୍ବଶ୍ରେଷ୍ଠ ଟେଷ୍ଟ୍ ମ୍ୟାଚ୍ ବିଜୟୀ
ଅଶ୍ବିନ ହେଉଛନ୍ତି ଭାରତର ସର୍ବଶ୍ରେଷ୍ଠ ମ୍ୟାଚ୍ ବିଜୟୀ ଟେଷ୍ଟ୍ ଖେଳାଳି। ବିଶେଷ କରି ଘରୋଇ ପରିବେଶରେ ପ୍ରତିପକ୍ଷ ପାଇଁ ସେ ସବୁବେଳେ କାଳ ପାଲଟି ଆସିଛନ୍ତି। ୨୦୧୧ରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ପରଠାରୁ ଅଶ୍ବିନ ଘରୋଇ ପରିବେଶରେ ୬୫ ଟେଷ୍ଟ୍ ଖେଳିଛନ୍ତି। ସେଥିମଧ୍ୟରୁ ଭାରତ ୪୭ ଟେଷ୍ଟ୍ ଜିତିଛି। ଅଶ୍ବିନଙ୍କଠାରୁ କେବଳ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଘରୋଇ ପରିବେଶରେ ୫୨ ଟେଷ୍ଟ୍ ଜିତିଛନ୍ତି। ଘରୋଇ ପରିବେଶରେ କେବଳ ଇଂଲଣ୍ଡର ଆଲିଷ୍ଟର୍ କୁକ୍ (୮୯) ତାଙ୍କଠାରୁ ବିନା ବ୍ୟବଧାନରେ ଅଧିକ ସଂଖ୍ୟକ ଘରୋଇ ଟେଷ୍ଟ୍ ଖେଳିଛନ୍ତି। ଘରୋଇ ପରିବେଶରେ ଅଶ୍ବିନ ଭାରତ ପକ୍ଷରୁ ସର୍ବାଧିକ ୩୮୩ ୱିକେଟ୍ ଅକ୍ତିଆର କରିଛନ୍ତି। ଘରୋଇ ପରିବେଶରେ ୨୯ ପାଞ୍ଚ ୱିକେଟ୍ ସଫଳତା ପାଇବା ତାଙ୍କ ଜାଜ୍ଜ୍ବଲ୍ୟମାନ ଖେଳ ଜୀବନର ଅନ୍ୟତମ ହାଇଲାଇଟ୍। ଅଶ୍ବିନ ଖେଳିଥିବା  ୧୦୬ ଟେଷ୍ଟ୍‌ରୁ ଭାରତ ୬୧ଟିରେ ବିଜୟର ମିଠାମିଠା ସ୍ବାଦ ଚାଖିଛି। କେବଳ ବିରାଟ କୋହଲି (୬୨) ଓ ସଚିନ ତେନ୍ଦୁଲକର (୭୨) ଭାରତର ଅଧିକ ଟେଷ୍ଟ୍ ବିଜୟରେ ସାମିଲ ହୋଇପାରିଛନ୍ତି। ଚୂଡ଼ାନ୍ତ ଏକାଦଶରେ ରହି ଅଶ୍ବିନଙ୍କ ବିଜୟ ପ୍ରତିଶତ ହେଉଛି ୫୭.୫୫। ଅଶ୍ବିନ ନେଇଥିବା ୫୩୭ ୱିକେଟ୍‌ରୁ ୩୭୪ ୱିକେଟ୍‌ ବିଜୟ ମ୍ୟାଚ୍‌ରୁ ଆସିଛି। କେବଳ ବୋଲିଂ ନୁହେଁ, ଅଶ୍ବିନ ହାସଲ କରିଥିବା ୬ଶତକ ମଧ୍ୟରୁ ୫ଟି ବିଜୟୀ ମ୍ୟାଚ୍‌ରେ ଖେଳିଛନ୍ତି।