ନୂଆଦିଲ୍ଲୀ: ଦଶମ ଏସୀୟ ଏୟାରଗନ୍ ବନ୍ଧୁକଚାଳନା ପ୍ରତିଯୋଗିତାରେ ଭାରତ ଦମ୍ଦାର ଆରମ୍ଭ କରିଛି। ଜାପାନର ଓ୍ଵାକୋ ସିଟିରେ ଆୟୋଜିତ ଏହି ପ୍ରତିଯୋଗିତାର ପ୍ରଥମ ଦିନ ଭାରତ ୪ ରୌପ୍ୟ ସହିତ ମୋଟ ୫ ପଦକ ଜିତିନେଇଛି। ରବି କୁମାର ୧୦ ମିଟର ଏୟାର ରାଇଫଲ୍ରେ ବ୍ୟକ୍ତିଗତ କାଂସ୍ୟ ଜିତିଥିଲା ବେଳେ ଗତବର୍ଷ କନିଷ୍ଠ ବିଶ୍ୱକପ୍ କାଂସ୍ୟ ବିଜେତା ଅର୍ଜୁନ ବବୁତା କନିଷ୍ଠ ବାଳକ ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ଭାରତକୁ ୩ ଦଳଗତ ଏୟାର ରାଇଫଲ୍ ବର୍ଗରେ ରୌପ୍ୟ ପଦକ ମିଳିଛି। ଅର୍ଜୁନ, ତେଜାସ୍ କୃଷ୍ଣ ଓ ସୁନ୍ମୁନ୍ ସିଂହ ବ୍ରାର ନେଇ ଗଠିତ ଦଳ ରୌପ୍ୟ ପାଇଥିଲା ବେଳେ ମହିଳା ୧୦ ମିଟର ଏୟାର ରାଇଫଲ୍ରେ ଅଞ୍ଜୁମ୍ ମୁଦ୍ଗିଲ୍, ମେଘନା ସାଜାନର୍ ଓ ପୂଜା ଘାଟକର ଦଳ ବି ରୌପ୍ୟ ଜିତିଥିଲା। ଶୁକ୍ରବାର ଭାରତ ୭ ବ୍ୟକ୍ତିଗତ ବର୍ଗର ଫାଇନାଲ୍ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ତେବେ ଅଲିମ୍ପିକ୍ କାଂସ୍ୟ ବିଜେତା ଗଗନ ନାରଙ୍ଗ ପଦକରୁ ବଞ୍ଚିତ ହେବା ଭାରତକୁ ନିରାଶ କରିଛି।