ଦୁବାଇ : ଭାରତୀୟ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବ୍ୟାଡ୍ମିଣ୍ଟନ ଏସିଆ ଚାମ୍ପିଅନ୍ସିପ୍ରେ ଇତିହାସ ରଚିଛନ୍ତି। ରବିବାର ପୁରୁଷ ଯୁଗଳ ଫାଇନାଲ୍ରେ ଷଷ୍ଠ ମାନ୍ୟତାପ୍ରାପ୍ତ ଏହି ଭାରତୀୟ ଯୋଡ଼ି ୧୬-୨୧, ୨୧-୯, ୨୧-୧୭ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ମାଲେସିଆ ଯୋଡ଼ି ଓଙ୍ଗ ୟିଉ ସିନ୍ ଓ ଟେଓ ଇ ୟିଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ରଥମ ସେଟ୍ ହାରିବା ପରେ ୨୦୨୨ ବିଶ୍ବ ପ୍ରତିଯୋଗିତାର କାଂସ୍ୟ ବିଜେତା ଯୋଡ଼ି ସାତ୍ତ୍ବିକ-ଚିରାଗ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ପରବର୍ତ୍ତୀ ଦୁଇ ସେଟ୍ ଜିତି ଭାରତ ପାଇଁ ଅନେକ ପ୍ରଥମରେ ନିଜ ନାମ ଯୋଡ଼ିଥିଲେ।
୧୯୬୫ରେ ଶେଷ ଥର ଏବଂ ଏକମାତ୍ର ଭାରତୀୟ ଭାବେ ଦୀନେଶ ଖାନ୍ନା ଏସିଆ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାପରେ କୌଣସି ଭାରତୀୟ ଏହି ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ପାଇପାରିନଥିଲେ। କିନ୍ତୁ ସାତ୍ତ୍ବିକ-ଚିରାଗ ରବିବାର ଏଠାରେ ଟ୍ରଫି ଜିତି ୫୮ ବର୍ଷ ଧରି ଭାରତର ସ୍ବର୍ଣ୍ଣ ମରୁଡ଼ିର ଅବସାନ ଘଟାଇଥିଲେ। ସେହିପରି ସାତ୍ତ୍ବିକ-ଚିରାଗ ପ୍ରଥମ ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ଭାବେ ୫୨ ବର୍ଷ ପରେ ଦେଶ ପାଇଁ ପଦକ ଜିତିବାର ଗୌରବ ମଧ୍ୟ ପାଇଛନ୍ତି। ଶେଷଥର ପାଇଁ ୧୯୭୧ରେ ଦିପୁ ଘୋଷ ଓ ରମନ ଘୋଷ କାଂସ୍ୟ ପଦକ ଜିତିଥିଲେ। ଚଳିତ ଋତୁରେ ସାତ୍ତ୍ବିକ-ଚିରାଗଙ୍କ ଏହା ଦ୍ବିତୀୟ ଟ୍ରଫି। ଏସିଆ ଚାମ୍ପିଅନ୍ସିପ୍ ପୂର୍ବରୁ ଏହି ଯୋଡ଼ି ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସହ ବିଡବ୍ଲୁଏଫ୍ ବିଶ୍ବ ଟୁର୍ରେ ୫ ମୁକୁଟ କରାୟତ୍ତ କରିଥିଲେ। ୨୨ ବର୍ଷୀୟ ଚିରାଗ ଆନ୍ଧ୍ରପ୍ରଦେଶର ଆମଲପୁରମ ଏବଂ ୨୫ ବର୍ଷୀୟ ଚିରାଗ ମୁମ୍ବାଇ ବାସିନ୍ଦା।
ଏହି ପ୍ରତିଯୋଗିତାରେ ସାତ୍ତ୍ବିକ-ଚିରାଗ ପ୍ରଥମ ରାଉଣ୍ଡରେ ମାଲେସିଆର ଟାନ୍ କିଆନ୍ ମେଙ୍ଗ ଓ ଟାନ ୱି କିଓଙ୍ଗ୍ଙ୍କୁ, ଦ୍ବିତୀୟ ରାଉଣ୍ଡରେ କୋରିଆର ଜିନ୍ ୟଙ୍ଗ ଓ ନା ସୁଙ୍ଗ ସିଓଙ୍ଗଙ୍କୁ, କ୍ବାର୍ଟରଫାଇନାଲ୍ରେ ଇଣ୍ଡୋନେସିଆର ମହମ୍ମଦ ଆସାନ ଓ ହେନ୍ଦ୍ରା ସେତିଆୱାନଙ୍କୁ ଏବଂ ସେମିଫାଇନାଲ୍ରେ ଅଲିମ୍ପିକ୍ ବିଜେତା ଚାଇନିଜ୍ ତାଇପେର ଲି ୟାଙ୍ଗ ଓ ୱାଙ୍ଗ ଚି-ଲିନ୍ଙ୍କୁ ହରାଇଥିଲେ। ଫାଇନାଲ୍ରେ ଓଙ୍ଗ ଓ ଟେଓଙ୍କୁ ପରାସ୍ତ କରି ଟ୍ରଫି କରାୟତ୍ତ କରିଥିଲେ। ଉଭୟ ଯୋଡ଼ି ପରସ୍ପର ୭ ଥର ମୁହାଁମୁହିଁ ହୋଇଥିଲା ବେଳେ ସାତ୍ତ୍ବିକ-ଚିରାଗ ୪-୩ ବ୍ୟବଧାନରେ ଆଗରେ ରହିଛନ୍ତି। ୧୯୬୨ରୁ ଆରମ୍ଭ ହୋଇଥିବା ଏସିଆ ଚାମ୍ପିଅନ୍ସିପ୍ରେ ଭାରତ ୨ ସ୍ବର୍ଣ୍ଣ ଏବଂ ୧୭ କାଂସ୍ୟ ସହ ମୋଟ ୧୯ ପଦକ ଜିତିଛି।