ଦୁବାଇ: ଏସିଆ ବ୍ୟାଡ୍ମିଣ୍ଟନ ଚାମ୍ପିଅନ୍ସିପ୍ରେ ଶୁକ୍ରବାର ଭାରତୀୟଙ୍କ ପାଇଁ ଖରାପ ଦିନ ଥିଲା। ମହିଳା ଏକକରେ ଦୁଇ ଥର ଅଲିମ୍ପିକ୍ ବିଜୟୀନି ପିଭି ସିନ୍ଧୁ, ପୁରୁଷ ଏକକରେ ଏଚ୍ ଏସ୍ ପ୍ରଣୟ ଏବଂ ମିଶ୍ରିତ ଯୁଗଳରେ ରୋହନ କାପୁର ଓ ସିକ୍କି ରେଡ୍ଡୀ ଯୋଡ଼ି କ୍ବାର୍ଟର ଫାଇନାଲ୍ ପରାଜୟ ସହ ବିଦାୟ ନେଇଛନ୍ତି। ତେବେ ଏକମାତ୍ର ଭାରତୀୟ ଭାବେ ସାତ୍ତ୍ବିକ ସାଇରାଜ ରାଙ୍କିରେଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି କ୍ବାର୍ଟର ଫାଇନାଲ୍ ଜିତି ସମ୍ମାନ ରଖିଛନ୍ତି। ଶୁକ୍ରବାର ଭାରତୀୟ ଭାବେ ଶେଷ ମୁକାବିଲାକୁ ଓହ୍ଲାଇଥିବା ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକ ଓ ଚିରାଗ ମାତ୍ର ୨୭ ମିନିଟ୍ ଲଢ଼େଇ କରି ୨୧-୧୧ ଓ ୨୧-୧୨ ରେ ଇଣ୍ଡୋନେସିଆ ଯୋଡ଼ି ମହମ୍ମଦ ଏହସାନ ଓ ହେନ୍ଦ୍ରା ସେତିୱାନଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ଏଥି ସହିତ ଏହି ଯୋଡ଼ି ମଧ୍ୟ ଭାରତ ପାଇଁ ଏସିଆ ପଦକ ନିଶ୍ଚିତ କରିଛନ୍ତି। ପୁଣି ୫୨ ବର୍ଷ ପରେ ଯୁଗଳରୁ ଭାରତକୁ ଏସିଆ ପଦକ ମିଳିଛି। ସେମିଫାଇନାଲ୍ରେ ସାତ୍ତ୍ବିକ-ଚିରାଗ ଯୋଡ଼ି ଚାଇନିଜ୍ ତାଇପେ ଯୋଡ଼ି ଲି ୟାଙ୍ଗ୍ ଓ ୱାଙ୍ଗ୍ ଚି ଲିନ୍ଙ୍କ ସହ ମୁହାଁମୁହିଁ ହେବେ।
ଏହା ପୂର୍ବରୁ ଅଷ୍ଟମ ମାନ୍ୟତାପ୍ରାପ୍ତ ସିନ୍ଧୁ କ୍ବାର୍ଟର ଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ କୋରିଆ ପ୍ରତିଦ୍ବନ୍ଦ୍ବୀ ଅନ୍ ସେ ୟଙ୍ଗ୍ଙ୍କ ନିକଟରୁ ୨୧-୮, ୫-୨୧ ଓ ୯-୨୧ରେ ପରାଜୟ ବରଣ କରିଛନ୍ତି। ପୁରୁଷ ଏକକ କ୍ବାର୍ଟର ଫାଇନାଲ୍ରେ ଏଚ୍ଏସ୍ ପ୍ରଣୟ ଜାପାନର ଅଣମାନ୍ୟତାପ୍ରାପ୍ତ କାଣ୍ଟା ସୁନେୟାମାଙ୍କଠୁ ସିଧାସଳଖ ଗେମ୍ ୧୧-୨୧ ଓ ୯-୨୧ରେ ପରାଜିତ ହୋଇଛନ୍ତି। ଅନ୍ୟପକ୍ଷରେ ମିଶ୍ରିତ ଯୁଗଳ ଯୋଡ଼ି ରୋହନ କାପୁର ଓ ସିକ୍କି ରେଡ୍ଡୀ କ୍ବାର୍ଟର ଫାଇନାଲ୍ରେ ମଧ୍ୟ ଜୋର୍ଦାର ଲଢ଼ିଥିଲେ। ହେଲେ ଏହି ଭାରତୀୟ ଯୋଡ଼ି ୧୮-୨୧, ୨୧-୧୯ ଓ ୧୫-୨୧ରେ ଇଣ୍ଡୋନେସିଆ ଯୋଡ଼ି ଦେଜାନ ଫର୍ଦିନାନ୍ସ୍ୟା ଓ ଗ୍ଲୋରିଆ ଏମାନୁଏଲା ୱିଜାଜାଙ୍କଠାରୁ ପରାସ୍ତ ହୋଇଛନ୍ତି।