ଏସୀୟ ବ୍ୟାଡ୍‌ମିଣ୍ଟନ:କ୍ବାର୍ଟରରେ ସିନ୍ଧୁ, ସାଇନା ଓ ସମୀର

ଉହାନ୍‌ (ଚୀନ୍‌): ଦୁଇ ପ୍ରମୁଖ ଭାରତୀୟ ମହିଳା ତାରକା ପିଭି ସିନ୍ଧୁ ଓ ସାଇନା ‌ନେହ୍ବାଲ ଚଳିତ ଏସୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ନିଜ ନିଜର ବିଜୟଧାରା ଜାରି ରଖି କ୍ବାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି। ଉଭୟେ ଦ୍ବିତୀୟ ରାଉଣ୍ଡ୍‌ରେ ସିଧାସଳଖ ଗେମ୍‌ ଜିତି ନେଇଛନ୍ତି। ମହିଳା ଏକକ ପ୍ରଥମ ରାଉଣ୍ଡ୍‌ରେ ଜାପାନର ଟାକାହାସି ସାୟାକାଙ୍କୁ ସିଧାସଳଖ ‌ଗେମ୍‌ରେ ପରାସ୍ତ କରିଥିବା ଅଲିମ୍ପିକ୍‌ ଓ ବିଶ୍ବ ପ୍ରତିଯୋଗିତାର ରୌପ୍ୟ ବିଜୟିନୀ ସିନ୍ଧୁ ଗୁରୁବାର ଦ୍ବିତୀୟ ରାଉଣ୍ଡ୍‌ରେ ଇଣ୍ଡୋନେସିଆର ଚୋଇରୁନିଶାଙ୍କୁ ୨୧-୧୫ ଓ ୨୧-୧୯ରେ ପରାସ୍ତ କରିଦେଇଥିଲେ। ଚତୁର୍ଥ ମାନ୍ୟତା ସିନ୍ଧୁଙ୍କୁ ସିଧାସଳଖ ଗେମ୍‌ ବିଜୟ ପାଇଁ ମାତ୍ର ୩୩ ମିନିଟ୍‌ ସମୟ ଲାଗିଥିଲା। କ୍ବାର୍ଟର ଫାଇନାଲ୍‌ରେ ସିନ୍ଧୁଙ୍କ ମୁକାବିଲା ଚୀନ୍‌ର ଅଣମାନ୍ୟତା କାଇ ୟାନ୍ୟାନ୍‌ଙ୍କ ସହ ହେବ। ସେହିପରି ପ୍ରଥମ ରାଉଣ୍ଡ୍‌ରେ ଚୀନ୍‌ର ହାନ୍‌ ୟୁଇଙ୍କୁ ପରାସ୍ତ କରିଥିବା ସପ୍ତମ ମାନ୍ୟତା ସାଇନା ଗୁରୁବାର ଦ୍ବିତୀୟ ରାଉଣ୍ଡ୍‌ରେ ଦକ୍ଷିଣ କୋରିଆର କିମ୍‌ ଗା ଇଉନ୍‌ଙ୍କୁ ମାତ୍ର ୩୮ ମିନିଟ୍‌ ମଧ୍ୟରେ ୨୧-୧୩ ଓ ୨୧-୧୩ରେ ପରାସ୍ତ କରିଦେଇଥିଲେ। ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ସାଇନା କ୍ବାର୍ଟର ଫାଇନାଲ୍‌‌ରେ ତୃତୀୟ ମାନ୍ୟତା ଜାପାନର ଅକାନେ ୟାମାଗୁଚିଙ୍କୁ ଭେଟି‌ବେ।
ସିନ୍ଧୁ ଓ ସାଇନାଙ୍କ ବ୍ୟତୀତ ପୁରୁଷ ଏକକ ବର୍ଗରେ ସମୀର ବର୍ମା ମଧ୍ୟ ବିଜୟଧାରା ଜାରି ରଖି କ୍ବାଟର୍ର ଫାଇନାଲ୍‌ ପହଞ୍ଚି ଯାଇଛନ୍ତି। ପ୍ରଥମ ରାଉଣ୍ଡ୍‌ରେ ଜାପାନ ପ୍ରତିଦ୍ବନ୍ଦ୍ବୀ ସାକାଇ କାଜୁମାସାଙ୍କୁ ପରାସ୍ତ କରିଥିବା ବିଶ୍ବ ମାନ୍ୟତାର ପଞ୍ଚଦଶ ସମୀର ଗୁରୁବାର ଦ୍ବିତୀୟ ରାଉଣ୍ଡ୍‌ରେ ହଂକଂର ଏନ୍‌ଜି କା ଲଙ୍ଗ୍‌ ଅଙ୍ଗୁସ୍‌ଙ୍କୁ ୨୧-୧୨ ଓ ୨୧-୧୯ ସିଧାସଳଖ ଗେମ୍‌ରେ ପରାସ୍ତ କରିଛନ୍ତି। କ୍ବାର୍ଟର ଫାଇନାଲ୍‌ରେ ତାଙ୍କର ମୁକାବିଲା ଦ୍ବିତୀୟ ମାନ୍ୟତା ଚୀନ୍‌ର ସି ୟୁକିଙ୍କ ସହ ହେବ।
କିନ୍ତୁ ମିଶ୍ରିତ ଯୁଗଳରେ ଭାରତକୁ ଝଟ୍‌କା ଲାଗିଛି। ଦ୍ବିତୀୟ ରାଉଣ୍ଡ୍‌ରେ ଉତ୍କର୍ଷ ଆରୋରା ଓ କରିସ୍ମା ୱାଦ୍‌କର ଯୋଡ଼ି ଇଣ୍ଡୋନେସିଆ ଯୋଡ଼ି ହାଫିଜ୍‌ ଫୈଜଲ୍‌ ଓ ଗ୍ଲୋରିଆ ଇମାନୁଏଲା ୱିଜାଜାଙ୍କଠୁ ୧୦-୨୧ ଓ ୧୫-୨୧ରେ ଏବଂ ଭେଙ୍କଟ ଗୌରବ ପ୍ରସାଦ ଓ ଜୁହି ଦେୱା‌ଙ୍ଗନ ଯୋଡ଼ି ୧୦-୨୧ ଓ ୯-୨୧ରେ ଚୀନ୍ ଯୋଡ଼ି ୟିଲିଉ ୱାଙ୍ଗ୍‌ ଓ ଡଙ୍ଗ୍‌ପିଙ୍ଗ୍‌ ହ୍ବାଙ୍ଗ୍‌ଙ୍କଠୁ ହାରି ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର